ବଲିଉଡ୍‌ ଷ୍ଟାର୍‌ଙ୍କଠାରୁ ଆରମ୍ଭ କରି ନେତା, ଜନତା ବା କ୍ରିକେଟର୍‌ ସବୁଠି Me@20 କ୍ରେଜ୍‌

ଭୁବନେଶ୍ୱର: କରୋନା ସଂକଟ ବେଳେ ଭବିଷ୍ୟତକୁ ନେଇ ସମସ୍ତେ ବେଶ୍ ଚିନ୍ତିତ ହୋଇପଡ଼ୁଛନ୍ତି। ତେବେ ୟା ଭିତରେ ଅଳ୍ପ କିଛି ଫୁରସତ୍ ସମୟ କାଢ଼ି, ନିଜ ଅତୀତକୁ ମନେ ପକାଉଛନ୍ତି ସେଲିବ୍ରିଟି ଓ ସାଧାରଣ ଜନତା।  ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ହାଶ୍ ଟ୍ୟାଗ୍ ମି ଆଟ୍ ଟ୍ୱେଣ୍ଟି। ତେବେ ଏଥିରେ କେଉଁମାନେ ଭାଗ ନେଇଛନ୍ତି ଓ କେଉଁଭଳି ଫଟୋ ଛାଡ଼ିଛନ୍ତି ଆସନ୍ତୁ ଜାଣିବା।

ସେଲିବ୍ରିଟିଙ୍କଠୁ ସାଧାରଣ ଜନତା  ସବୁଠି ଏବେ ମି ଆଟ୍ ଟ୍ୱେଣ୍ଟିର କ୍ରେଜ୍।  ସୋସିଆଲ୍ ମିଡିଆରେ ଛାଇ ଯାଇଛି ହାଶ୍‌ଟ୍ୟାଗ୍ ମି ଆଟ୍ ଟ୍ୱେଣ୍ଟି। ୨୦ ବର୍ଷ ବୟସରେ କିଏ କେମିତି ଦେଖାଯାଉଥିଲେ, କେଉଁଠି ଥିଲେ, କଣ କରୁଥିଲେ? ନିଜ ଆଦ୍ୟ ଯୌବନର ଫଟୋ ସବୁ ଶେୟାର୍ କରି, ନିଜେ ସ୍ମୃତିରେ ହଜିବା ସହ ଫ୍ୟାନ୍‌ମାନଙ୍କୁ ବି ଜାଣିବାର ସୁଯୋଗ ଦେଉଛନ୍ତି
ସେଲିବ୍ରିଟି।

ବଲିଉଡ୍ ଅଭିନେତା ଅଲି ଫଜଲ୍‌ଙ୍କ କଥା ଦେଖନ୍ତୁ। ୨୦ ବର୍ଷ ବୟସରେ ଡୁନ୍ ସ୍କୁଲ୍‌ରେ ପଢ଼ିଲା ବେଳେ ସାଙ୍ଗମାନଙ୍କ ସହ ଉଠାଇଥିବା ତାଙ୍କର ଫଟୋକୁ ଟ୍ୱିଟ୍ କରିଛନ୍ତି ଅଲି। ଭର୍ସାଟାଇଲ୍ ଅନୁପମ ଖେର୍ ବି ତାଙ୍କ ଯୁବାବସ୍ଥାର ଫଟୋ ଛାଡ଼ିଛନ୍ତି ଏହି ହାଶ୍ ଟ୍ୟାଗ୍‌ରେ।

୧୯୯୯ ମସିହାରେ ଫେମିନା ମିସ୍ ଇଣ୍ଡିଆ ୟୁନିଭର୍ସ କ୍ରାଉନ ଜିତିବା ବେଳର ଫଟୋ ସେୟାର୍ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଗୁଲ୍ ପନାଗ୍।

ଏଥିସହ ଆଉ ଏକ ପୋଷ୍ଟରେ ସେ ୨୦ ବର୍ଷ ଓ ୪୦ ବର୍ଷ ବୟସର ଦୁଇଟି ଫଟୋକୁ ଛାଡ଼ିଛନ୍ତି। ନିଜ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଅଭିନେତ୍ରୀ ଟିସ୍‌କା ଚୋପ୍ରା, କ୍ରିକେଟର୍ ବୀରେନ୍ଦ୍ର ସେହଓ୍ୱାଗ୍ ଓ ସୋଏବ୍ ଅଖ୍ତର ବି ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି।

ତେବେ ପୂର୍ବରୁ ଅଭିନେତା ଅଭିନେତ୍ରୀ ମାନେ ବିଭିନ୍ନ ଚ୍ୟାଲେଞ୍ଜରେ ସାମିଲ କରୁଥିବା ବେଳେ, ମି ଆଟ୍ ଟ୍ୱେଣ୍ଟିରେ ସାମ୍ବାଦିକ, ରାଜନେତା ଓ ବ୍ୟୁରୋକ୍ରାଟ୍‌ମାନେ ବି ଯୋଡ଼ିହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।


ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ସହ ତାଙ୍କ ପତ୍ନୀ ତଥା ବିଶିଷ୍ଟ ସାମ୍ବାଦିକା ସାଗରିକା ଘୋଷ, ବର୍ଖା ଦତ୍ତ, ନିଧି ରାଜ୍‌ଦାନ୍, ଅଞ୍ଜନା ଓମ୍ କଶ୍ୟପ ଏଥିରେ ଭାଗ ନେଇ ଫଟୋ ଛାଡ଼ିଛନ୍ତି।

ଏଥିସହ ଓଡ଼ିଆଙ୍କ ଭିତରେ ଭୁବନେଶ୍ୱର ଡିସିପି ଅନୁପ ସାହୁ, ଟ୍ରାଫିକ୍ ଡିସିପି ସାଗରିକା ନାଥ, ବରିଷ୍ଠ ପ୍ରଶାସକ ଅରବିନ୍ଦ ପାଢ଼ୀ, ଏନ୍‌ଡିଆଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଏହି ଟ୍ରେଣ୍ଡରେ ଦେଖିବାକୁ ମିଳୁଛି।

ତେବେ କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା, ହଲିଉଡ୍ ଷ୍ଟାର୍ ଟମ୍ କ୍ରୁଜ୍‌ଙ୍କ ଏକ ଫଟୋ ଛାଡ଼ି ବ୍ୟଙ୍ଗାତ୍ମକ ଢଙ୍ଗରେ ସମୟ ଭଳି ବାଳ ମଧ୍ୟ ଉଡ଼ିଯାଏ ବୋଲି ଟ୍ୱିଟ୍ କରିଛନ୍ତି।

You might also like