ମିସେସ୍ ଶ୍ରୀଲଙ୍କାଙ୍କ ବିଜୟ ମୁକୁଟ ଜୋର ଜବରଦସ୍ତ ଛଡ଼ାଇ ନେଲେ ମିସେସ୍ ୱାର୍ଲ୍ଡ, ଏବେ ଥାନା ଭିତରେ.. ଭିଡିଓ ଭାଇରାଲ

ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଗତ ସପ୍ତାହରେ ଏକ ବ୍ୟୁଟି କୁଇନ୍ କଣ୍ଟେଷ୍ଟ ହୋଇଥିଲା। ଏଥିରେ ଜଣେ ସୁନ୍ଦରୀଙ୍କୁ ପ୍ରଥମେ ବିଜେତା ଘୋଷଣା କରାଯାଇଥିଲା। ହଲ୍‌ରେ ଏହି ଶୋ’ରେ ସାମିଲ ଥିବା ଜଣେ ମିସେସ୍ ୱାର୍ଲ୍ଡ ଉକ୍ତ ବିଜେତାଙ୍କଠାରୁ ତାଙ୍କ ବିଜୟ ମୁକୁଟ ଛଡ଼ାଇ ଆଣିଥିଲେ। ଏମିତିକି ଆଉ ଜଣେ ସୁନ୍ଦରୀଙ୍କୁ ଏହି ବିଜୟ ମୁକୁଟ ପିନ୍ଧିଥିଲେ। ମିସେସ ୱାର୍ଲ୍ଡଙ୍କ ଏଭଳି ଆଚରଣ ପାଇଁ ତାଙ୍କୁ ପୋଲିସ ଗିରଫ କରିଛି। ସର୍ବ ସମ୍ମୁଖରେ ଏଭଳି ଘଟଣା ଘଟିଥିଲା। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଉକ୍ତ ମିସେସ୍ ୱାର୍ଲ୍ଡଙ୍କ ବିରୋଧରେ ସମ୍ପତ୍ତି ନଷ୍ଟ ଏବଂ ଅନ୍ୟ ଜଣଙ୍କୁ ଆଘାତ ପହଞ୍ଚିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଗିରଫ ହୋଇଥିବା ମିସେସ ୱାର୍ଳ୍ଡ ହେଉଛନ୍ତି କେରୋଲିନ୍ ଜୁରୀ। ପୋଲିସ ତାଙ୍କର ଜଣେ ସାଥି ଚୁଲାଙ୍କୁ ମଧ୍ୟ ହେପାଜତକୁ ନେଇଛି।

ଦୁଇ ମଡେଲଙ୍କୁ ପୋଲିସ ଗିରଫ କରିଛି

ଶନିବାର ଆୟୋଜିତ ଏକ ବ୍ୟୁଟି କଣ୍ଟେଷ୍ଟରେ କେରୋଲିନ ଜୁରୀ ଏବଂ ପୂର୍ବତନ ମଡେଲ ଚୁଲା ପଦ୍ମେନ୍ଦ୍ର ସାମିଲ ହୋଇଥିଲେ। ସେମାନେ ନିଜେ ମଧ୍ୟ ରାମ୍ପର ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ପୁଷ୍ପିକା ଡିସିଲଭାଙ୍କୁ ମିସେସ୍ ଶ୍ରୀଲଙ୍କା ସୁନ୍ଦରତା ପ୍ରତିଯୋଗିତାର ବିଜେତା ଭାବେ ଘୋଷଣା କରାଯାଇଥିଲା। ଏହାପରେ କେରୋଲିନ ଜୁରୀ ଅଭିଯୋଗ କରିଥିଲେ ଯେ, ଏହି ପ୍ରତିଯୋଗିତାରେ କେବଳ ବିବାହିତା ମହିଳା ଭାଗ ନେଇପାରିବେ। ଛାଡ଼ପତ୍ର ହୋଇସାରିଥିବା ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ।

ଜବରଦସ୍ତ ବିଜେତାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ଆଣିଲେ

କେରୋଲିନଙ୍କ ଅଭିଯୋଗ- ଆୟୋଜକମାନେ କୌଣସି ଗୁରୁତ୍ୱ ଦେଲେ ନାହିଁ। ଏଥିରେ ଉତକ୍ଷିପ୍ତ ହୋଇ କେରୋଲିନ୍ ନିଜେ ଷ୍ଟେଜ୍ ଉପରକୁ ଯାଇ ପିଷ୍ପିକାଙ୍କ ମୁଣ୍ଡରୁ ଜୋର ଜବରଦସ୍ତ ବିଜୟ ମୁକୁଟ କାଢ଼ି ଆଣିଥିଲେ ଏବଂ ରନର୍ସଅପ୍ ହୋଇଥିବା ପ୍ରତିଯୋଗୀଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇ ବିଜେତା ଘୋଷଣା କରିଥିଲେ। ଏହି ଘଟଣା ନେଇ ପୁଷ୍ପିକା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଆୟୋଜକମାନେ ପୁଷ୍ପିକାଙ୍କୁ ପୁଣି ବିଜୟ ମୁକୁଟ ହସ୍ତାନ୍ତର କରିଥିଲେ।

ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, କେରୋଲିନ ଜୁରୀ ଏବଂ ଚୁଲା ପଦ୍ମେନ୍ଦ୍ରଙ୍କୁ ହେଫାଜତକୁ ନିଆଯାଇଛି। ବିଜୟ ମୁକୁଟ କାଢ଼ିବା ସମୟରେ ପୁଷ୍ପିକା ‍ଆହତ ହୋଇଥିଲେ। ତେଣୁ ନିକଟସ୍ଥ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପୁଷ୍ପିକା ଫେସବୁକରେ ଏହି ଘଟଣା ନେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ଏହି ପୁରା ଘଟଣା ତାଙ୍କ ପାଇଁ କଷ୍ଟ ଦାୟକ, ତାଙ୍କ ପ୍ରତି ଅନ୍ୟାୟ ଏବଂ ତାଙ୍କ ପ୍ରତି ଅପମାନ ଜନକ। ସେ ଆହୁରି କହିଛନ୍ତି ଏହି ମାମଲାରେ ସେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବେ।

You might also like