ସୁନୀଲ ସେଟ୍ଟିଙ୍କ ପ୍ରେମ କାହାଣୀ; ଏକ ଫିଲ୍ମଠାରୁ ବି କମ୍ ନୁହେଁ
(ରାଜଲକ୍ଷ୍ମୀ ସାହୁ)
ଭୁବନେଶ୍ୱର/ମୁମ୍ବାଇ: ଆଜିକାଲି ବଲିଉଡ ଇଣ୍ଡଷ୍ଟ୍ରିରେ ଦୀର୍ଘଦିନ ପର୍ଯ୍ୟନ୍ତ ସୁଖୀ ଦାମ୍ପତ୍ୟ ଜୀବନ କାଟିବା ବଡ଼ କଥା। କାହିଁକି ନା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତା, ଅଭିନେତ୍ରୀ ବିବାହ କରୁଛନ୍ତି ସତ କିନ୍ତୁ ସେମାନଙ୍କ ଦାମ୍ପତ୍ୟ ଜୀବନ ଖୁସିରେ କଟୁ ନଥିବା ଦେଖିବାକୁ ମିଳୁଛି। କିଏ ଡିଭର୍ସ ଦେଲାଣି ତ ଆଉ କିଏ ଦ୍ୱିତୀୟ ବିବାହ କରିଲାଣି। ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି।
ଆମେ ଏଠି ଏମିତି ଏକ ଦମ୍ପତିଙ୍କ କଥା କହୁଛୁ ଯିଏ ଦୀର୍ଘ ୨୬ ବର୍ଷ ହେବ ସୁଖୀ ଦାମ୍ପତ୍ୟ ଜୀବନ କାଟି ଆସୁଛନ୍ତି। ଏହି ଦମ୍ପତି ତାଙ୍କ ଭଲ ପାଇବାକୁ ବିବାହରେ ପରିଣତ କରିବା ପାଇଁ ଦୀର୍ଘ ୯ ବର୍ଷ କାଳ ସଂଘର୍ଷ କରିଥିଲେ। ଆମେ ଏଠି ଆଉ କାହା କଥା କହୁନୁ କହୁଛୁ ୯୦ଦଶକର ପ୍ରସିଦ୍ଧ ଅଭିନେତା ସୁନୀଲ ସେଟ୍ଟୀଙ୍କ କଥା। ସୁନୀଲଙ୍କୁ ପ୍ରେମ କାହାଣୀକୁ ନେଇ ଏକ ଫିଲ୍ମ ମଧ୍ୟ କରାଯାଇପାରେ।
ଯେତେବେଳେ ସୁନୀଲଙ୍କୁ ୨୧ ବର୍ଷ ବୟସ ହୋଇଥିଲା। ସେ ମାନା (ମୋନିଶା କାଦ୍ରି ଭାବେ ଜନ୍ମିତ)ଙ୍କୁ ଭେଟିଥିଲେ। ସେତେବେଳେ ମାନାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ଉଭୟ ପରସ୍ପରକୁ ଭେଟିଥିଲେ ବନ୍ଧୁଙ୍କ ମାଧ୍ୟମରେ। ମାନାଙ୍କ ସହ ପ୍ରଥମ ଦେଖାରୁ ହିଁ ସୁନୀଲ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ମାନାଙ୍କ ଠାରେ ସେ ଏମିତି କିଛି ବ୍ୟବହାର ବା ଲକ୍ଷଣ ଦେଖିବାକୁ ପାଇଥିଲେ ଯାହା ତାଙ୍କୁ ଆକର୍ଷିତ କରିଥିଲା ବୋଲି ଅଭିନେତା କହିଛନ୍ତି। ପରେ ଉଭୟ ପ୍ରେମରେ ପଡ଼ି ଯାଇଥିଲେ।
ସେବେଠାରୁ ଉଭୟ ପରସ୍ପରକୁ ଭେଟିବାକୁ ମଉକା ଖୋଜୁଥିଲେ । ସୁନୀଲ ତାଙ୍କର ଜଣେ ବନ୍ଧୁଙ୍କୁ ଏକ ପାର୍ଟିକୁ ମାନାଙ୍କୁ ଡାକିବାକୁ କହିଥିଲେ। ତାଙ୍କ ବନ୍ଧୁ କଥା ରଖି ମାନାଙ୍କୁ ନିମନ୍ତ୍ରଣ କରିଥିଲେ। ପାର୍ଟି ସରିବା ପରେ ରାତିରେ ଉଭୟ ଏକ ବାଇକ୍ରେ ବସି ବଜାର ବୁଲିଥିଲେ। ସୁନୀଲଙ୍କ କହିବା ଅନୁଯାୟୀ ସେହିଦିନଠାରୁ ଉଭୟ ପରସ୍ପର ସହ ଅତି ନିବିଡ଼ ହେବାକୁ ଲାଗିଲେ।
ସେମାନଙ୍କର ଏହି ଭଲ ପାଇବାକୁ ଯେତେବେଳେ ବାସ୍ତବ ରୂପ ଦେବାକୁ ଚାହିଁଲେ ସେତେବେଳେ ପରିବାର ଲୋକ ସହମତି ପ୍ରଦାନ କଲେ ନାହିଁ। କାହିଁକି ନା ଉଭୟେ ଅଲଗା ଅଲଗା ଧର୍ମର ଥିଲେ। ସୁନୀଲ କନ୍ନଡ଼ ଥିବାବେଳେ ମାନାଙ୍କ ବାପା ଗୁଜରାଟି ମୁସ୍ଲିମ୍ ଓ ମାଆ ପଞ୍ଜାବୀ ହିନ୍ଦୁ। ଉଭୟଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ବୁଝାଇବା ପାଇଁ ଦୀର୍ଘ ୯ ବର୍ଷ ଲାଗିଥିଲା। ଶେଷରେ ୧୯୯୧ରେ ବିବାହ କରିଥିଲେ ଏହି କପଲ୍। ସେତେବେଳେ ସୁନୀଲ ଫିଲ୍ମରେ କାମ କରୁନଥିଲେ।
ସୁନୀଲଙ୍କ କହିବା ମୁତାବକ ମାନା ତାଙ୍କ ପାଇଁ ବହୁତ ଲକି । ତାଙ୍କୁ ବିବାହ କରିବା ପରେ ତାଙ୍କୁ ବଲିଉଡ୍ରେ ବ୍ରେକ୍ ମିଳିଥିଲା। ୧୯୯୨ ମସିହା ସେପ୍ଟେମ୍ବର ୧୧ ତାରିଖରେ ତାଙ୍କର ପ୍ରଥମ ଫିଲ୍ମ ‘ବଲବାନ୍’ ରିଲିଜ୍ ହୋଇଥିଲା। ପରେ ପରେ ୱକ୍ତ ହମାରା ହେ, ପେହଚାନ୍, ଦିଲୱାଲେ ରିଲିଜ୍ ହୋଇଥିଲା। ୯୦ ଦଶକର ଏହି ହିମ୍ୟାନ୍ କେବେ ବି ପଛକୁ ଫେରି ନାହାନ୍ତି। ସୁନୀଲ୍ଙ୍କୁ ଅନେକ ହିଟ୍ ଫିଲ୍ମ ‘ମୋହରା’, ‘ହେରା ଫେରି’, ‘ଫିର୍ ହେରା ଫେରି’ ଭଳି ଅନେକ ସୁପର ହିଟ୍ ଫିଲ୍ମରେ ଦେଖିବାକୁ ମିଳିଛି। ସୁନୀଲ ସେଟ୍ଟି ନାୟକ, ଖଳ ନାୟକ ଓ କମେଡିଆନ୍ ଭୂମିକାରେ ବଲିଉଡ୍ରେ ସଫଳ ହୋଇଛନ୍ତି।
ସୁନୀଲ ଓ ମାନାଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଯିଏକି ଏବେ ବଲିଉଡରେ ସଫଳତାର ସହ ସେମାନଙ୍କ କ୍ୟାରିୟର ଆରମ୍ଭ କରିଥିବା ଦେଖିବାକୁ ମିଳିଛି।