ଅଭିନେତା ପାର୍ଥଙ୍କୁ କରୋନା, ବନ୍ଦ ହେଲା ‘କସୌଟୀ ଜିନ୍ଦେଗୀ କେ’ ଶୁଟିଂ

ମୁମ୍ବାଇ: ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଜଣେ ପ୍ରସିଦ୍ଧ ଅଭିନେତା କରୋନା ସଂକ୍ରମିତ ନେଇ ଖବର ସାମ୍ନାକୁ ଆସିଛି। ସିରିୟଲ୍‌ ‘କସୌଟୀ ଜିନ୍ଦେଗୀ କେ ୨’ରେ ଅନୁରାଗ ବାସୁ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ପାର୍ଥ ସମଥାନ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପାର୍ଥ କରୋନାରେ ଆକ୍ରାନ୍ତ ନେଇ ଗତକାଲି ଜଣାପଡ଼ିବା ପରେ ମୁମ୍ବାଇ ଫିଲ୍ମ ସିଟିରେ ଚାଲିଥିବା ସିରିୟଲ୍‌ର ଶୁଟିଂକୁ ବନ୍ଦ କରି ଦିଆଯାଇଛି।

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଖବରକୁ ପାର୍ଥ ଶେଆର କରିଥିଲେ। ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରିନେବା ପାଇଁ ସେ ଅନୁରୋଧ କରିବା ସହ ତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଛି ବୋଲି ସେ କହିଛନ୍ତି। ଡାକ୍ତରଙ୍କ ଗାଇଡାନ୍ସ ଅନୁସାରେ, ସେ ଏବେ ସେଲ୍ଫ କ୍ୱାରେଣ୍ଟିନ୍‌ରେ ଅଛନ୍ତି।

ସିରିୟଲ୍‌ ‘କସୌଟୀ ଜିନ୍ଦେଗୀ କେ ୨’ର ପ୍ରଡ୍ୟୁସର ଏକ୍‌ତା କପୁର ମଧ୍ୟ ପାର୍ଥ କରୋନାରେ ଆକ୍ରାନ୍ତ ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହାସହ ସେ ବାଲାଜୀ ଟେଲିଫିଲ୍ମସ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିକୁ ଶେଆର୍‌ କରିଛନ୍ତି।

ପାର୍ଥ ଟିଭି ଶୋ’ ’‘Gumrah: End Of Innocenc”,“Savdhaan India”, “Pyaar Tune Kya Kiya” ରେ ଅଭିନୟ କରି ସାରିଛନ୍ତି। ‘କସୌଟୀ ଜିନ୍ଦେଗୀ କେ ୨’ରେ ଅନୁରାଗ ବାସୁ ଚରିତ୍ରରେ ଅଭିନୟ କରି ସେ ବେଶୀ ଚର୍ଚ୍ଚାକୁ ଆସିଥିଲେ। ଏହି ସିରିୟଲ୍‌ରେ ପ୍ରେରଣା ଚରିତ୍ରରେ ଅଭିନୟ କରିଛନ୍ତି ଏରିକା ଫର୍ଣ୍ଣାଡିଜ୍‌। ଏହି ୨ ଜଣ ସିରିୟଲ୍‌ରେ ଏହି ଚରିତ୍ରରେ ପ୍ରମୁଖ ଭୂମିକା ନିଭାଉଛନ୍ତି।

You might also like