ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ମୁମ୍ବାଇ: ଯଦିଓ ‘ବିଗ୍ ବସ୍ ୧୪’ରୁ ପ୍ରଖ୍ୟାତ ବଲିଉଡ୍ ଗାୟକ କୁମାର ସାନୁଙ୍କ ପୁଅ ଜାନ୍ କୁମାର ସାନୁ ବାହାରି ଯାଇଛନ୍ତି, ହେଲେ ବ୍ୟକ୍ତିଗତ ଜୀବନରେ ସେ ଚର୍ଚ୍ଚାରେ ଅଛନ୍ତି। କିଛି ଘଟଣାକୁ ନେଇ କୁମାର ସାନୁ ଓ ଜାନ୍ କୁମାର ମୁହାଁମୁହିଁ ହୋଇଛନ୍ତି। ଏପରିକି ଜାନ୍‌ କୁମାରଙ୍କୁ ତାଙ୍କ ନାମ ବଦଳାଇବା ଉପରେ ବିଚାର କରିବା ଉଚିତ୍‌ ବୋଲି କୁମାର ସାନୁ କହିବାକୁ ପଛାଇ ନାହାନ୍ତି।

ଜାନ୍‌ ଯେତେବେଳେ ଛୋଟ ଥିଲେ, ସେତେବେଳେ ତାଙ୍କ ବାପାମା’(କୁମାର ସାନୁ ଓ ରୀତା ଭଟ୍ଟାଚାର୍ଯ୍ୟ)ଙ୍କ ତଲାକ୍‌ ହୋଇଯାଇଥିଲା।

ଜାନ୍ ଏକ ଇଣ୍ଟରଭିୟୁରେ କହିଥିଲେ, ମୋ ଜୀବନରେ ବାପାଙ୍କର କୌଣସି ଭୂମିକା ନାହିଁ। ସେ କେବେ ମୋତେ ସମର୍ଥନ କରିଥିବା କିମ୍ବା ମୋତେ ପ୍ରମୋଟ କରିବାକୁ ଆଗେଇ ଆସିଥିବା କଥା ମୁଁ ଜାଣି ନାହିଁ।

ଜାନ୍‌ଙ୍କ‌ ଏଭଳି ବୟାନ ଉପରେ ଜବାବ ରଖିଛନ୍ତି କୁମାର ସାନୁ। The Times Of India ସହ ଆଲୋଚନା ବେଳେ କୁମାର ସାନୁ କହିଛନ୍ତି, ‘ମୁଁ ବିଗ୍‌ବସ୍‌ରେ ଏକ ଇଣ୍ଟରଭିୟୁରେ ସେ(ଜାନ୍) କହୁଥିବା ଜାଣିବାକୁ ପାଇଲି ଯେ, ତାଙ୍କ ପାଇଁ ତାଙ୍କ ମା’(ରୀତା ଭଟ୍ଟାଚାର୍ଯ୍ୟ) ହିଁ ଉଭୟ ମା’ ଓ ବାପା ଭଳି। ଏଥିପାଇଁ ମୁଁ ତାଙ୍କୁ ବହୁତ ପ୍ରଶଂସା କରୁଛି। କାହିଁକି ନା ସେ ତାଙ୍କ ମା’ଙ୍କୁ ଏତେ ସମ୍ମାନ କରୁଛନ୍ତି। ସେ ଏମିତି ତାଙ୍କ ମା’ଙ୍କୁ ସବୁବେଳେ ସମ୍ମାନ କରନ୍ତୁ ବୋଲି ମଧ୍ୟ ମୁଁ ଚାହୁଁଛି।

ସେ କହିଛନ୍ତି, ଜାନ୍‌ଙ୍କ ପାଇଁ ମୁଁ ଇଣ୍ଡଷ୍ଟ୍ରିର କିଛି ଲୋକଙ୍କ ସହ କଥା ହୋଇଥିଲି। କିନ୍ତୁ ଏହା ସେମାନଙ୍କ ଉପରେ ନିର୍ଭର କରୁଛି, ସେମାନେ ତାଙ୍କୁ କାମ ଦେବାକୁ ଚାହୁଁଛନ୍ତି ନା ନାହିଁ। ଏପରିକି ମୁଁ ଜାନ୍‌ଙ୍କୁ ମୋର କିଛି ଲାଇଭ୍ ପ୍ରୋଗ୍ରାମରେ ଗାଇବାକୁ ମଧ୍ୟ ଅନୁମତି ଦେଇଛି।

କୁମାର ସାନୁ ଆହୁରି କହିଛନ୍ତି, ସେ ତାଙ୍କ ନାମ ଜାନ୍‌ ରୀତା ଭଟ୍ଟାଚାର୍ଯ୍ୟ ଲେଖିବା ଉଚିତ୍‌। ନା କି ଜାନ୍‌‌ କୁମାର ସାନୁ। କାରଣ ରୀତା ଜୀ ତାଙ୍କ ପାଇଁ ବହୁତ କିଛି କରିଛନ୍ତି।

ସୂଚନାଥାଉ କି, ‘ବିଗ୍ ବସ୍ ୧୪’ରେ ଜାନ୍‌ କୁମାର ମରାଠୀ ଭାଷାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ଘଟଣା ପରେ ଶୋ’ ପକ୍ଷରୁ ଏପରିକି ଜାନ୍‌ କୁମାର ମଧ୍ୟ ଏଥିପାଇଁ କ୍ଷମା ମାଗିଥିଲେ।

You might also like