ଗୋଟିଏ ଚରିତ୍ରରେ କାମକରି ବି ବିରକ୍ତ ହୁଅନ୍ତିନି ଏହି ସୁନ୍ଦରୀ କଳାକାର

ଟିଭି ସୋ’ର ଲୋକପ୍ରିୟ କଳାକାରମାନଙ୍କ ମଧ୍ୟରେ ଶିବାଙ୍ଗୀ ଯୋଶି ଅନ୍ୟତମ। “ଖେଲତି ହେ ଜିନ୍ଦେଗୀ ଆଖଁ ମିଚୋଲି”ରୁ ସେ ଗ୍ଲାମର ଦୁନିଆଁକୁ ପ୍ରବେଶ କରିଥିବା ବେଳେ ପରେ “ବେଇନ୍ତେହା” ଓ “ବେଗୁସରାୟ”ରେ ମଧ୍ୟ କାମ କରିଛନ୍ତି। କିନ୍ତୁ  “ୟେ ରିସ୍ତା କ୍ୟା କେହେଲତା ହେ”ରେ ତାଙ୍କର ନାଇରା ଚରିତ୍ର ପାଇଁ ସେ ଘରେ ଘରେ ବେଶ ପରିଚିତ ହୋଇପାରିଥିଲେ। କିନ୍ତୁ ବର୍ତ୍ତମାନ ସେ ସିରାତ ଚରିତ୍ରରେ ଆସୁଥିବା ବେଳେ ଜଣେ ବକ୍ସର୍ ଭୂମିକା ନିଭାଉଛନ୍ତି। ଦୀର୍ଘ ପାଞ୍ଚ ବର୍ଷ ଧରି ସୋ’ରେ ସଂଶ୍ଲିଷ୍ଠ ଥିବା ଶିବାଙ୍ଗୀ କୁହନ୍ତି ଯେ ହୁଏତ ଗୋଟିଏ ଚରିତ୍ରରେ ଏତେଦିନ ଧରି କାମ କରିବା ନିରସ ହୋଇପାରେ, କିନ୍ତୁ ଏହା ମଧ୍ୟ ନିର୍ଭର କରେ ଯେ କଳାକାର ସବୁ କଥାକୁ କେତେଦୂର ଗ୍ରହଣ କରୁଛି। କିନ୍ତୁ ସେ ସମାନ ଚରିତ୍ରରେ ଅଭିନୟ କରି କୌଣସି ଦିନ କ୍ଳାନ୍ତ ଅନୁଭବ କରି ନ ଥିବା କହିଛନ୍ତି। ପ୍ରତିଦିନ ସେ କିଛି ନା କିଛି ଶିଖୁଥିବା କହିଛନ୍ତି।

ଶିବାଙ୍ଗୀଙ୍କ ସହ-କଳାକାର ମୋହସିନ୍ ଖାନଙ୍କ ସହ ତାଙ୍କ ଯୋଡିକୁ ଦର୍ଶକେ ବେଶ ପସନ୍ଦ କରନ୍ତି। ତାଙ୍କ ଯୋଡିକୁ ନେଇ‍ ଶୁଭାଙ୍ଗୀଙ୍କ କହିବା କଥା, ମୋହସିନ ହେଉଛନ୍ତି ଜଣେ ଦକ୍ଷ କଳାକାର। ସେ ସବୁ କାମକୁ ସହଜ କରିଦେଇଥାନ୍ତି। ସେମାନଙ୍କ ଭିତରେ ଭଲ ବୁଝାମଣା ଓ ବନ୍ଧୁତା ଥିବାରୁ କାମକରିବା ସହଜ ହୋ‍ଇଯାଏ ବୋଲି ସେ କହିଛନ୍ତି।

ଆଗରୁ ଅନେକ ଉଦାହରଣ ରହିଛି ଯେ ଅନେକ ଟିଭି କଳାକାର ପରବର୍ତ୍ତି ସମୟରେ ସିନେମା ଦୁନିଆରେ ପାଦ ଥାପିଛନ୍ତି। ଏ ବିଷୟରେ ଶିବାଙ୍ଗୀ କହିବାକୁ ଯାଇ କହିଛନ୍ତି ଯେ ସେ ସିନେମା ଦୁନିଆରେ ପାଦ ଦେବା ପାଇଁ ‍ଇଛୁକ ଥିଲେ ବି “ୟେ ରିସ୍ତା କ୍ୟା କେହେଲତା ହେ” ରେ ସେ ଖୁବ୍ ସନ୍ତୁଷ୍ଟ ଅଛନ୍ତି। ପରବର୍ତ୍ତି ସମୟ ଯଦି ସୁଯୋଗ ମିଳେ ଏବଂ ସ୍କ୍ରିପ୍ଟ ମନକୁ ଛୁଏଁ ତେବେ ସେ ସିନେମା ଦୁନିଆକୁ ଲମ୍ଫ ମାରିପାରନ୍ତି ବୋଲି କହିଛନ୍ତି।

ବର୍ତ୍ତମାନର ଚରିତ୍ରରେ ଶିବାଙ୍ଗୀ ଯେହେତୁ ଏକ ବକ୍ସର ଭୂମିକା ଲିଭାଉଛନ୍ତି ତେଣୁ ସେ ନିଜକୁ ଫିଟ୍ ରଖିବା ନେଇ ଯେକୌଣସି ପ୍ରକାର ସ୍ପୋର୍ଟ୍ସକୁ ଅଭ୍ୟାସ କରୁଛନ୍ତି। ଜିନ୍ତୁ ସେ ପୂର୍ବରୁ ସବୁବେଳେ ଯୋଗ କରୁଥିବା ବେଳେ ବର୍ତ୍ତମାନର ବ୍ୟସ୍ତତା ଭିତରେ ଏହାକୁ ନିୟମିତ କରିପାରୁ ନ ଥିବା କହିଛନ୍ତି। ବେଶି ବକ୍ସିଂକୁ ପ୍ରାଧାନ୍ୟ ଦେଉଥିବା କହିବା ସହ ଏହା ଦ୍ୱାରା ସେ ଅଧିକ ଏନର୍ଜେଟିକ୍ ଅନୁଭବ କରୁଥିବା ବେଳେ ଏହା ତାଙ୍କୁ ତାଙ୍କ କାମରେ ବେଶି ସହଯୋଗ ହେଉଥିବା କହିଛନ୍ତି। ସେ ପ୍ରତିଦିନ ୩ ରୁ ୪ ଘଣ୍ଟା ଅଭ୍ୟାସ କରିବାକୁ କହୁଥିବା ବେଳେ ଏବେ ସପ୍ତାହକୁ ତିନି ଦିନ ଘଣ୍ଟାଏ ଲେଖାଁ କରୁଥିବା କୁହନ୍ତି। ଏହା ସହ ସେ ହସି ହସି କହିଛନ୍ତି ଯେ “ଅବ୍ ମେରେ ମସଲ୍ ଭି ବନ୍ ଗୟେ ହୈ।”

ଶିବାଙ୍ଗୀ ତାଙ୍କ ଖାଦ୍ୟ ପ୍ରଣାଳିକୁ ନେଇ‍ କୁହନ୍ତି ଯେ ସେ ଜଣେ ଖାଦ୍ୟପ୍ରିୟ ପିଲା। ଚାଟ୍ ଠାରୁ ଆରମ୍ଭ କରି ଗୁପଚୁପ୍ ବା ସବୁ ପ୍ରକାର ମସଲାଜାତୀୟ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। କିନ୍ତୁ ଯେବେଠାରୁ ସେ ବିଭିନ୍ନ ବ୍ୟାୟାମ କରୁଛନ୍ତି ସେ ଖାଦ୍ୟ ପ୍ରଣାଳିରେ ପରିବର୍ତ୍ତନ କରିଥିବା କହିଛନ୍ତି।

ଲକଡାଉନ୍ ସମୟରେ ସୋସିଆଲ୍ ମିଡିଆ ଏକ ଶସ୍ତା ସୁନ୍ଦର ଭାବେ ବ୍ୟବହାର ହୋଇଯାଇଥିବା ବେଳେ ଶିବାଙ୍ଗୀ କିନ୍ତୁ କହିଛନ୍ତି ଯେ ଜଣେ କଳାକାର ସୋସିଆଲ୍ ମିଡିଆକୁ କେବଳ ଅନ୍ୟକୁ ପ୍ରଭାବିତ ଓ ପ୍ରେରଣ ଦେବା ଲକ୍ଷ୍ୟରେ ବ୍ୟବହାର କରିବା ଉଚିତ।

ମାନସିକ ସ୍ୱାସ୍ଥ୍ୟକୁ ନେଇ ସେ କୁହନ୍ତି ଯେ ଲକଡାଉନ୍ ଆମକୁ ସତର୍କ କରିଦେଇଛି ଯେ ଆମେ ଆମକୁ ଯତ୍ନ ନେବା ଦରକାର। ଆମେ ପ୍ରଥମେ ମାନସିକ ସ୍ତରରେ ସୁସ୍ଥ ରହିବା ଉଚିତ ବୋଲି ସେ କହିଛନ୍ତି। ତେବେ ସେ ନିଜ କଥା କହିବାକୁ ଯାଇ କହିଛନ୍ତି ଯେ ସେ ଯେତେବେଳେ ମାନସିକ ସ୍ତରରେ ଅସୁସ୍ଥ ଥାଆନ୍ତି ଧ୍ୟାନ କରନ୍ତି ନଚେତ ପରିବାର କିମ୍ବା ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ହୁଅନ୍ତି ନ ହେଲେ ନିଜ ପସନ୍ଦର ଗୀତ ଅନୁସାରେ ନାଚନ୍ତି।

You might also like