ନୀରବି ଗଲା ଭାରତୀୟ ଶାସ୍ତ୍ରୀୟ ସଂଗୀତର ଆଉ ଏକ ସୁଲଳିତ ସ୍ୱର

ମମ୍ବାଇ: ସବୁଦିନ ପାଇଁ ନିରବୀ ଗଲା ଭାରତୀୟ ଶାସ୍ତ୍ରୀୟ ସଂଗୀତର ଆଉ ଏକ ସୁଲଳିତ ସ୍ୱର। ବର୍ଷ ୨୦୨୦ ଅନେକ ବ୍ୟକ୍ତିଙ୍କୁ ଆମ ପାଖରୁ ଛଡ଼ାଇ ନେଇଥିବା ବେଳେ ୨୦୨୧ ଆରମ୍ଭରୁ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ଭାରତର ପ୍ରଖ୍ୟାତ ଶାସ୍ତ୍ରୀୟ ସଂଗୀତ ଗାୟକ ଉସ୍ତାଦ ଗୁଲାମ ମୁସ୍ତଫା ଖାନ୍‌। ଆଜି ୯୦ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ବୋହୂ ନମ୍ରତା ଗୁପ୍ତା ଖାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁସ୍ତଫା ଖାନ୍‌ ଆଜି ଦିନ ୧୨.୩୭ ଶେଷ ନିସ୍ୱାସ ତ୍ୟାଗ କରିଥିବା ସୂଚନା ଦେଇଛନ୍ତି ନମ୍ରତା।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି “ ଆଜି ସକାଳେ ସେ ଭଲ ଥିଲେ। ଘରେ ୨୪ ଘଣ୍ଟା ତାଙ୍କ ପାଖରେ ନର୍ସ ରହିଛନ୍ତି। କିନ୍ତୁ ହଠାତ୍‌ ସେ ଆଜି ବାନ୍ତି କରିଥିଲେ.ମୁଁ ତୁରନ୍ତ ତାଙ୍କ ପାଖକୁ ଦୌଡ଼ି ଯାଇଥିଲି। ଏହାପରେ ତାଙ୍କ ଆଖି ବନ୍ଦ ହୋଇଯାଇଥିଲା, ସେ ଏକଦମ୍‌ ଧୀରେ ଧୀରେ ନିଶ୍ୱାସ ଛାଡ଼ୁଥିଲେ। ମୁଁ ଡାକ୍ତରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ଡାକ୍ତର ଆସିଲାବେଳକୁ ତାଙ୍କର ବିୟୋଗ ହୋଇସାରିଥିଲା।”

ଉତ୍ତର ପ୍ରଦେସର ବଦାୟୁଁରେ ଜନ୍ମଗ୍ରହଣ କରିଥିବା ଗୁଲାମ ମୁସ୍ତଫା ଖାନ ରାମପୁର ସାହସ୍ୱନ ସଂଗୀତ ପରିବାରରୁ ଆସିଥିଲେ। ସଂଗୀତ ଜଗତ ପ୍ରତି ତାଙ୍କ ଅବଦାନ ପାଇଁ ତାଙ୍କୁ ପଦ୍ମଭୂଷଣ, ସଂଗୀତ ନାଟକ ଆକାଡେମି ଏବଂ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ତାଙ୍କ ବିୟୋଗ ପରେ ଭାରତୀୟ ସଂଗୀତ ଜଗତରେ ଶୋକରେ ଛାୟା ଖେଳାଇଯାଇଛି। ସ୍ୱର କୋକିଳ ଲତାମଙ୍ଗେସ୍କରଙ୍କ ସମେତ ସଂଗୀତ ଜଗତ ସହତି ଜଡ଼ିତ ଅନେକ ବ୍ୟକ୍ତି ବିଶେଷ ମୁସ୍ତଫା ଖାନ୍‌ଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି। ଲତା ଟ୍ୱିଟ୍ କରି ଲେଖିଛନ୍ତି “ ମୋତେ ଏବେ ଏବେ ଖବର ମିଳିଲା ଯେ ମହାନ ଶାସ୍ତ୍ରୀୟ ସଂଗୀତ ଗାୟକ ଉସ୍ତାଦ ଗୁଲାମ ମୁସ୍ତଫା କାନ୍‌ ସାହେବ ଏବେ ଏହି ଦୁନିଆରେ ନାହାନ୍ତି। ଖବର ଶୁଣି ମୋତେ ବହୁତ ଦୁଃଖ ଲାଗିଲା। ସେ ଜଣେ ଭଲ ଗାୟକ ସହିତ ଭଲ ମଣିଷ ବି ଥିଲେ। ମୋ ଭାଣିଜୀ ମଧ୍ୟ ଖାନ୍‌ ସାହେବଙ୍କ ଠାରୁ ସଂଗୀତ ଶିଖିଛି। ମୁଁ ତାଙ୍କଠାରୁ କିଛି ସଂଗୀତ ଶିଖିଥିଲି। ତାଙ୍କ ବିୟୋଗରେ ସଂଗୀତ ଦୁନିଆକୁ ବହୁତ ବଡ଼ କ୍ଷତି ହୋଇଛି। ମୁଁ ତାଙ୍କ ଅମର ଆତ୍ମା ପାଇଁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ”

ଲତାଙ୍କ ସମେତ ଏର୍‌ ଆର୍‌ ରେହମାନେ, ବିଶାଲ ଦଦଲାନୀ ଓ ଅନ୍ୟ ସଂଗୀତଜ୍ଞମାନେ ମଧ୍ୟ ମୁସ୍ତଫା କାନ୍‌ଙ୍କ ବିୟୋଗରେ ଶୋକପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ସଂଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନୀ ଟ୍ୱିଟ୍ କରି ଲେଖିଛନ୍ତି ” ଆଉ ଏକ ବଡ଼ କ୍ଷତି। ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ନିଜେ ହିଁ ଏକ ଥିଲେ। ତାଙ୍କ ପରିବାର ପ୍ରତି ମୋର ସବବେଦନା।”

 

You might also like