ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ

ବୈବାହିକ ଜୀବନରେ ସମସ୍ୟା ଦିଗକୁ ନେଇ ପୁଲିସର ଖୋଳତାଡ଼

କଟକ : ଓଡ଼ିଆ ଟେଲିଭିଜନ ଜଗତରେ ପୁଣି ଚାଞ୍ଚଲ୍ୟ। ଆଲବମ୍ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ମୃତ୍ୟୁର ୪୮ ଘଣ୍ଟା ପରେ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏଠି ବି ସସ୍‌ପେନ୍ସ।

ଟେଲିଭିଜନ ଧାରାବାହିକ ତଥା ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ହୋଇଛି ରହସ୍ୟଜନକ ମୃତ୍ୟୁ।। ବିବାହିତା ଲକ୍ଷ୍ମୀପ୍ରିୟା କଟକ ମହାନଦୀ ବିହାରସ୍ଥିତ ବାପାଙ୍କ ଘରେ ଥିବାବେଳେ ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା କଟକର ଏକ ଘରୋଇ ହସ୍ପିଟାଲ୍‌ରେ।

ପରେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲେ ବି ପୁଣି ଗୁରୁତର ହେବାରୁ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତଥାପି ତାଙ୍କୁ ବଞ୍ଚାଇ ହେଲାନି। ଶେଷରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କୀୟ କହୁଛନ୍ତି।

ଗତ ୨୦୧୬ରେ ଲକ୍ଷ୍ମୀପ୍ରିୟା କଟକ ଗୋପାଳପୁରର ଲିପନ ସାହୁଙ୍କୁ ବିବାହ କରିଥିଲେ। ତାଙ୍କର ଏକ ୫ ମାସର ଶିଶୁକନ୍ୟାଟିଏ ବି ଅଛି। କିନ୍ତୁ ବିବାହ ପର ଠାରୁ ଅଧିକାଂଶ ସମୟ ବାପାଙ୍କ ଘରେ ରହୁଥିଲେ ସେ। ତେବେ ନିକିତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ହେଲା କେମିତି ? କେଉଁ ପରିସ୍ଥିତିରେ ଏବଂ କାହିଁକି ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଗଲା ? କେଉଁ କାରଣରୁ ସେ ସଙ୍କଟାପନ୍ନ ଅବସ୍ଥାରେ ଥାଇ ମୃତ୍ୟୁମୁଖରେ ପଡ଼ିଲେ ? ଏ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ପରିବାର ଲୋକେ ମୁହଁ ଖୋଲୁନଥିବାବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଶରୀର ବିଭିନ୍ନ ସ୍ଥାନରେ ଆଞ୍ଚୁଡ଼ା ଦାଗ ରହିଥିବା ମାଜିଷ୍ଟ୍ରେଟ କହିଛନ୍ତି।

ଅପରପକ୍ଷରେ କଟକ ପୁଲିସ ନିଜ ଆଡୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ନିକିତାଙ୍କ ଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ବିୟୋଗରେ ଭାଙ୍ଗିପଡ଼ିଛି ସାରା ଓଲିଉଡ୍।

ତରଙ୍ଗ ଚାନେଲ୍‌ରେ ପ୍ରସାରିତ ଲୋକପ୍ରିୟ ଟିଭି ଧାରାବାହିକ ଏସିପି ନିକିତାରେ ଲିଡ୍ ରୋଲରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ ଲକ୍ଷ୍ମୀପ୍ରିୟା।

ସେହିପରି ଆମଘର ଲକ୍ଷ୍ମୀ, ତପସ୍ୟା ଭଳି ଧାରାବାହିକରେ ମଧ୍ୟ କାମ କରି ଘରେ ଘରେ ପରିଚିତ ଥିଲେ। ଏକାଧିକ ଓଲିଉଡ୍ ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଥିଲେ ସେ।

ତେବେ ତାଙ୍କର ଏଭଳି ରହସ୍ୟଜନକ ମୃତ୍ୟୁରୁ କେବେ ପରଦା ଉଠୁଛି, ତାକୁ ଏବେ ଅପେକ୍ଷା।

You might also like