• translate
Pramod Behera

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପାସପୋର୍ଟ ରିନ୍ୟୁଆଲ୍ ମାମଲାରେ ବମ୍ବେ ହାଇକୋର୍ଟରୁ ମୁକ୍ତି ମିଳିପାରିନି। ମାନ୍ୟବର ହାଇକୋର୍ଟ୍ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମନାକରିବା ସହିତ ଜୁନ୍ ୨୫ ପର୍ଯ୍ୟନ୍ତ ଘୁଞ୍ଚେଇ ନେଇଛନ୍ତି। ରିଜନାଲ୍ ପାସ୍‌ପୋର୍ଟ୍ ଅଫିସ୍ କଙ୍ଗନାଙ୍କ ପାସ୍‌ପୋର୍ଟ ଉପରେ ଆପତ୍ତି ଉଠାଇ ରିନ୍ୟୁ କରିବା ନେଇ ମନାକରି ଦେଇଥିଲା। ଫଳରେ ତୁରନ୍ତ ଶୁଣାଣି ପାଇଁ କଙ୍ଗନା ବମ୍ବେ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ।

ଅଭିନେତ୍ରୀ କଙ୍ଗନା ପିଟିସନ୍ ଦାଖଲ କରି କହିଥିଲେ ଯେ ଏହି ମାମଲାର ତୁରନ୍ତ ଶୁଣାଣି କରାଯାଉ, କାରଣ ତାଙ୍କୁ ଫିଲ୍ମ ‘ଧାକଡ୍’ ସୁଟିଂ ପାଇଁ ବିଦେଶ ଯିବାର ଅଛି। ତେବେ କୋର୍ଟ ତୁରନ୍ତ କୌଣସି ପ୍ରକାର ରିଲିଫ ଦେବାକୁ ମନା କରି ଦେଇଛନ୍ତି। ଆଉ ଏକ ନୂଆ ଢଙ୍ଗରେ ଆବେଦନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ କହିବା କଥା କଙ୍ଗନା ଭୁଲ୍ ଉପାୟରେ ପିଟିସନ୍‌ ଦାଖଲ କରିଛନ୍ତି। ଏଠାରେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ ଯେତେବେଳେ ପାସ୍‌ପୋର୍ଟର ଅବଧି ଶେଷ ହେଉଛି, ଏହା ଜାଣି ମଧ୍ୟ ଶେଷ ମୁହୂର୍ତ୍ତରେ ପିଟିସନ୍ କାହିଁକି ଦାଖଲ କରାଗଲା। ଏଠାରେ ପ୍ରକାଶ ଥାଉକି କଙ୍ଗନାଙ୍କ ବିରୋଧରେ ରାଜଦ୍ରୋହ ମାମଲା ଦାଖଲ ହେବା ପରେ ତାଙ୍କ ପାସ୍‌ପୋର୍ଟ ରିନ୍ୟୁଆଲ୍ ହୋଇ ନ ଥିଲା।

ଏହି ମାମଲାରେ ଓକିଲ ରିଜ୍‌ଭାନ୍ ସିଦ୍ଦିକୀ କୋର୍ଟରେ କଙ୍ଗନା ରଣୱତ୍‌ଙ୍କ ପକ୍ଷ ରଖିଥିଲେ। ସେ କହିଥିଲେ ଯେ ପାସ୍‌ପୋର୍ଟ ଅଫିସ୍ ରିନ୍ୟୁ ପାଇଁ ଫର୍ମ ଭରିବା ସମୟରେ ଏହା ହୋଇପାରିବ ନାହିଁ ବୋଲି କହିଛି। ତେବେ ଏ ସମ୍ବନ୍ଧରେ କୌଣସି ଲିଖିତ ପ୍ରମାଣ ନ ଥିବା ବେଳେ ସବୁକିଛି ମୌଖିକ ଆକାରରେ ହୋଇଥିଲା। ପାସପୋର୍ଟ ଅଥୋରିଟି କହିଛି ଯେ ଏହି ମାମଲାରେ ଯଦି ହାଇକୋର୍ଟଙ୍କ ତରଫରୁ ଏନ୍‌ଓସି ମିଳିପାରେ ତେବେ ଏହାକୁ ରିନ୍ୟୁ କରାଯିବ।

ଏ ସମ୍ବନ୍ଧରେ ମାନ୍ୟବର ହୋଇକୋର୍ଟ କହିଛନ୍ତି ଯେ, “ଦରଖାସ୍ତରେ ଏପରି କିଛି ହୋଇ ନାହିଁ, ଯାହା ହୋଇଛି ସବୁ ମୌଖିକ। ପାସ୍‌ପୋର୍ଟ୍ ରିନ୍ୟୁର କାମ ପାସପୋର୍ଟ ଅଥୋରିଟିର କୌଣସି ପିଏସ୍‌ଆଇର ନୁହେଁ।”

Other Stories