ବିବାହ ବେଳେ ମା’ଙ୍କର ୩୩ ବର୍ଷର ପୁରୁଣା ଶାଢୀ ପିନ୍ଧିଥିଲେ ୟାମି

ମୁମ୍ବାଇ : ଅତି ସରଳ ବିବାହକରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ୟାମି ଗୌତମଙ୍କ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଦେବଦାରୁ ଗଛ, ଗେଣ୍ଡୁ ଫୁଲ ଏବଂ କଦଳୀ ପତ୍ରରେ ସଜାଯାଇଥିବା ମଣ୍ଡପ ସହିତ ପାହାଡି ନୋଥରେ କନ୍ୟାର ସଜବାଜ ଲୋକଙ୍କୁ ବେଶ ପସନ୍ଦ ଆସୁଥିବା ଦେଖାଯାଏ।

କରୋନା କାଳରେ ୧୮ ଜଣ ଲୋକଙ୍କ ସମାବେଶରେ ଶେଷ ହୋଇଥିବା ଏହି ବିବାହରେ କନ୍ୟା ସାଜିଥିବା ୟାମି ଗୌତମଙ୍କୁ କ୍ଲାସିକ୍ ଲାଲ୍ ପୋଷାକରେ ଦେଖିବାକୁ ମିଳିଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ବିବାହ ସମୟରେ ସେ  ପିନ୍ଧିଥିବା ଏହି ଶାଢୀଟି ତାଙ୍କ ମାଙ୍କର ଥିଲା, ଯାହା ଦୀର୍ଘ ୩୩ ବର୍ଷ ତଳର।

ଗତ ସପ୍ତାହରେ ଏକ ବ୍ୟକ୍ତିଗତ ସମାରୋହରେ ବଲିଉଡ ଅଭିନେତ୍ରୀ ୟାମି ଗୌତମ ଓ ଆଦିତ୍ୟ ଧର ପରସ୍ପରକୁ ବିବାହ କରିଥିଲେ। ଆଦିତ୍ୟ ଏବଂ ୟାମି ସେମାନଙ୍କ ସମ୍ପର୍କ ଓ ପରେ ବିବାହକୁ ସଂପୂର୍ଣ୍ଣ ଗୁପ୍ତ ରଖିଥିଲେ। ୨୦୧୯ରୁ, ଉଭୟ ପରସ୍ପରକୁ ବୁଝିଥିଲେ ଏବଂ ପରେ ସେମାନଙ୍କ ସଂପର୍କକୁ ଏକ ନୂଆ ମୋଡ ଦେଇଥିଲେ। ତେବେ ୟାମି ତାଙ୍କ ବିବାହରେ ପିନ୍ଧିଥିବା ଲାଲ୍ ଶାଢୀକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଧରିଛି। କାରଣ ସେ ପିନ୍ଧିଥିବା ଲାଲ୍ ଶାଢୀଟି ଖୁବ କ୍ଲାସିକ୍ ଥିଲା।

ସୂଚନା ଅନୁଯାୟୀ, ତାଙ୍କ ମା’ଙ୍କର ପ୍ରାୟ ୩୩ ବର୍ଷର ଏହି ପାରମ୍ପରିକ ରେଶମୀ ଶାଢୀ ସୁନାରେ ଛାଉଣୀ ହୋଇଥିଲା। ସେ ତାଙ୍କ ମା’ଙ୍କ ଶାଢୀ ସହିତ ତାଙ୍କ ଜେଜେମା ଦେଇଥିବା ଏକ ମେଚିଂ ଲାଲ୍ ଦୁପଟା ପରିଧାନ କରିଥିଲେ।

ସେହିପରି ୟାମି ପିନ୍ଧିଥିବା ନାକ ନୋଥ ତାଙ୍କ ଜେଜେମା’ଙ୍କ ଉପହାର ଥିଲା। ୟାମି ଉତ୍ତରାଧିକାରୀସ୍ୱରୂପ ମିଳିଥିବା ଅଳଙ୍କାର ପିନ୍ଧିଥିଲେ, ଯେଉଁଥିରେ ଏକ ରାଜକୀୟ ସୁନା ସେଟ୍, ମଥା ଟିକା ଏବଂ କଲୀରେ ଅନ୍ତର୍ଭୁକ୍ତ ଥିଲା।

ସବୁଠୁ ବଡ କଥା ହେଲା ଏହି ଅଭିନେତ୍ରୀଙ୍କ ବିବାହର ମେକ୍ଅପ୍ କୌଣସି କଳାକାରଙ୍କ ଦ୍ୱାରା ନୁହେଁ ବରଂ ନିଜେ ଅଭିନେତ୍ରୀଙ୍କ ଦ୍ୱାରା କରାଯାଇଥିଲା। କେବଳ ଏତିକି ନୁହେଁ, ଅଭିନେତ୍ରୀଙ୍କ ହେୟାର ଷ୍ଟାଇଲକୁ ତାଙ୍କ ଭଉଣୀ ସୁରିଲି ଗୌତମ ପ୍ରସ୍ତୁତ କରିଥିଲେ। ତେବେ ୟାମିଙ୍କର ଏହି ସରଳତା ପ୍ରଶଂସକଙ୍କ ହୃଦୟ ଜିତିଛି।

ପ୍ରକାଶ ଥାଉକି କରୋନା ପ୍ରୋଟୋକଲ୍ ଅନୁସରଣ କରି କେବଳ ପରିବାର ଏବଂ କିଛି ଘନିଷ୍ଠ ସମ୍ପର୍କୀୟଙ୍କୁ ବିବାହରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସେମାନଙ୍କ ବିବାହ ପ୍ଲାନର୍ ଗୀତେଶ ଶର୍ମା ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ ଏହି ଦମ୍ପତି ଏକ ଆଡମ୍ବରପୂର୍ଣ୍ଣ ବିବାହ ଚାହୁଁ ନ ଥିଲେ।

ଉଭୟ ଅତି ସରଳ ଏବଂ ପାରମ୍ପରିକ ଉପାୟରେ ବିବାହ କରିବାକୁ ଚାହୁଁଥିଲେ। ଗୀତେଶଙ୍କ କହିବା ଅନୁଯାୟୀ ୟାମି ଏବଂ ଆଦିତ୍ୟଙ୍କ ବିବାହର ପ୍ରସ୍ତୁତି ମାତ୍ର ଗୋଟିଏ ଦିନରେ ଶେଷ ହୋଇଛି। ଏହା ଏକ ବ୍ୟକ୍ତିଗତ ସମାରୋହ ଥିଲା। ଯେଉଁଥିରେ ପରିବାର ବ୍ୟତୀତ କେବଳ କିଛି ଘନିଷ୍ଠ ବ୍ୟକ୍ତି ଜଡିତ ଥିଲେ।

You might also like