ଓସ୍କାର ୨୦୨୧ : କେବେ-କିପରି ଦେଖିବେ?

ନୂଆଦିଲ୍ଲୀ: ସାରା ଦୁନିଆର ସିନେପ୍ରେମୀମାନେ ବର୍ତ୍ତମାନ ୨୦୨୧ ପୁରସ୍କାରର ଅପେକ୍ଷାରେ ଅଛନ୍ତି। ମାର୍ଚ୍ଚ ୧୫ରେ ୯୩ତମ ଏକାଡେମୀ ପୁରସ୍କାର ବା ଓସ୍କାର ନାମାଙ୍କନ ଘୋଷଣା ହୋଇଥିଲା। ଏହି ଘୋଷଣା ବଲିଉଡ୍-ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତି ନିକ ଜୋନସ କରିଥିଲେ। ବର୍ତ୍ତମାନ ଏହି ବିଶାଳ କାର୍ଯ୍ୟକ୍ରମର ଚର୍ଚ୍ଚା ଚାରିଆଡେ ହେବାରେ ଲାଗିଛି।

ଓସ୍କାର-୨୦୨୧ ଏବେଠାରୁ ଇତିହାସ ରଚିବା ଆରମ୍ଭ କରିଦେଇଛି। ଚଳିତ ବର୍ଷ ସିନେ ନିର୍ମାତା କ୍ଲୋ ଜାଓଙ୍କୁ ତାଙ୍କ ସିନେମା “ନୋମେଡଲ୍ୟାଣ୍ଡ” ପାଇଁ ବେଷ୍ଟ ଡାଇରେକ୍ଟର ବିଭାଗରେ ନାମାଙ୍କନ ମିଳିଥିଲା। ଏହି ବିଭାଗରେ ନାନାଙ୍କିତ ହେବାରେ ସେ ପ୍ରଥମ ଚୀନି ମହିଳା। ଏହା ଛଡ଼ା ସିନେମା ‘ମିନାରୀ’ର କଳାକାର ଷ୍ଟିଭେନ୍ ୟନ ଜଣେ ଏସିଆନ-ଆମେରିକୀୟ ଅଭିନେତା, ଯାହାଙ୍କୁ ବେଷ୍ଟ ଆକ୍ଟର ବିଭାଗରେ ସ୍ଥାନ ଦିଆଯାଇଥିଲା। ସେହିପରି ସିନେମା ‘ସାଉଣ୍ଡ୍ ଅଫ୍ ମେଟାଲ’ ପାଇଁ ଅଭିନେତା ରିଜ ଅହମଦଙ୍କୁ ମଧ୍ୟ ବେଷ୍ଟ ଆକ୍ଟର ଆୱାର୍ଡ ପାଇଁ ନାମାଙ୍କିତ କରାଯାଇଥିଲା। ଏହି ତାଲିକାରେ ନାମାଙ୍କିତ ହେବାରେ ସେ ପ୍ରଥମ ମୁସଲମାନ।

ତେବେ ସମସ୍ତେ ନିଶ୍ଚିତ ଆଗ୍ରହର ସହ ଅପେକ୍ଷା କରିଛନ୍ତି ଚଳିତ ବର୍ଷର ବିଜେତାଙ୍କ ନାମ ଶୁଣିବା ନେଇ। ନେଟଫ୍ଲିକ୍ସ ଚଳିତ ବର୍ଷ ମୋଟ ୩୬ ଓସ୍କାର ନାମାଙ୍କନ ଗ୍ରହଣ କରିଛି, ଯାହା ଚଳିତ ବର୍ଷ ଯେ କୌଣସି ବିତରକଙ୍କ ପାଇଁ ସର୍ବାଧିକ ଅଟେ। ଗ୍ୟାରି ଓଲ୍ଡମ୍ୟାନଙ୍କ ଫିଲ୍ମ ‘ମେକ୍’କୁ ମୋଟ ୧୦ଟି ବର୍ଗରେ ନାମାଙ୍କନ ମିଳିଛି। ଏଥିସହ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ହ୍ୱାଇଟ୍ ଟାଇଗର୍’ ମଧ୍ୟ ଶ୍ରେଷ୍ଠ ଆଡାପ୍ଟଟେଡ୍ ସ୍କ୍ରିନ୍ ପ୍ଲେ ଶ୍ରେଣୀରେ ମନୋନୀତ ହୋଇଛି।

ତେବେ ଓସ୍କାର ପୁରସ୍କାର ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଜାଣିନେବା, ଏହି ପୁରସ୍କାର ଶୋ କେବେ, କେଉଁଠାରେ ଏବଂ କିପରି ଦେଖିପାରିବେ:

ଓସ୍କାର ପୁରସ୍କାର ୨୫ ଏପ୍ରିଲ ରବିବାର ବିଦେଶରେ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଭାରତର ଦର୍ଶକମାନେ ୨୬ ଏପ୍ରିଲ ସୋମବାର ୫.୩୦ରେ ଏହି ପୁରସ୍କାର ବିତରଣ ଉତ୍ସବ ଦେଖିପାରିବେ। ଏହି ସମାରୋହ ସକାଳ ୫.୩୦ରୁ ଆରମ୍ଭ ହୋଇ ସକାଳ ୮.୩୦ରେ ଶେଷ ହେବ।

ଯଦିଓ ଓସ୍କାର ୨୦୨୧ ଏକ ବ୍ୟକ୍ତିଗତ ଇଭେଣ୍ଟ ହେବାକୁ ଯାଉଛି, କିନ୍ତୁ ଆପଣ ଏହାକୁ ଲାଇଭ୍ ଷ୍ଟ୍ରିମରେ ଦେଖିପାରିବେ। କରୋନା ଜୀବାଣୁ ମହାମାରୀକୁ ଧ୍ୟାନରେ ରଖି ଓସ୍କାରକୁ ଅନ୍‌ଲାଇନ୍‌ରେ ଦର୍ଶକଙ୍କ ନିକଟରେ ଷ୍ଟ୍ରିମ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆପଣ ଏହି ସମାରୋହକୁ ଓସ୍କାର ଡଟ୍ କମ୍ କିମ୍ବା ଓସ୍କାରର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଦେଖିପାରିବେ। ଏହା ବ୍ୟତୀତ ଏକାଡେମୀର ସମସ୍ତ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ସମାରୋହ ମଧ୍ୟ ପ୍ରସାରିତ ହେବ। ଡିଜ୍ନି ପ୍ଲସ୍ ହଟ୍‌ଷ୍ଟାର୍‌ରେ ମଧ୍ୟ ସମାରୋହ ଦେଖିବାକୁ ମିଳିପାରିବ। ଭାରତରେ ଓସ୍କାର ପୁରସ୍କାରର ସମାରୋହ ମଧ୍ୟ ରାତି ୮.୩୦ରେ ପୁନଃ ପ୍ରସାରିତ ହେବ। ଆପଣ ଏହାକୁ ଷ୍ଟାର୍ ୱାର୍ଲ୍ଡ ଏବଂ ଷ୍ଟାର୍ ମୁଭିଜ୍ ଚ୍ୟାନେଲରେ ଦେଖିପାରିବେ।

ତେବେ ଏହି ୯୩ତମ ଏକାଡେମୀ ପୁରସ୍କାରକୁ ହଲି ବେରୀ, ହାରିସନ୍ ଫୋର୍ଡ, ରିସ୍ ୱିଥରସ୍ପୁନ୍, ଆଞ୍ଜେଲା ବ୍ୟାସେଟ୍, ବଙ୍ଗ୍ ଜୁନ୍ ହୋ, ଡନ୍ ଚିଡିଲ୍, ବ୍ରାଇନ୍ କ୍ରାନ୍‌ଷ୍ଟୋନ୍, ରେଜିନା କିଙ୍ଗ୍, ମାର୍ଲି ମ୍ୟାଟ୍‌ଲିନ୍, ରୀତା ମୋରେନୋ ଏବଂ ଜେଣ୍ଡାୟାଙ୍କ ଭଳି ହଲିଉଡ ତାରକାମାନେ ଉପସ୍ଥାପନା କରିବେ।

ପ୍ରକାଶ ଥାଉକି ୨୦୦୨ଠାରୁ, ଓସ୍କାର ପୁରସ୍କାର ଆୟୋଜନ ହଲିଉଡ ବୁଲଭାର୍ଡର ଡଲବି ଥିଏଟରରେ ଅନୁଷ୍ଠିତ ହୋଇଆସୁଛି। ତେବେ ପ୍ରଥମ ଥର ପାଇଁ ଲସ୍ ଏଞ୍ଜେଲ୍ସର ଆଇକନିକ୍ ୟୁନିୟନ୍ ଷ୍ଟେସନ୍‌ରେ ଏହି ସମାରୋହ ଅନୁଷ୍ଠିତ ହେବ। ସମାରୋହରେ ମନୋନୀତ ହୋଇଥିବା ତାରକା, ଅତିଥି ଏବଂ ଉପସ୍ଥାପକଙ୍କ ବ୍ୟତୀତ ଏହି ହଲରେ ଅନ୍ୟ କାହାକୁ ଅନୁମତି ଦିଆଯିବ ନାହିଁ।

You might also like