ଦୋସ୍ତାନା-୨ରୁ ବାହାରିଲେ କାର୍ତ୍ତିକ ଆର୍ଯ୍ୟନ

ନୂଆଦିଲ୍ଲୀ: ବଲିଉଡ୍ ଜଗତର ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କରଣ ଜୋହରଙ୍କ ସିନେମା ‘ଦୋସ୍ତାନା-୨’ରେ ଲିଡ୍ ରୋଲରେ ଅଭିନୟ କରୁଥିବା କାର୍ତ୍ତିକ ଆର୍ଯ୍ୟନଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ସିନେମାର ଘୋଷଣା ୨୦୧୮ରେ ହୋଇଥିଲା। ୨୦୦୮ର ହିଟ୍ ଫିଲ୍ମ ‘ଦୋସ୍ତାନା’ର ଏହା ପରବର୍ତ୍ତି ସଂକରଣ ଥିଲା। ଏଥିରେ ପ୍ରିୟଙ୍କା ଚୋପଡା, ଜନ ଆବ୍ରାହମ ଓ ଅଭିଶେକ ବଚ୍ଚନ ମୁଖ୍ୟ ଭୂମିକା ନିଭାଇ ଥିଲେ। ସିନେମାର ପରବର୍ତ୍ତି ସଂକରଣରେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଲିଡ୍ ରୋଲ ପାଇଁ ମନୋନୀତ ହୋଇଥିଲେ। ଏହାଛଡ଼ା ନବାଗତ ଲକ୍ଷ ମଧ୍ୟ ଏହି ସିନେମାରେ ବଲିଉଡ ଜଗତରେ ପାଦ ଥାପିବାକୁ ଥିଲେ।

କରଣ ଜୋହରଙ୍କ ଧର୍ମା ପ୍ରଡକସନ ସହ ଜଡ଼ିତ ଏକ ସୂତ୍ର ଏହି କଥାକୁ ସୁନିଶ୍ଚିତ କରି ସୂଚନା ଦେଇଛି। ଏହି ସୂତ୍ର ମୁତାବିକ ୨୦ଦିନର ସୁଟିଂ ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଆଗକୁ ତାରିଖ ଦେବାକୁ ମନାକରିଦେଲେ। ସେ କହିଲେ ଯେ ତାଙ୍କ ପାଖରେ ସମୟ ନାହିଁ, ଆଗକୁ ତାଙ୍କ ପାଖରେ ବହୁତ କାମ ଅଛି। ଅନ୍ୟ ଏକ ସୂତ୍ରରୁ ଜଣାପଡୁଛି ଯେ କାର୍ତ୍ତିକଙ୍କୁ ଏହି ସିନେମାର ସ୍କ୍ରିପ୍ଟ ପସନ୍ଦ ଆସି ନ ଥିଲା। ସୁଟିଂ ସମୟରେ ଡାଇରେକ୍ଟର ଓ ତାଙ୍କ ଭିତରେ ସବୁବେଳେ କଥା କଟାକଟି ଚାଲୁଥିଲା। ଫଳରେ କରନ ଜୋହର ଓ ତାଙ୍କ ଟିମକୁ କାର୍ତ୍ତିକଙ୍କ ଏହି ନୀତି ପସନ୍ଦ ଆସିଲା ନାହିଁ। ଫଳରେ ସେମାନେ ଆଗକୁ ତାଙ୍କ ସହ କାମ କରିବାକୁ ମନା କରିଦେଲେ। ତେବେ ବର୍ତ୍ତମାନ କଥା ଏଇଠି ଯେ ସିନେମାରେ କାର୍ତ୍ତିକଙ୍କ ବଦଳରେ ଆଉ କାହାକୁ ନିଆଯିବ, ଏହା ଉପରେ କୌଣସି ସୂଚନା ଆଜିଯାଏ ମିଳିନି।

ପ୍ରକାଶ ଥାଉକି ୨୦୧୯ ନଭେମ୍ବରରେ କାର୍ତ୍ତିକ ଆର୍ଯ୍ୟନ ଓ ଜାହ୍ନବୀ କପୁର ଏହି ସିନେମାର ସୁଟିଂ ଆରମ୍ଭ କରିଥିଲେ। ଅମୃତସରରୁ ଏହାର ଅନେକ ଫଟୋ ସାମ୍ନାକୁ ଆସିଥିଲା। କାର୍ତ୍ତିକ ଆର୍ଯ୍ୟନ ମଧ୍ୟ କରଣ ଜୋହରଙ୍କ ସହ ଏକ ଫଟୋ ସେଆର କରିଥିଲେ, ଯେଉଁଥିରେ ସେ ସିନେମାରେ ଅଭିନୟ ପୂର୍ବରୁ କରଣ ଜୋହରଙ୍କ ଠାରୁ ଆଶୀର୍ବାଦ ନେଉଥିଲେ। ଏହାପରେ ଟିମ୍ ସିନେମାର ଦ୍ୱିତୀୟ ସୁଟିଂ କ୍ରିସମାସ ଅବସରରେ ଶେଷ କରିଥିଲା।

ସୂଚନା ଥାଉକି, କାର୍ତ୍ତିକ ଆର୍ଯ୍ୟନ ଏବେ ରାମ ମାଧୱାନୀଙ୍କ ସିନେମା ‘ଧମାକା’ର କାମ ସମ୍ପୂର୍ଣ୍ଣ କରିଛନ୍ତି। ସେ ମଧ୍ୟ ଖୁବ ଶୀଘ୍ର ସିନେମା ‘ଭୁଲ ଭୁଲେୟା’ରେ ତବୁ ଏବଂ କିୟାରା ଆଡଭାଣୀଙ୍କ ସହ ନଜର ଆସିବେ। ତେବେ ସିନେମାର ସୁଟିଂ ଏବେ ଅଧାରେ ଅଟକି ଯାଇଛି।

You might also like