ଯୁବ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷଙ୍କ ଆଉ ଏକ ସଫଳତା

ପୁରୀ: ସଫଳତାର ଗୋଟିଏ ପରେ ଗୋଟିଏ ଶିଢ଼ି ଚଢ଼ି ଚାଲିଛନ୍ତି ଯୁବ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ। ତାଙ୍କଦ୍ୱାରା ନିର୍ମିତ ଫିଲ୍ମ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ସ୍ଥାନିତ ହେଉଥିବା ବେଳେ ଅନେକ ଆୱାର୍ଡ ମଧ୍ୟ ଜିତୁଛି।

ନିକଟରେ ତାଙ୍କର ସର୍ଟ ଓଡ଼ିଆ ଫିଲ୍ମ ସଂଯୋଗ ଆମେରିକାରେ ମଞ୍ଚସ୍ଥ ହୋଇଥିବା ବେଳେ ଏବେ ଆଉ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଜାତ’କୁ ମିଳିଛି ଅନରେବଲ ଜୁରୀ ମେନସନ୍ ଆୱାର୍ଡ। ୧୯ ମିନିଟ୍‌ର ଏହି ଡକ୍ୟୁମେଣ୍ଟାରି ଫିଲ୍ମଟି ନୋଏଡ଼ା ଇଣ୍ଟର୍‌ ନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ର ସପ୍ତମ ସଂସ୍କରଣରେ ଆୱାର୍ଡ ପାଇଛି। ଏହି ଡକ୍ୟୁମେଣ୍ଟାରିକୁ ତିଆରି କରିବା ପାଇଁ ନିର୍ଦ୍ଦେଶକଙ୍କୁ  ଦୁଇ ବର୍ଷ ସମୟ ଲାଗିଥିଲା।

ପଟ୍ଟନାୟକ ବ୍ରୋଜ୍‌ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶନା, ପ୍ରଯୋଜନା, ଚିତ୍ରନାଟ୍ୟ ଆଶୁତୋଶ କରିଥିବା ବେଳେ ସଂଳାପ ମଧ୍ୟ ତାଙ୍କ ନିଜର।

ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଆଶୁତୋଷ ପଟ୍ଟନାୟକ ବିଭିନ୍ନ ସାମାଜିକ ସମସ୍ୟା ସହିତ ଓଡ଼ିଶାର ପରମ୍ପରା ରୀତିନୀତିକୁ ନେଇ ସର୍ଟ ଫିଲ୍ମ କମ୍ବା ଡକ୍ୟୁମେଣ୍ଟାରୀ ଫିଲ୍ମ ତିଆରି କରନ୍ତି। ଶ୍ରୀକ୍ଷେତ୍ରରୁ ସାହିଜାତ ତାର ଏକ ସଫଳ ଉଦାହରଣ।

ଶତାବ୍ଦୀ ବ୍ୟାପୀ ଓଡ଼ିଶାର ଉତ୍କର୍ଷ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ପୁରୀରେ  ‘ସାହିଜାତ’ ଭଳି ଏକ ଲୋକନୃତ୍ୟ ଆୟୋଜନ କରାଯାଇଥାଏ। ଏହା ପ୍ରାୟ ୮୦୦ ବର୍ଷରୁ ଅଧିକ ସମୟ ଧରି ପାଳନ କରାଯାଉଛି। ଏଥିରେ ପୁରୀର ସାତଟି ସାହିର କଳାକାରମାନେ ଭାଗ ନିଅନ୍ତି। ରାମ ନବମୀଠାରୁ ଆରମ୍ଭ ହୋଇ ଏହା ୧୦ ଦିନ ପର୍ଯ୍ୟନ୍ତ ଚାଲିଥାଏ। ସାତ ଖଣ୍ଡ ରାମାୟଣକୁ ନେଇ ଏହି ଲୋକନୃତ୍ୟ ହୋଇଥାଏ।

‘ଶ୍ରୀକ୍ଷେତ୍ରରୁ ସାହିଜାତ’କୁ ତିଆରି କରିବା ପାଇଁ ଆଶୁତୋଷଙ୍କୁ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା। ଏଥିରେ ସୌମ୍ୟ ମହାନ୍ତି ଚିତ୍ରୋତ୍ତଳନ କରିଥିବା ବେଳେ ସଂଗୀତରେ ଅଛନ୍ତି ପରାଗ କୁମାର ବେହେରା।

ଆଶୁତୋଷ ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟିଭି ଇନ୍‌ଷ୍ଟିଟ୍ୟୁଟ୍‌ରୁ ସିନେମାଟୋଗ୍ରାଫିରେ ଡିପ୍ଲୋମା ପାସ୍ କରିଛନ୍ତି। ସେ ଅନେକ ସର୍ଟ ଫିଲ୍ମ ନିର୍ମାଣ କରିବା ସହିତ ଡକ୍ୟୁମେଣ୍ଟାରି ମଧ୍ୟ ତିଆରି କରିଛନ୍ତି।  ‘ସଂଯୋଗ’ ଫିଲ୍ମଟି ତାଙ୍କର ପ୍ରଥମ ଫିଲ୍ମ ନୁହେଁ ଯାହା ବିଦେଶରେ ହେଉଥିବା ପ୍ରତିଯୋଗିତାରେ ସାମିଲ ହୋଇଛି। ଏହା ପୂର୍ବରୁ  ‘ଆଇ ହ୍ୟାବ୍‌ ଏ ଡ୍ରିମ୍‌’, ‘ମୀରା ଏ ଭଏସ୍‌ ଫର୍‌ ଅଦର୍’  ଭଳି ଫିଲ୍ମ ଆମେରିକା, ପାନାମା, ଲେବାନନ୍‌ ଓ ତୁର୍କୀ ଭଳି ଦେଶରେ ଆୟୋଜିତ ପ୍ରତିଯୋଗିତା ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଛି।

ସୈଜନ୍ୟ -ୟ୍ୟୁଟ୍ୟୁବ୍

 

You might also like