‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ନୂଆଦିଲ୍ଲୀ: ଭାରତୀୟ ମୂଳ ତଥା ଜମାଇକାରେ ରହୁଥିବା ଟୋନି ଏନ୍‌ ସିଂହ ହେଲେ ମିସ୍ ୱାର୍ଲଡ-୨୦୧୯। ଲଣ୍ଡନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଟୋନିଙ୍କୁ ମିସ୍‌ ୱାର୍ଲଡ ମୁକୁଟ ପିନ୍ଧାଇଥିଲେ ୨୦୧୮ ମିସ୍‌ ୱାର୍ଲଡ ବିଜେତା ଭନେସା ପୋନ୍‌ସ।

ପ୍ରତିଯୋଗିତାରେ ୧୨୦ଟି ଦେଶର ସୁନ୍ଦରୀ ଭାଗ ନେଇଥିଲେ। ଟୋନି ସିଂ ଜମାଇକାର ୪ର୍ଥ ପ୍ରତିଯୋଗୀ ଯିଏ କି ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଟୋନି ଫ୍ଲୋରିଡା ୟୁନିଭର୍ସିଟିରେ ପଢନ୍ତି। ସେ ସାଇକୋଲଜିର ଛାତ୍ରୀ। 

ଏଠି କହିରଖିବୁ, ୨୦୧୯ରେ ମିସ୍‌ ୱାର୍ଲଡ ଏବଂ ମିସ୍‌ ୟୁନିଭର୍ସ- ଦୁଇଟି ଯାକ ଆୱାର୍ଡ  କୃଷ୍ଣକାୟ ସୁନ୍ଦରୀ ଜିତିଛନ୍ତି । ଡିସେମ୍ବର ୮ ତାରିଖରେ ହୋଇଥିବା ମିସ୍‌ ୟୁନିଭର୍ସ ଆୱାର୍ଡ ସାଉଥ ଆଫ୍ରିକାର ୨୬ ବର୍ଷିୟ ଜୋଜିବିନି ଟୁଞ୍ଜି ଜିତିଥିଲେ।

ଏହି ପ୍ରତିଯୋଗିତାରେ ଭାରତୀୟ ସୁନ୍ଦରୀ ସୁମନ ରାଓ ଦେଶର ନାଁକୁ ଉଜ୍ଜ୍ୱଳ କରିଛନ୍ତି। ସେ ପ୍ରତିଯୋଗିତାର ତୃତୀୟ ସ୍ଥାନରେ ଅଛନ୍ତି। ୨ୟ ସ୍ଥାନରେ ଅଛନ୍ତି ଫ୍ରାନ୍ସର ଓପେଲୀ ମେଜିନୋ। ୨୦ ବର୍ଷୀୟା ସୁମନ୍‌ ମିସ୍‌ ଏସିଆ-୨୦୧୯ ସମ୍ମାନ ମଧ୍ୟ ନିଜ ନାମରେ ରଖିଛନ୍ତି। ସୁମନ୍‌ ଏବେ ଚାଟାର୍ଡ ଆକାଉଣ୍ଟାଣ୍ଟ ପଢୁଛନ୍ତି।

ରାଜସ୍ଥାନର ବାସିନ୍ଦା ସୁମନଙ୍କ ଆଗାମୀ ସ୍ୱପ୍ନ ବଲିଉଡ୍‌ ବୋଲି କହିଛନ୍ତି । ମିସ୍‌ ଇଣ୍ଡିଆ ହେବା ପରଠାରୁ ସେ ନିୟମିତ ମଡେଲିଂ କରୁଛନ୍ତି।

ସୂଚନାଥାଉ କି, ଭାରତ ଏହା ପୂର୍ବରୁ ୪ ଥର ମିସ୍‌ ୱାର୍ଲଡ ପୁରସ୍କାର ଜିତି ସାରିଛି। ୧୯୬୬ରେ ରୀତା ଫାରିଆ ଭାରତର ପ୍ରଥମ ସୁନ୍ଦରୀ ଥିଲା। ତା‘ପରେ ୧୯୯୪ରେ ଐଶ୍ୱର୍ଯ୍ୟା ରାୟ, ୨୦୦୦ରେ ପ୍ରିୟଙ୍କା ଚୋପଡା ଏବଂ  ୨୦୧୭ରେ ମାନୁଷୀ ଛିଲ୍ଲର ଏହି ସମ୍ମାନୀ ଅଧିକାରିଣୀ ହୋଇ ପାରିଛନ୍ତି।

You might also like