ଚତୁର୍ଥ ଥର ପରୀକ୍ଷା ପରେ କନିକାଙ୍କ ରିପୋର୍ଟ ପଜିଟିଭ୍, ଚିନ୍ତାରେ ପରିବାର
ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ୍ ଗାୟିକା କନିକା କପୁରଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଚତୁର୍ଥ ଥର ପରୀକ୍ଷା ପରେ ବି କନିକାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ଏନେଇ ତାଙ୍କ ପରିବାର ଲୋକେ ଖୁବ୍ ବ୍ୟସ୍ତ ହୋଇପଡ଼ିଛନ୍ତି। କନିକା ବର୍ତ୍ତମାନ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସରେ ଚିକିତ୍ସିତ ହେଉଛନ୍ତି। ଏନେଇ କନିକାଙ୍କ ପରିବାର ଡାକ୍ତରଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଥିଲେ।
ମେଡ଼ିକାଲର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ମେଡିକାଲରେ କନିକାଙ୍କର ଠିକ୍ ସମୟରେ ଯତ୍ନ ନିଆଯାଉଛି। ତାଙ୍କୁ ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି। କନିକାଙ୍କର ଯତ୍ନ ନେବା ପାଇଁ ଏକ ନର୍ସକୁ ରଖା ଯାଇଛି। ପ୍ରତି ଚାରି ଘଣ୍ଟାରେ ଜଣେ ଲେଖାଏଁ ନର୍ସଙ୍କୁ ସିପ୍ଟ ଅନୁଯାୟୀ ଚେଞ୍ଜ କରାଯାଉଛି। କନିକାଙ୍କ ପାଇଁ ଏକ ସ୍ୱତନ୍ତ୍ର ନର୍ସକୁ ରଖାଯାଇଛି। ଔଷଧଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ କାମ ଏହି ନର୍ସ କରିଥାନ୍ତି। କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, କନିକାଙ୍କୁ ମେଡ଼ିକାଲରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।
କିନ୍ତୁ କନିକାଙ୍କ ପରିବାର ଏଥିରେ ସନ୍ତୁଷ୍ଟ ନୁହଁନ୍ତି। କିଛି ଦିନ ତଳେ ତାଙ୍କ ପରିବାର ଅଭିଯୋଗ କରିଥିଲେ ଯେ ମେଡ଼ିକାଲରେ କନିକାଙ୍କ ଠିକ୍ ସେ ଚିକିତ୍ସା କରାଯାଉନାହିଁ। ଆହୁରି ମଧ୍ୟ କହିଛନ୍ତି, ଯଦି ଲକ୍ଡାଉନ୍ ନଥାନ୍ତା ତେବେ କାନିକାଙ୍କୁ ଏକ ଭଲ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥାନ୍ତୁ।
ପ୍ରକାଶ ଥାଉ କି, କନିକା କପୁର ମାର୍ଚ୍ଚ ୯ରେ ଲଣ୍ଡନରୁ ଭାରତ ଫେରିଥିଲେ। ଏହାପରେ ସେ ଅନେକ ପାର୍ଟିରେ ଯୋଗ ଦେଇଛନ୍ତି। ତେବେ ସେ କରୋନା ସଂକ୍ରମିତ ଥିବା ଜାଣି ମଧ୍ୟ ଲୋକଙ୍କ ସହ ମିଳାମିଶା କରିବା ସହ ଏକ ହୋଟେଲରେ ରହିଥିବା କୁହାଯାଉଥିଲା। ଏହାପରେ ୨୦ ମାର୍ଚ୍ଚରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଆଇସୋଲେସନରେ ରଖାଯାଇଛି।