ନିଆରା ପରିଚୟ ସୃଷ୍ଟି କରିବାକୁ ଚାହେଁ : ବାଣୀ କପୁର

ବଲିଉଡରେ ନବାଗତଙ୍କ ଭିତରେ ରହିଛନ୍ତି ବାଣୀ କପୁର। ସାତ ବର୍ଷ ପୂର୍ବରୁ ୨୦୧୩ରେ ସେ ବଲିଉଡ୍ ଦୁନିଆରେ ପ୍ରବେଶ କରିଥିଲେ ବି  ଏକ ନିଆରା ପରିଚୟ ତିଆରି କରିବା ନେଇ ଚେଷ୍ଟା ଜାରି ରଖିଛନ୍ତି। ତାଙ୍କର ପ୍ରଥମ ସିନେମା ଥିଲା ‘ଶୁଦ୍ଦ ଦେଶି ରୋମାନ୍ସ’ । ଏଥିରେ ବାଣୀ ସମାନ୍ତରାଳ ଭାବେ ପରିଣୀତି ଚୋପ୍ରା ଓ ସୁଶାନ୍ତ ସିଂହ ରାଜପୁତଙ୍କ ସହ ମୁଖ୍ୟ ଚରିତ୍ର ନିଭାଇଥିଲେ। 2019ରେ ମୁକ୍ତିଲାଭ କରିଥିବା ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଫିଲ୍ମ ‘ୱାର’ରେ ବାଣୀ ଏକ ଜବରଦସ୍ତ ଭୂମିକାରେ ଆସିଥିଲେ, ଯେଉଁଥିରେ ତାଙ୍କୁ ହ୍ରିତିଶ ରୋଶନ୍ ଓ ଟାଇଗର୍  ଶ୍ରଫଙ୍କ ସହ ଦେଖିବାକୁ ମିଳିଥିଲା।

ସିନେମା ଦୁନିଆ ବର୍ତ୍ତମାନ ପ୍ରତିଯାଗିତାମୂଳକ ହୋଇଥିବା ବେଳେ ଏଥିରେ କାମ କରିବାର ରୁଚି ରଖୁଥିବା ସମସ୍ତେ ନିଜ ନିଜ କ୍ୟାରିଅରକୁ ନେଇ ପରିଶ୍ରମ କରିବାରେ ଲାଗିଛନ୍ତି। ଏହାକୁ ସ୍ୱୀକାର କରି ବାଣୀ କୁହନ୍ତି ଯେ, ବଲିଉଡର ସବୁ କ୍ଷେତ୍ରରେ ପ୍ରତିଯୋଗିତା ଚାଲିଛି। ସମସ୍ତେ ନିଜକୁ ଆଗଧାଡ଼ିରେ ରଖିବା ନେଇ ନିଜ ନିଜ କ୍ଷେତ୍ରରେ ଭଲକରିବା ନେଇ ଲାଗି ପଡ଼ିଛନ୍ତି। ସେ ନିଜେ ବି ବଲିଉଡରେ ବହୁତ ଆଗକୁ ଯିବାକୁ ଆଶା ରଖିଛନ୍ତି ବୋଲି କହିବା ସହ ନିଜ କାମରେ ଉନ୍ନତି ଆଣିବା ନେଇ ବହୁତ କିଛି କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

ବଲିଉଡରେ ନିଜର ଏକ ନିଆରା ପରିଚୟ ସୃଷ୍ଟିକରିବା ନେଇ ବାଣୀ ନିଜର ସମସ୍ତ ଶକ୍ତି ସେ ଦିଗରେ ଦେଇଥିବା କୁହନ୍ତି। ଅନ୍ୟମାନେ କ’ଣ କରନ୍ତି ବା ନ କରନ୍ତି ସେଦିଗରେ ସେ ଦୃଷ୍ଟି ନ ଦେଇ ନିଜ କାମରେ ସମ୍ପୂର୍ଣ୍ଣ ଧ୍ୟାନ ରଖୁଥିବା କୁହନ୍ତି। ତାଙ୍କ କହିବା କଥା, ଏ କ୍ଷେତ୍ରରେ ଅନ୍ୟମାନଙ୍କ କଥା ଭାବିବା ହିଁ ବୋକାମି। ବାଣୀଙ୍କ ମୁକ୍ତିଲାଭ ଅପେକ୍ଷାରେ ରହିଛି ‘ବେଲ୍ ବଟମ୍’ ଯେଉଁଥିରେ ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ରହିଛନ୍ତି ଓ ‘ଚଣ୍ଡିଗଡ କରେ ଆଶିକ୍’ରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ଅଛନ୍ତି।

ସାତ ବର୍ଷର ଅଭିଜ୍ଞତା ଭିତରେ ବାଣୀ ଯାହା ଉପଲବ୍ଧି କରିଛନ୍ତି, ସେ ତାଙ୍କ ଶୁଭେଚ୍ଛୁମାନଙ୍କୁ କୁହନ୍ତି ଯେ, ସିନେମା ଦୁନିଆରେ ପାଦଦେଇ ସେ ବହୁତ କିଛି ଶିଖିଛନ୍ତି। ସେ ତାଙ୍କ ସହ-ଅଭିନେତାମାନଙ୍କ ସହ କାମକରି ବହୁତ କିଛି କରିବାର ସୁଯୋଗ ବି ପାଇଛନ୍ତି। ସେ ଆହୁରି ମଧ୍ୟ କୁହନ୍ତି ଯେ, ସେ ଯେତେବେଳେ ବୟସ୍କ ହୋଇଯିବେ ଏହି ସ୍ମୃତି ତାଙ୍କୁ ଖୁସୀ ଦେବ। ସେ ସବୁ ପ୍ରକାର ଚରିତ୍ର ନିଭାଇବା ପାଇଁ ପ୍ରସ୍ତୁତ ଥିବା କହିବା ସହ ସବୁ କାମକୁ ସମ୍ମାନ ଦିଅନ୍ତି ଓ ନିଷ୍ଠାର ସହ କରିବାକୁ ଚାହାନ୍ତି ବୋଲି କୁହନ୍ତି।
ଖାଲି ବଲିଉଡ୍ ଚଳଚ୍ଚିତ୍ର ଦୁନିଆ ନୁହେଁ ଟଲିଉଡ୍ ଜଗତରେ ବି ବାଣୀଙ୍କର ବେଶ ପରିଚୟ ରହିଛି। 2014ରେ ‘ଆହା’. ‘କଲ୍ୟାଣମ’ ଟାଇଟଲରେ ସେ ଦୁଇଟି ତାମିଲ ସିନେମା ମଧ୍ୟ କରିଛନ୍ତି।

1988 ମସିହା ଅଗଷ୍ଟ 23 ତାରିଖରେ ଦିଲ୍ଲୀରେ ଜନ୍ମ ହୋଇଥିବା ବାଣୀଙ୍କ ବାପା ଜଣେ ଆସବାବପତ୍ର ବେପାରୀ ଥିବା ବେଳେ ମା ଜଣେ ଶିକ୍ଷଯିତ୍ରୀ। ଦିଲ୍ଲୀର ଅଶୋକବିହାରସ୍ଥିତ ମାତା ଜୟ କୌର ପବ୍ଲିକ ସ୍କୁଲରୁ ପାଠ ଶେଷକରି ବାଣୀ IGNOUରେ ଟୁରିଜିମରେ BA ସାରି ଜୟପୁରସ୍ଥିତ ଓବରାଏ ହୋଟେଲ ଆଣ୍ଡ୍ ରିସୋର୍ଟରେ ଇଣ୍ଟର୍ଣ୍ଣସିପ୍ ପରେ ITC ହୋଟେଲରେ କାମ ଆରମ୍ଭ କରିଥିଲେ। ପରେ ସେ ମଡେଲ ଦୁନିଆରେ ପାଦ ଥାପିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ତାଙ୍କର ସିନେମା ଜଗତକୁ ଯାତ୍ରା।

You might also like