୮ ଘଣ୍ଟାରୁ ଅଧିକ ସମୟ ଜେରା ପରେ ଗିରଫ ହେଲେ ସୁଶାନ୍ତଙ୍କ ବନ୍ଧୁ
ମୁମ୍ବାଇ: କିଛି ଦିନର ବ୍ୟବଧାନ ପରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍କୁ ନେଇ ପୁଣି ଆକ୍ସନ ମୋଡ୍ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB)। ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ପରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍କୁ ନେଇ NCBର ଛାନ୍ଭିନ୍ ଜାରି ରହିଥିବା ବେଳେ ଗତକାଲି NCB ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ଆସିଷ୍ଟାଣ୍ଟ୍ ଡାଇରେକ୍ଟର ଋଷିକେଶ ପାୱାରଙ୍କୁ ଗିରଫ କରିଛି। ୮ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ପରେ ଏନ୍ସିବି ତାଙ୍କୁ ଗିରଫ କରିଛି। ଡ୍ରଗ୍ସ ଲିଙ୍କ୍ ମାମଲାରେ ଗତବର୍ଷ ସେପ୍ଟେମ୍ବରରେ ଏନ୍ସିବି ଋଷିକେଶଙ୍କୁ ପଚରାଉଚରା କରିଥିଲା। ତେବେ ଏହାପରେ ସେ ଫେରାର ଥିଲେ।
ମିଳିଥିବା ସୂଚନା ଅନୁସାରେ, ଟଙ୍କା ଲୋଭରେ ଋଷିକେଶ ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଉଥିଲେ। ଏନ୍ସିବି ଜେରା ବେଳେ ସୁଶାନ୍ତଙ୍କ ଷ୍ଟାଫ୍ ମେମ୍ବର ଦୀପେଶ ସାୱନ୍ତ, ଋଷିକେଶଙ୍କ ନାଁ ନେଇଥିଲେ ଓ ଏହାପରେ ଋଷିକେଶଙ୍କ ନାଁ ସାମ୍ନାକୁ ଆସିଥିଲା। ଋଷିକେଶ ସୁଶାନ୍ତଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିଲେ ବୋଲି ଦୀପେଶ ଜେରା ବେଳେ କହିଥିଲେ।
ସୁଶାନ୍ତଙ୍କ ପାଇଁ କାମ କରିବା ପୂର୍ବରୁ ଋଷିକେଶ କାମ କରୁଥିଲେ ଓ ଋଷିକେଶ ସୁଶାନ୍ତଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିଲେ ବୋଲି ଦୀପେଶ କହିଥିଲେ। ଏହାପରେ ଗତବର୍ଷ ସେପ୍ଟେମ୍ବରରେ ଋଷିକେଶଙ୍କ ଘରେ ଏନ୍ସିବି ରେଡ୍ କରିଥିଲା।
ଏନ୍ସିବିର ତନାଘନା ପରେ ଋଷିକେଶ ମୁମ୍ବାଇ sessions କୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲେ ଓ ପରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ sessions କୋର୍ଟରେ ଆବେଦନ କରିବା ପାଇଁ କହିଥିଲେ। ଏହାପରେ ଗତ ମାସରେ ତାଙ୍କର ଆବେଦନ ଖାରଜ ହୋଇଥିଲା।
ଆଗୁଆ ଜାମିନ ଆବେଦନ ଖାରଜ ହେବାପରେ ଏନ୍ସିବି ଅଧିକାରୀ ଋଷିକେଶଙ୍କ ଚେମ୍ବୁର ସ୍ଥିତ ବାସଭବନକୁ ଯାଇଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ଜଣାପଡ଼ିଲା, ସେ ଫେରାର ଅଛନ୍ତି।
ସୁଶାନ୍ତଙ୍କ ଡ୍ରିମ୍ ପ୍ରୋଜେକ୍ଟର ଆସିଷ୍ଟାଣ୍ଟ୍ ଡାଇରେକ୍ଟର ହେଉଛନ୍ତି ଋଷିକେଶ। ଋଷିକେଶଙ୍କ ଘରେ ଛାନ୍ଭିନ୍ ବେଳେ ଏକ ଲାପ୍ଟପ୍ ଜବତ ହୋଇଛି। ଗତକାଲି ସେ ଚେମ୍ବୁର ସ୍ଥିତ ବାସଭବନରେ ଥିବାବେଳେ ଏନ୍ସିବି ଅଧିକାରୀମାନେ ପହଞ୍ଚି ଜେରା ପାଇଁ ତାଙ୍କୁ ଏନ୍ସିବି ଅଫିସ୍ ଆଣିଥିଲେ। ୮ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ପରେ ଏନ୍ସିବି ତାଙ୍କୁ ଗିରଫ କରିଥିଲା।
କିଛିଦିନ ତଳେ ଡ୍ରଗ୍ସ ଲିଙ୍କ୍ ମାମଲାରେ NCB ମୁମ୍ବାଇର ଜଣେ ପାନ ବେପାରୀଙ୍କୁ ଗିରଫ କରିଥିଲା। ମୁଚ୍ଛଡ ପାନବାଲା ନାମରେ ପରିଚିତ ଏହି ଦୋକାନର ମାଲିକ ରାମଶଙ୍କର ତିୱାରୀଙ୍କୁ ଗିରଫ କରାଯାଇଥିଲା।
ଏନ୍ସିବି ଏହି ମାମଲାରେ ବଲିଉଡ୍ର ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚରା କରିଥିଲା।