ସୁଶାନ୍ତଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଗାଏବ ! ରିୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ପ୍ରାୟ ଦେଢ ମାସ ବିତିଗଲାଣି। ପୁଅର ମୃତ୍ୟୁକୁ ନେଇ ଆଜି ଯାଏ ଚୁପ୍‌ ଥିବା ସୁଶାନ୍ତଙ୍କ ପରିବାର ଏବେ ମୁହଁ ଖୋଲିଛନ୍ତି।  ପିତା କେ.କେ.ସିଂହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିଥିଲେ। ଖାଲି ସେତିକି ନୁହେଁ, ମୁମ୍ବାଇ ପୋଲିସର ତଦନ୍ତ ପ୍ରତି ମଧ୍ୟ ଅଙ୍ଗଳି ନିର୍ଦ୍ଦେଶ କରିଛନ୍ତି ।

ମୁମ୍ବାଇ ପୋଲିସର ତଦନ୍ତ ଉପରେ ତାଙ୍କର ଭରସା ନାହିଁ ବୋଲି ସୁଶାନ୍ତଙ୍କ ବାପା କହିଛନ୍ତି। ରାଜୀବ ନଗର ଥାନାରେ ଦାଏର କରିଥିବା ମାମଲାରେ ସୁଶାନ୍ତଙ୍କ ପିତା ରିୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏପରିକି ରିୟା ସୁଶାନ୍ତଙ୍କୁ ଆର୍ଥିକ ଶୋଷଣ କରୁଥିବା ମଧ୍ୟ ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

ପିତା କେକେ ସିଂହ ଅଭିଯୋଗରେ ଦର୍ଶାଇଛନ୍ତି, ସୁଶାନ୍ତ ଫିଲ୍ମ ଦୁନିଆ ଛାଡି କେରଳ ଯିବାକୁ ଚାହୁଁଥିଲେ। ସେଠାରେ  ସେ ଅର୍ଗାନିକ ଚାଷ କରିବାକୁ ଚାହୁଁଥିଲେ। ହେଲେ ରିଆ ତାଙ୍କୁ ବାରମ୍ବାର ବିରୋଧ କରିବା ସହ ଅଟକାଇଥିଲେ। ସେ ସୁଶାନ୍ତଙ୍କୁ କହିଥିଲେ କି ସେ କେରଳ ସିଫ୍ଟ ହୋଇ ପାରିବେ ନାହିଁ। ଏହା ପରେ ସେ ସୁଶାନ୍ତଙ୍କର ସବୁ ଜୁଏଲରୀ, ଟଙ୍କା, କ୍ରେଡିଟ୍‌ କାର୍ଡ, ଜରୁରୀ କାଗଜପତ୍ର, ଲାପଟପ୍‌, ମେଡିକାଲ ରିପୋର୍ଟସ୍‌ ନେଇ ନିଜ ଘରକୁ ପଳାଇଥିଲା। ଏପରିକି ସୁଶାନ୍ତଙ୍କ ନମ୍ବର ମଧ୍ୟ ବ୍ଲକ କରି ଦେଇଥିଲା।

ଏହା ପରେ ସେ  ସୁଶାନ୍ତଙ୍କ ଭଉଣୀଙ୍କୁ ଫୋନ କରି ଧମକ ମଧ୍ୟ ଦେଇଥିଲେ। କହିଥିଲେ, ସେ ସୁଶାନ୍ତଙ୍କର ସମସ୍ତ ଡକ୍ୟୁମେଣ୍ଟ ନେଇ ଆସିଛନ୍ତି। ସେ ଏହାକୁ ମିଡିଆ ସାମ୍ନାରେ ରଖିବେ ଏବଂ ସମସ୍ତଙ୍କୁ କହିଦେବେ ଯେ ସୁଶାନ୍ତ ପାଗଳ। ଏହାପରେ କୌଣସି ଫିଲ୍ମରେ ତାଙ୍କୁ କାମ କରିବାର ସୁଯୋଗ ମିଳିବନି।

ବାପା କେକେ ସିଂହ ପ୍ରଶ୍ନ ଉଠାଇଛନ୍ତି,  ୨୦୧୯ରେ ପୂର୍ବରୁ ଅର୍ଥାତ୍‌ ରିୟାଙ୍କ ସହ ସାକ୍ଷାତ ହେବା ପୂର୍ବରୁ ସୁଶାନ୍ତ ଏକଦମ୍‌ ଠିକ୍‌ ଠାକ୍ ଥିଲେ।  ହେଲେ ରିୟାଙ୍କ ସହ ମିଶିବାର ମାତ୍ର କେଇ ମାସ ପରେ ଏମିତି କ’ଣ ପରିବର୍ତ୍ତନ ଆସିଲା ଯେ ସୁଶାନ୍ତ ପାଗଳ ହୋଇଗଲେ ?  ସୁଶାନ୍ତ ମାନସିକ ରୋଗୀ ହେବାର କାରଣ କ’ଣ ତାହାର ଯାଞ୍ଚ କରାଯିବା ଉଚିତ୍‌ ବୋଲି ସେ ଦାବି କରିଛନ୍ତି ।

ସେ ଆହୁରି କହିଛନ୍ତି, ଯଦି ସୁଶାନ୍ତଙ୍କର କିଛି ମାନସିକ ସମସ୍ୟା ଥିଲା ତେବେ ପରିବାର ଲୋକଙ୍କୁ କାହିଁକି ସୂଚିତ କରାଗଲା ନାହିଁ ? ଯଦିଓ ଏହି ସୂଚନା ସର୍ବପ୍ରଥମେ ପରିବାର ଲୋକଙ୍କୁ ଦେବାର ଥିଲା।

ସୁଶାନ୍ତ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡିବା ପରେ ରିୟା ତାଙ୍କୁ ନିଜ ଘରକୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କୁ ଓଭରଡୋଜ୍‌ ଔଷଧ ଦେଇଥିଲେ। ଏପରିକି ସୁଶାନ୍ତଙ୍କୁ ଡେଙ୍ଗୁ ହୋଇଛି ବୋଲି ରିୟା ସମସ୍ତଙ୍କୁ କହୁଥିଲେ।

ରିୟା ସୁଶାନ୍ତଙ୍କୁ କୌଣସି ଫିଲ୍ମରେ ସାଇନ୍‌ କରିବାକୁ ଦେଉ ନ ଥିଲେ। ଯଦି ବି କୌଣସି ଫିଲ୍ମ ଆସୁଥିଲା ତେବେ ରିୟା ତାଙ୍କ ଉପରେ ଚାପ ପକାଉଥିଲେ ଯେ, ସୁଶାନ୍ତ ସେଇ ଫିଲ୍ମରେ ସାଇନ କରିବେ ଯେଉଁଥିରେ ରିୟା ଲିଡ୍‌ ଆକ୍ଟ୍ରିସ ହେବେ।

ରିୟା ୨୦୧୯ ଡିସେମ୍ବରରେ ଜବରଦସ୍ତ ସୁଶାନ୍ତଙ୍କ ନମ୍ବର ବଦଳାଇ ଦେଇଥିଲା । ଏହା ପଛରେ ରିୟାଙ୍କ ଉଦ୍ଦେଶ୍ୟ ଥିଲା ସୁଶାନ୍ତ ଯେମିତି ତାଙ୍କ ପରିବାର ଲୋକ, ନିକଟ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିପାରିବେନି। ଏପରିକି ସୁଶାନ୍ତଙ୍କୁ ପାଟ୍‌ନା ଆସିବାକୁ ମଧ୍ୟ ଦେଉ ନ ଥିଲେ ରିୟା।

୨୦୧୯ରେ ସୁଶାନ୍ତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ହେଲେ ଗତ କିଛି ମାସ ମଧ୍ୟରେ ୧୫ କୋଟି ଟଙ୍କା କଢାଯାଇଛି। ଏହି ଟଙ୍କା ଯେଉଁ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ସେ ଆକାଉଣ୍ଟ ସହ କୌଣସି ସମ୍ପର୍କ ନାହିଁ। ତେଣୁ ରିୟା ଏବଂ ତାଙ୍କର ପିରବାର ଲୋକଙ୍କ ଖାତାକୁ କେତେ ଟଙ୍କା ଆସିଛି ଏବଂ କେଉଁଠୁ ଆସିଛି ତାହାର ଯାଞ୍ଚ କରାଯିବା ଉଚିତ୍‌ ବୋଲି ସୁଶାନ୍ତଙ୍କ ବାପା ଦାବି କରିଛନ୍ତି।

You might also like