ସରିଲା ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ

ମୁମ୍ବାଇ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍ସ ତାଙ୍କ ସମ୍ପର୍କକୁ ବିଧିବଦ୍ଧଭାବେ ନୂଆ ନାମ ଦେଇଛନ୍ତି। ଶନିବାର ଏକ ଉତ୍ସବରେ ଉଭୟଙ୍କର ନିର୍ବନ୍ଧ ହୋଇଛି। ଏକ ହୋଟେଲ୍‌ରେ ନିକ୍‌ ଓ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ନିର୍ବନ୍ଧ ସଂପନ୍ନ ହୋଇଛି।  ବିଶେଷ ସୂତ୍ରରୁ ଖବର ପ୍ରକାଶ ପାଇଛି ଯେ ଏହି ଉତ୍ସବ ପାଇଁ ଚୋପ୍ରା ପରିବାର ପକ୍ଷରୁ ଏକ ପଞ୍ଚତାରକା ହୋଟେଲ୍‌ରେ ୨୦୦ ରୁମ୍‌ ବୁକ୍‌ କରାଯାଇଥିଲା। ସେମାନଙ୍କ ମଧ୍ୟରେ ରଣବୀର ସିଂ, କରଣ ଜୋହରଙ୍କ ନାମ ସାମିଲ୍‌ ରହିଛି।

ଏପରିକି ପ୍ରିୟଙ୍କାଙ୍କ କଜିନ୍‌ ପରିଣୀତି ଚୋପ୍ରାଙ୍କୁ ମଧ୍ୟ ଆଜି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ‘ନମସ୍ତେ ଇଂଲଣ୍ଡ’ ଫିଲ୍ମ ସୁଟିଂରେ ବ୍ୟସ୍ତ ରହୁଥିବା ପରିଣୀତି ସମୟ ବାହାର କରି ଭଉଣୀ ପ୍ରିୟଙ୍କାଙ୍କ ନିର୍ବନ୍ଧରେ ଯୋଗଦେବାକୁ ମୁମ୍ବାଇ ଆସିଛନ୍ତି। ଗତକାଲି ରାତିରେ ପ୍ରିୟଙ୍କା ଓ ନିକ୍‌ଙ୍କୁ ଜେଡବ୍ଲ୍ୟୁ ମାରିଅଟ୍‌ରେ ଡିନ୍‌ର କରୁଥିବା ଦେଖିବାକୁ ମିଳିଥିଲା। ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ଓ ସିଦ୍ଧାର୍ଥ ଚୋପ୍ରାଙ୍କୁ ମଧ୍ୟ ସେମାନଙ୍କ ସହ ଦେଖିବାକୁ ମିଳିଥିଲା।

ଏହା ପୂର୍ବରୁ ଅନେକ ଥର ନିକ୍‌ ଓ ପ୍ରିୟଙ୍କାଙ୍କୁ ଏକାଠି ଦେଖିବାକୁ ମିଳିଛି। ସେମାନଙ୍କ ସମ୍ପର୍କ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସୁକ। ନିକ୍‌ଙ୍କ ବୟସ ୨୫ବର୍ଷ ହୋଇଥିବା ବେଳେ ପ୍ରିୟଙ୍କା ବୟସରେ ନିକ୍‌ଙ୍କଠୁ ବହୁତ ବଡ଼। ଗତ ବର୍ଷ ମେଟ୍‌ ଗାଲାରେ ପ୍ରିୟଙ୍କାଙ୍କୁ ନିକ୍‌ଙ୍କ ସହ ଏକାଠି ଦେଖିବାକୁ ମିଳିବା ପରେ ସେବେଠୁ ଉଭୟଙ୍କୁ ନେଇ ଚର୍ଚ୍ଚା।

You might also like