କମିନି ଚାହିଦା; ଆଜି ବି ‘ରାମାୟଣ’ର ମଜା ନେଲେ ଦର୍ଶକ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ବେଳେ ଘରେ ବସି ବୋର ହଉଥିବା ଦର୍ଶକଙ୍କ ପାଇଁ ଆଜି ଡିଡି ନାଶନାଲ ଚାନେଲରେ ସକାଳ ୯ଟାରେ ରାମାନନ୍ଦ ସାଗରଙ୍କର ‘ରାମାୟଣ’ ପୁନଃ ପ୍ରସାରିତ ହୋଇଛି । ଦୀର୍ଘ ବର୍ଷ ପରେ ଟିଭି ପରଦାରେ ଏହି ମେଗା ସିରିଏଲ ‘ରାମାୟଣ’କୁ ଲୋକେ ବେଶ ଉପଭୋଗ କରିଥିଲେ । ଆଜି ସନ୍ଧ୍ୟା ୯ଟାରୁ ୧୦ଟା ପୁଣି ଥରେ ଏହି ଶୋ’ ରିପିଟ୍ କରାଯିବ ।
ଏକଦା ୮୦ ଦଶକର ଶେଷ ଏବଂ ୯୦ ଦଶକର ମଧ୍ୟଭାଗରେ ଦୂରଦର୍ଶନରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଏବଂ ବିଆର ଚୋପ୍ରାଙ୍କର ‘ମହାଭାରତ’ ବେଶ ଚହଳ ପକାଇ ଦେଇଥିଲା । ଏହି ସିରିଏଲ ଦେଖିବା ପାଇଁ ଘରେ ଘରେ ଟିଭି ସାମ୍ନାରେ ଲୋକଙ୍କ ଭିଡ ଜମୁଥିଲା । ଏହି ସମୟ ମଧ୍ୟରେ ରାସ୍ତାଘାଟ ଶୂନଶାନ ହୋଇ ଯାଉଥିଲା । ତେବେ ଏତେ ବର୍ଷ ପରେ ଆଜି ବି ଦୂରଦର୍ଶନରେ ରାମାୟଣ ଧାରାବାହିକ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଲକ୍‌ଡାଉନ ଘୋଷଣା କରିବା ପରେ ଲୋକମାନେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏହି ସମୟରେ ଟିଭିରେ ପୁଣି ରାମାୟଣ ଓ ମହାଭାରତ ଦେଖିବା ପାଇଁ କେତେକ ଦର୍ଶନ ଦାବି କରି ଟ୍‌:ିଟର ହାଣ୍ଡଲରେ ପୋଷ୍ଟ କରିଥିଲେ । ଏହାପରେ ଅନେକ ଲୋକ ଧାରାବାହିକ ପୁନଃପ୍ରସାରଣ ନେଇ ଇଚ୍ଛା ପ୍ରକାଶ କରିଥିଲେ । ଏହା ପରେ ପ୍ରସାର ଭାରତୀର ସିଇଓ ଶଶି ଶେଖର ଏହାର ପୁନଃପ୍ରସାରଣ ନେଇ ଆଲୋଚନା ଚାଲିଥିବା କହିଥିଲେ ।
ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍‌:ିଟ କରି ଦର୍ଶକମାନଙ୍କୁ ମାର୍ଚ୍ଚ ୨୮ରୁ ରାମାୟଣ ପୁନଃପ୍ରସାରଣର ସୂଚନା ଦେଇଥିଲେ । ଆଗାମୀ ଦିନରେ ମହାଭାରତ ଓ ଚାଣକ୍ୟ ମଧ୍ୟ ଟିଭି ପରଦାରେ ପୁନଃପ୍ରସାରିତ ହୋବାର ସମ୍ଭାବନା ରହିଛି ।

You might also like