ଭାଲେଣ୍ଟାଇନ୍ସ ଡେ’ରେ ହେବନି ମହାରଥୀଙ୍କ ଝିଅ ବାହାଘର

ପିପିଲି: ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ମହାରଥୀଙ୍କୁ ବିବାହ କରିବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ଉଭୟଙ୍କର ନିର୍ବନ୍ଧ ସରି ଯାଇଛି। ଏବେ ଯାହା ହାତଗଣ୍ଠି ପଡ଼ିବା ବାକି ରହିଛି।

ପୂର୍ବରୁ ଶୁଣିବାକୁ ମିଳୁଥିଲା ଉଭୟ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ଫେବୃଆରୀ ୧୪ରେ ବିବାହ କରିବେ। କିନ୍ତୁ ଫେବୃଆରୀ ୧୪ ନୁହେଁ ବରଂ ଆସନ୍ତା ୨୬ ତାରିଖରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ପ୍ଲେଗ୍ରାଉଣ୍ଡ୍‌ରେ ବିବାହ ଉତ୍ସବ ହେବ। ଏହିଦିନ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ।

ସେହିପରି ଫେବୃଆରୀ ୨୮ରେ ନୟାପଲ୍ଲୀ ଇଡ୍‌କୋଲ୍‌ ଗ୍ରାଉଣ୍ଡ୍‌ରେ ରିସେପ୍‌ସନ୍‌ ପାର୍ଟି ଆୟୋଜିତ ହେବ। ଏଥିପାଇଁ ପୂରା ପ୍ରସ୍ତୁତ କାର୍ଯ୍ୟରେ ଲାଗିପଡ଼ିଛନ୍ତି ମହାରଥୀ ଓ ସାହୁ ଫ୍ୟାମିଲି।

ଏହା ପୂର୍ବରୁ ଉଭୟ ପ୍ରି ୱେଡିଂ ଫଟୋ ଶୁଟ୍‌ କରିଛନ୍ତି। ଆଉ ଏହି ଫଟୋକୁ ନିଜ ଫେସ୍‌ବୁକ ପେଜ୍‌ରେ ପୋଷ୍ଟ କରିଛନ୍ତି ଉଭୟ ଅର୍ଦ୍ଧେନ୍ଦୁ ଓ ପଲ୍ଲବୀ।

 

ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ପେଶାରେ ଜଣେ ଡାକ୍ତର। ଆଉ ଅର୍ଦ୍ଧେନ୍ଦୁ ଓଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। ଗତ ଜାନୁଆରୀ ମାସରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା।

‘ବ୍ଲାକ୍‌ମେଲ୍‌’ ଓ ‘ଟପୋରୀ’ ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କୁ ଦର୍ଶକେ ଲିଡ୍‌ ରୋଲ୍‌ରେ ଦେଖିଥିଲେ। ‘ବ୍ଲାକ୍‌ମେଲ୍‌’ ଫିଲ୍ମରେ ଅଭିନେତ୍ରୀ ତମନ୍ନାଙ୍କ ସହ ‘ହାଏ ତୋ ପ୍ରେମର ରଙ୍ଗୋଲି’ଗୀତରେ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଅର୍ଦ୍ଧେନ୍ଦୁ। ଗୀତଟି ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଥିଲା। ନିକଟରେ ଅର୍ଦ୍ଧେନ୍ଦୁଙ୍କ ଆଉ ଏକ ଫିଲ୍ମ ‘ମୁଁ ପରଦେଶୀ ଚଢ଼େଇ’ ରିଲିଜ୍ ହୋଇଥିଲା।

 

You might also like