ଥଲାଇଭିର ଟ୍ରେଲର୍ ରିଲିଜ୍‌ ପରେ ମଞ୍ଚରେ କାନ୍ଦି ପକାଇଲେ କଙ୍ଗନା

ମୁମ୍ୱାଇ: ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ଥଲାଇଭିର ଟ୍ରେଲର୍। ସାହାସୀ ଓ ବଳିଷ୍ଠ ଅବତାରରେ ନଜର ଆସିଛନ୍ତି କଙ୍ଗନା ରାଣାୱତ୍। ପୁଣି ଥରେ ପରଦା ଉପରେ କଙ୍ଗନାଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଦିବଂଗତ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କାହାଣୀକୁ ନେଇ ଫିଲ୍ମ ଆଧାରିତ। ଜୟଲଳିତାଙ୍କ ଫିଲ୍ମ, ରାଜନୈତିକ ଓ ବ୍ୟକ୍ତିଗତ ଜୀବନର ବିଭିନ୍ନ ବିବାଦୀୟ ଘଟଣା ସିଲଭର୍ ସ୍କିନ୍‌ରେ ଦେଖିବାକୁ ମିଳିବ।

ଫିଲ୍ମରେ ଅରବିନ୍ଦ ସ୍ୱାମୀ ଏମ୍‌ଜିଆର୍‌ଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମ ଏପ୍ରିଲ ୨୩ରେ ରିଲିଜ୍ ହେବ। ହିନ୍ଦୀ ସମେତ ତାମିଲ, ତେଲୁଗୁ ଭାଷାରେ ବି ଫିଲ୍ମ ରିଲିଜ୍ ହେବ। ତେବେ ତାମିଲନାଡ଼ୁ ନିର୍ବାଚନ ସମୟରେ ଫିଲ୍ମ ରିଲିଜ୍ ହେଉଥିବାରୁ ଏହାର ଗୁରୁତ୍ୱ ଅଧିକ ବଢ଼ିଛି। ଆଜି କଙ୍ଗନାଙ୍କ ଜନ୍ମଦିନରେ ଟ୍ରେଲର୍‌ ରିଲିଜ୍ କରାଯାଇଛି।

ଟ୍ରେଲର ରିଲିଜ୍‌ ହେବା ପରେ ସେ ଖୁସିରେ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କର ପରିଶ୍ରମ ଓ ପ୍ରତିଭାକୁ ନିର୍ଦ୍ଦେଶକ ବିଜୟ ବୁଝିପାରିଛନ୍ତି ବୋଲି ସେ କହିଥିଲେ। ଏହି ସମୟରେ ଭାବବିହ୍ୱଳ ହୋଇପଡ଼ିଥିଲେ ଓ ଷ୍ଟେଜ୍‌ ଉପରେ କାନ୍ଦି ପକାଇଥିଲେ। ଏହାକୁ ସେ ନିଜ ଟ୍ୱିଟର୍ ପେଜ୍‌ରେ ଲେଖିବା ସହ ଭିଡିଓକୁ ଅପଲୋଡ୍ କରିଛନ୍ତି।

ଗତବର୍ଷ ଓ ଏବର୍ଷ କଙ୍ଗନା ପାଇଁ ଯେତେକି ଶୁଭଙ୍କର, ସେତିକି ଚର୍ଚ୍ଚାର ବିଷୟ ହୋଇଛି। କାହିଁକିନା ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ରେ ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରଣାୱତ୍ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି। ସେପଟେ ଥଲାଇଭିର ଟ୍ରେଲର୍ ରିଲିଜ୍ ହୋଇଛି। ଏହା ଭିତରେ ସେ ତାଙ୍କ ବୟାନ ପାଇଁ ବହୁ ଥର ବିବାଦ ଘେରକୁ ଆସିଛନ୍ତି। ଟିମ୍‌ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିଦାଦ ଘେରକୁ ଆସିଥିଲେ ଅଭିନେତ୍ରୀ କଙ୍ଗନା। ଏଥିପାଇଁ ସୋସିଆଲ୍‌ ମିଡିଆରେ କଡ଼ା ସମାଲୋଚନାର ଶିକାର ହେବା ପରେ ଶେଷରେ ବାଧ୍ୟ ହୋଇ କଙ୍ଗନାଙ୍କ ଟ୍ୱିଟ୍‌କୁ ଡିଲିଟ୍ କରିଥିଲା ଟ୍ୱିଟର।

ସେହିପରି ଦିଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ମହା ସରକାର ଓ ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍ ବିରୋଧରେ ସ୍ୱର ଉଠାଇଥିଲେ। କଙ୍ଗନାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ଏପରିକି ମୁମ୍ବାଇ ସ୍ଥିତ ତାଙ୍କ ଅଫିସ୍‌କୁ ବିଏମ୍‌ସି ଭାଙ୍ଗିଦେଇଥିଲା।  କୃଷି ବିଲ୍‌ ସପକ୍ଷରେ ସେ ମତ ଦେଇ ପୁଣି ଚର୍ଚ୍ଚାକୁ ଆସିଥିଲେ। ଗତ ମାସରେ ସେ ପୁରୀ ଆସି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସାରିବା ପରେ ନିଜକୁ ସୌଭାଗ୍ୟଶାଳୀ ମନେ କରିବା ସହ ବିଶ୍ୱବାସୀଙ୍କ ଲାଗି ଚଳିତ ବର୍ଷ ଶୁଭମୟ ହେଉ ବୋଲି ସେ କହିଥିଲେ।

You might also like