ଆଜି ଲତା ମଙ୍ଗେସ୍‌କରଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ସୁପ୍ରସିଦ୍ଧ ଗାୟିକା ଭାରତରତ୍ନ ଲତା ମଙ୍ଗେସ୍‌ଙ୍କର ଆଜି ୮୯ତମ ଜନ୍ମ ଦିବସ। ଏଥିପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବୟସର ସାୟାହ୍ନରେ ପହଞ୍ଚିଥିଲେ ବି ଲତାଙ୍କ କଣ୍ଠସ୍ୱରକୁ ନେଇ ଏବେବି ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ସେଥିପାଇଁ ପାଖାପାଖି ୪ଟି ପିଢ଼ିରେ ତାଙ୍କର ଫ୍ୟାନ୍ ରହିଛନ୍ତି।

ଖୁବ୍ କମ୍ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ଲତା ମଙ୍ଗେସ୍‌ଗର। ତେଣୁ ତାଙ୍କ ଗାୟନ ସମୟ ଖୁବ୍ ଲମ୍ବା। ଅର୍ଥାତ ପ୍ରାୟ ୮ ଦଶକ ବା ଅଶୀବର୍ଷ ଧରି ସେ ଗୀତ ଗାଇ ଚାଲିଛନ୍ତି। ଧୀରେ ଧୀରେ ସେ ଭାରତବର୍ଷର କୋଇଲି ବୋଲି ମଧ୍ୟ ପରିଚୟ ପାଇ ସାରିଛନ୍ତି। ଲତା ମଙ୍ଗେସ୍‌କର ୩୦ରୁ ଅଧିକ ଭାଷାରେ ହଜାରେରୁ ଅଧିକ ଫିଲ୍ମରେ କଣ୍ଠଦାନ କରିଛନ୍ତି। ଲତା ସେ ହେଉଛନ୍ତି ଏକମାତ୍ର ଜୀବିତ ବ୍ୟକ୍ତିତ୍ୱ ଯାହାଙ୍କ ନାଁରେ ପୁରସ୍କାର ଦିଆଯାଉଛି।

୧୯୨୯ ମସିହା ସେପ୍ଟେମ୍ବର ୨୮ ରେ ଏକ ମଧ୍ୟମ ବିତ୍ତ ମରାଠି ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମିତ ଲତା ପଣ୍ଡିତ ଦୀନାନାଥ ମଙ୍ଗେସ୍‌କରଙ୍କ ବଡ଼ ଝିଅ। ପୂର୍ବରୁ ଲତାଙ୍କ ନାଁ ହେମା ଥିଲା। ତାଙ୍କ ପିତା ରଙ୍ଗ ମଞ୍ଚର ଜଣେ ଗାୟକ ଏବଂ କଳାକାର ଥିଲେ।

ଯଦିଓ ଲତା ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କ ଲାଳନପାଳନ କିନ୍ତୁ ହୋଇଥିଲା ମହାରାଷ୍ଟ୍ରରେ। ସେ ୭ ବର୍ଷ ବୟସର ଥିଲାବେଳେ, ମହାରାଷ୍ଟ୍ର ଆସିଥଲେ। ତା ପୂର୍ବରୁ ମାତ୍ର ୫ ବର୍ଷ ବୟସରେ ସେ ନିଜ ବାପାଙ୍କ ସହ କଳାକାର ଭାବରେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ।

ଛୋଟବେଳୁ ହିଁ ଲତା ଜଣେ ଗାୟକ ହେବାକୁ ଇଚ୍ଛା କରିଥିଲେ। ତାଙ୍କ ବାପା ଶାସ୍ତ୍ରୀୟ ସଙ୍ଗୀତର ବଡ଼ ପ୍ରଶଂସକ  ଥିଲେ। ବୋଧହୁଏ ଏଇଥିପାଇଁ ଲତା ଫିଲ୍ମରେ ଗୀତ ଗାଆନ୍ତୁ ବୋଲି ଚାହୁଁ ନଥିଲେ ଓ ଏହାକୁ ବିରୋଧ କରୁଥିଲେ।

You might also like