କାନ୍ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଚଳଚ୍ଚିତ୍ର ‘ସ୍ୱାହା’

ମର୍ଯ୍ୟାଦାଜନକ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ଥାନ ପାଇଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ୱାହା’। ପିଢ଼ି ପିଢ଼ି ମଧ୍ୟରେ ବ୍ୟବଧାନକୁ ମୁଖ୍ୟ କଥାବସ୍ତୁ ଭାବେ ନେଇ ନିର୍ମିତ ଏହି ସର୍ଟଫିଲ୍ମ। ଆଗାମୀ ୨୩ ତାରିଖରେ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ। ଯାହା ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିବା ସହ ରାଜ୍ୟ ପାଇଁ ଆଣିଛି ଗୌରବ। ଓଡ଼ିଆ ଭାଷା ଓ ସାହିତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ଫିଲ୍ମ ସ୍ୱାହାରେ ଏକ ନିଆରା ଢଙ୍ଗରେ କାହାଣୀକୁ ଦର୍ଶକଙ୍କୁ ଭେଟି ଦେବାକୁ ଚେଷ୍ଟା କରିଥିବା କହିଛନ୍ତି ଏହାର ନିର୍ଦ୍ଦେଶକ।

ଦୁଇଟି ପିଢ଼ି ମଧ୍ୟରେ ଭାବାନ୍ତର, ଆଉ ଭାବର ଆଦାନ ପ୍ରଦାନ। ଦୁଇ ଜଣ କବି। କିନ୍ତୁ ଜଣେ ବୟସ୍କ, ଅନ୍ୟ ଜଣେ ଯୁବତୀ। ସାହିତ୍ୟ ସେମାନଙ୍କୁ ଯୋଡ଼େ ସତ, କିନ୍ତୁ ପ୍ରଭେଦ ସୃଷ୍ଟି କରେ ଦୁଇଟି ଭିନ୍ନ ଭିନ୍ନ ପିଢ଼ି ମଧ୍ୟରେ ଆଦର୍ଶ ଓ ଚିନ୍ତାଧାରାର ପାର୍ଥକ୍ୟ। ତଥାପି ବୁଝିବାକୁ ଚେଷ୍ଟା କରନ୍ତି ଦୁହେଁ ଦୁହିଁଙ୍କୁ।

ଜେନେରେସନ୍ ଗ୍ୟାପ୍‌କୁ ମୁଖ୍ୟ ବିଷୟବସ୍ତୁ କରି ବିଶ୍ୱ ଦରବାର ଆଗରେ କିଛି ଏଭଳି କାହାଣୀ ପରଶିଦେବାକୁ ଚେଷ୍ଟା କରିଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ୱାହା’। ପ୍ରତିଷ୍ଠିତ ଅନ୍ତର୍ଜାତୀୟ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ଆସନ୍ତା ୨୩ ତାରିଖରେ ପ୍ରଦର୍ଶିତ ହେଉଛି ଶିଶିର କୁମାର ସାହୁଙ୍କ ନିର୍ଦ୍ଦେଶିତ ଏହି ୨୫ ମିନିଟ୍ ଅବଧିର ସର୍ଟ ଫିଲ୍ମ।

ଓଡ଼ିଆ ଚଳଚ୍ଚିତ୍ର, ଟେଲିଭିଜନ ଓ ମଂଚ ଦୁନିଆଁର ବରିଷ୍ଠ ଅଭିନେତା ସୁରେଶ ମିଶ୍ର ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ଏହାର ସଂଳାପ ଓ ସ୍କ୍ରିନ୍ ପ୍ଲେ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି। ତାଙ୍କ ସହ ‘ସ୍ୱାହା’ରେ ଅଭିନୟ କରିଛନ୍ତି ଶୁଭସ୍ମିତା ରଥ ଓ ପଲ୍ଲବୀ ବାର୍ବି। ଏହାର କାହାଣୀକୁ ଏକ ନିଆରା ଢଙ୍ଗରେ ଉପସ୍ଥାପିତ କରାଯାଇଥିବା ବେଳେ ଏଥିରେ ଓଡ଼ିଶାର ବହୁ ଆକର୍ଷଣୀୟ କିନ୍ତୁ ସ୍ୱଳ୍ପ ଜଣାଶୁଣା ସ୍ଥାନଗୁଡ଼ିକୁ ଦେଖିବାର ସୁଯୋଗ ମିଳିବ ବୋଲି କହିଛନ୍ତି ଶିଶିର।

କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବା ପରେ ଏହା ଭୁବନେଶ୍ୱରରେ ମଧ୍ୟ ସ୍କ୍ରିନିଂ ହେବ ବୋଲି ସୂଚନା ମିଳିଛି। କାନ୍ ଫିଲ୍ମ ଫେଷ୍ଟିଭାଲ୍ ଫ୍ରାନ୍ସର କାନ୍ ସହରରେ ଚଳିତ ବର୍ଷ ମେ’ ୧୪ରୁ ୨୫ ତାରିଖ ଯାଏଁ ଆୟୋଜିତ ହେଉଛି। ଯେଉଁଥିରେ ସାରା ବିଶ୍ୱରୁ ବିଭିନ୍ନ ବର୍ଗର ବଛାବଛା ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥାଏ।

You might also like