ଡାକ୍ତରଖାନାରେ ଭର୍ତ୍ତି ହେଲେ ସଞ୍ଜୁ ବାବା, କହିଲେ-‘ମୋ ପାଇଁ ପ୍ରାର୍ଥନା କର’

ମୁମ୍ବାଇ: ଚିକିତ୍ସା ପାଇଁ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲ ଗଲେ କର୍କଟ ରୋଗରେ ଆକ୍ରାନ୍ତ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ।ଆଜି ପତ୍ନୀ ମାନ୍ୟତା, ଦୁଇ ଭଉଣୀ ପ୍ରିୟା ଓ ନମ୍ରତା ତଥା ପରିବାରର ଅନ୍ୟ କିଛି ସଦସ୍ୟଙ୍କ ସହ ହସ୍ପିଟାଲ ଯାଇଛନ୍ତି । ସଞ୍ଜୁ ବାବା ଫୁସ୍‌ଫୁସ୍ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିବା ପରେ ଆଗାମୀ ୩ ମାସ ଲାଗି ଚିକିତ୍ସା ପାଇଁ ସେ ଆମେରିକା ଯିବାର ଥିଲା।

ହେଲେ ବର୍ତ୍ତମାନ ସମୟରେ ପ୍ରାଥମିକ ଚିକିତ୍ସା ଲାଗି କୋକିଳାବେନ୍ ହସ୍ପିଟାଲ ଯାଇଛନ୍ତି । ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ କିଛି ଦିନ ତଳେ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସଞ୍ଜୟ । ସେଠାରେ ଚିକିତ୍ସା ପରେ କ୍ୟାନ୍ସର ଆକ୍ରାନ୍ତ ହୋଇଥିବା ପ୍ରଥମେ ଜଣା ପଡ଼ିଥିଲା ।

କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିବା ପରେ ଆସନ୍ତା ୩ମାସ ପାଇଁ ବଲିଉଡରୁ ବ୍ରେକ ନେବାକୁ ଚାହୁଁଥିବା ନେଇ ନିଜେ ଟ୍ୱିଟ୍ କରି ଜଣାଇଥିଲେ ସଞ୍ଜୟ ଦତ୍ତ। ଆଜି ଘରୁ ବାହାରିବା ପରେ ‘ମୋ ପାଇଁ ଭଗବାନଙ୍କୁ ପ୍ରାର୍ଥନା କର’ ବୋଲି କହିଛନ୍ତି।

ପତ୍ନୀ ମାନ୍ୟତା ମଧ୍ୟ କହିଛନ୍ତି, ଏହି ବିପତ୍ତିରୁ ମୁକୁଳିବା ପାଇଁ ପ୍ରାର୍ଥନାର ଆବଶ୍ୟକତା ରହିଛି। ଗତ କିଛି ବର୍ଷ ଭିତରେ ଆମ ପରିବାର ବହୁତ କିଛି ଦେଖିଛି। ମୋର ବିଶ୍ୱାସ, ଏହି ସମୟ ଦିନେ ଟଳିଯିବ।’ ଅନ୍ୟପକ୍ଷେ ସଞ୍ଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଅନୁମାନ ନ କରି  ସେମାନଙ୍କୁ ସମର୍ଥନ କରିବାକୁ ସଞ୍ଜୟଙ୍କ ଫ୍ୟାନ୍ସଙ୍କୁ ନିବେଦନ କରିଛନ୍ତି ମାନ୍ୟତା।

You might also like