ଅମିତାଭଙ୍କ କରୋନା ରିପୋର୍ଟକୁ ନେଇ ଗୁଜବ, ଟ୍ୱିଟ କରି ସ୍ପଷ୍ଟ କଲେ BIG B

ନୂଆଦିଲ୍ଲୀ: ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି! ସେ ଖୁବ୍‌ଶୀଘ୍ର ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ! ଏପରି ଏକ ଗୁଜବ ଖବର ଭାଇରାଲ୍‌ ହେବା ପରେ ଏଥିରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତାଭ।  ଏ ନେଇ ବୁଧବାର ସେ ଟ୍ୱିଟ୍ କରି ଖବରକୁ ମିଛ ବୋଲି କହିଛନ୍ତି।

ଜୁଲାଇ ୧୧ ତାରିଖ ରେ ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେବେଠୁ ସେ ମୁମ୍ବାଇର ନାନାବତୀ ହସ୍‌ପିଟାଲ୍‌ରେ ରହି ଚିକିତ୍ସିତ ହେଉଛନ୍ତି।

କରୋନା ରିପୋର୍ଟ ନେଗେଟିଭ୍‌ ନେଇ ସୂଚନା ଦେଇ ବିଗ୍‌ ବି ଲେଖିଛନ୍ତି “ଏହା ଭୁଲ, ବେପରୁଆ ଓ ମିଛ ଖବର।”

କେବଳ ବିଗ୍‌ ବି ନୁହଁନ୍ତି, ତାଙ୍କ ପରିବାରରେ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଗୋଟିଏ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। କେବଳ ଜୟା ବଚ୍ଚନଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ସେ ବର୍ତ୍ତମାନ ତାଙ୍କ ଘରେ ଅଛନ୍ତି।

କରୋନା ଆକ୍ରାନ୍ତ ହେବା ପରଠାରୁ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହୁଛନ୍ତି ବିଗ୍‌ ବି। ଅନେକ ସମୟରେ ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସୂଚନା ମଧ୍ୟ ଦେଉଛନ୍ତି।

 

You might also like