ଭାଇଜାନ୍ ଓ କେଆର୍‌କେ କଳିରେ ପଶିଲେ ମିକା

ମୁମ୍ବାଇ : ସଲମାନ ଖାନ ତଥା ଭାଇଜାନ୍ ଏବଂ କମାଲ ଆର ଖାନ ତଥା କେଆର୍‌କେ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ସଲମାନ ଖାନ ଏଫଆଇଆର ଦାଖଲ କରିବା ଦିନଠାରୁ ସୋସିଆଲ ମିଡିଆରେ କେଆର୍‌କେ ଗୋଟିଏ ପରେ ଗୋଟିଏ ଟ୍ୱିଟ କରିଆସୁଛନ୍ତି। ବର୍ତ୍ତମାନ ଉଭୟଙ୍କ ଏହି ଲଢେଇରେ ଗାୟକ ମିକା ସିଂ ଭାଇଜାନ୍‌ଙ୍କୁ ସମର୍ଥନ କରି ମୈଦାନକୁ ଓହ୍ଲେ‍ଇଛନ୍ତି। ପୂର୍ବରୁ ସେ କେଆର୍‌କେଙ୍କୁ ‘ଗଧ’ ଏବଂ ‘ଭୟଭୀତ ମୂଷା’ ବୋଲି କହିଥିଲେ, ଏବେ ସେ ପୁଣି ଟ୍ୱିଟ୍ କରି ତାଙ୍କୁ ଘେରିଛନ୍ତି। ମିକା ସିଂ ଜଣେ ପ୍ରଶଂସକଙ୍କ ଟ୍ୱିଟକୁ ଜବାବ ଦେଇ କହିଛନ୍ତି ଯେ ଏ କେବଳ ବଲିଉଡର ସରଳ ଲୋକଙ୍କୁ ଟାର୍ଗେଟ କରୁଛନ୍ତି।

ସୋସିଆଲ ମିଡିଆରେ ମିକା ସିଂ ବହୁତ ସକ୍ରିୟ ଥିବା ଦେଖାଯାଆନ୍ତି। ଏବେ ସେ ସଲମାନ ଖାନ ଓ କମାଲ ଆର ଖାନଙ୍କ ମଧ୍ୟରେ ଚାଲିଥିବା ବିତର୍କକୁ ଲମ୍ଫ ମାରିଛନ୍ତି। ଜଣେ ପ୍ରଶଂସକଙ୍କ ଟ୍ୱିଟ୍‌ର ଜବାବରେ ସେ ଲେଖିଛନ୍ତି- “ସେ କେବଳ ବଲିଉଡର ପ୍ରସିଦ୍ଧ ଏବଂ ସରଳ ଲୋକଙ୍କ ସହ ପଙ୍ଗା ନେବ। କିନ୍ତୁ ବାପା ସହ ନାହିଁ। ଦୟାକରି ମୋ ପୁଅକୁ କୁହ, ମୋତେ ଅନବ୍ଲକ୍ କରୁ। ମୁଁ କରଣ ଜୋହର କିମ୍ବା ଅନୁରାଗ କାଶ୍ୟପ ନୁହେଁ … ମୁଁ ତା’ର ବାପା।”

କଥା କ’ଣ କି, ଟ୍ୱିଟରରେ ଦୀର୍ଘ ବିତର୍କ ପରେ କମଲ ଖାନ ମିକା ସିଂଙ୍କୁ ବ୍ଲକ୍ କରିଥିଲେ। ସଲମାନ ଖାନଙ୍କ ପ୍ରଶଂସକମାନେ ମଧ୍ୟ ମିକାଙ୍କ ଏହି ଟ୍ୱିଟକୁ ପସନ୍ଦ କରୁଛନ୍ତି। ଏକ ସାକ୍ଷାତକାରରେ ମିକା କହିଥିଲେ ଯେ ଫିଲ୍ମର ସମୀକ୍ଷାରେ କେଆର୍‌କେ ବ୍ୟକ୍ତିଗତ ମନ୍ତବ୍ୟ ଦେବା ଉଚିତ ନୁହେଁ। ସଲମାନ ‘ରାଧେ: ୟୁଅର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ କୁ ବଦନାମ କରିବା ନେ‍ଇ ସଲମାନ୍ ଖାନ୍ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି। ସଲମାନଙ୍କ ଖାନଙ୍କ ଆଇନ ଟିମ୍ ମାନହାନୀ ମୋକଦ୍ଦମା ଦାଖଲ କରିଛନ୍ତି। କାରଣ କେଆର୍‌କେ କହିଛନ୍ତି ଯେ ସଲମାନ୍ ଖାନ୍ ଭ୍ରଷ୍ଟ, ସେ ଓ ତାଙ୍କ ବ୍ରାଣ୍ଡ ‘ବିଙ୍ଗ୍‌ ହ୍ୟୁମାନ୍’ ଠକେଇ, ହେରଫେର୍ ଓ ମନି ଲଣ୍ଡରିଂ କାରବାରରେ ଜଡିତ ଅଛନ୍ତି।

ବଲିଉଡର ଗୁପ୍ତଚର ୟୁଟ୍ୟୁବ୍ ଚ୍ୟାନେଲରେ ଥିବା ଏକ ଭିଡିଓରେ ମିକା କେଆର୍‌କେଙ୍କୁ ଗଧ ଏବଂ ମୂଷା ବୋଲି କହିଥିଲେ। ମିକାଙ୍କ କହିବାର ଥିଲା ଯେ କୌଣସି ଚଳଚ୍ଚିତ୍ର ବିଷୟରେ ଗଣମାଧ୍ୟମ ଏବଂ ସମାଲୋଚକମାନଙ୍କର କିଛି ସମୀକ୍ଷା କରିବାର ଅଧିକାର ଅଛି, କିନ୍ତୁ କୌଣସି ବ୍ୟକ୍ତିଗତ ଆକ୍ରମଣ ହେବା ଉଚିତ୍ ନୁହେଁ। ମିକା ସିଂ କହିଛନ୍ତି ଯେ ଯଦି କେବେ କେଆର୍‌କେ ମୋ ଉପରେ ମନ୍ତବ୍ୟ ଦିଏ, ‘ମୋ ପକ୍ଷରୁ କୌଣସି ମାମଲା ଦାଖଲ ହେବ ନାହିଁ, ସିଧା ଚାପୁଡ଼ା ବସିବ। କେଆର୍‌କେ ଏତେ ବଡ ମୂସା ଯେ ସେ ତାଙ୍କ ବିଲରୁ ବାହାରି ପାରିବେ ନାହିଁ କାରଣ ସେ ଜାଣନ୍ତି ଯେ ସେ ବାହାରକୁ ଆସିବା ମାତ୍ରେ ଚାପୁଡ଼ା ବସିବ।

You might also like