ଡାକ୍ତରଖାନାରେ ଭର୍ତ୍ତିହେଲେ ଦିଲୀପ କୁମାର; ନିଶ୍ୱାସ ନେବାରେ ଅସୁବିଧା

ମୁମ୍ବାଇ : ବଲିଉଡର ଦିଗ୍ଗଜ ଅଭିନେତା ଦିଲୀପ କୁମାରଙ୍କୁ ରବିବାର ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଖବର ସାର୍ବଜନୀନ ହେବା ମାତ୍ରେ ଫିଲ୍ମ ଇଣ୍ଡଷ୍ଟ୍ରି ତଥା ଦେଶର ଜଣାଶୁଣା ବ୍ୟକ୍ତିତ୍ୱମାନଙ୍କ ସହିତ ତାଙ୍କ ପ୍ରଶଂସକମାନେ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ଦିଲୀପ କୁମାରଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ରବିବାର ଅପରାହ୍ନରେ ସେ ତାଙ୍କୁ ଭେଟିବାକୁ ଡାକ୍ତରଖାନା ଯାଇଥିଲେ। ହିନ୍ଦୁଜା ହସ୍ପିଟାଲରୁ ପାୱାର ବାହାରକୁ ଆସୁଥିବା ଫଟୋ ସାମ୍ନାକୁ ଆସିଛି। କିଛି ଘଣ୍ଟା ପୂର୍ବରୁ, ଦିଲୀପ କୁମାରଙ୍କ ଟ୍ୱିଟର ଆକାଉଣ୍ଟରୁ ତାଙ୍କ ମ୍ୟାନେଜରଙ୍କ ଦ୍ୱାରା ଏକ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରାଯାଇଥିଲା।

ଟ୍ୱିଟ୍ ଅନୁଯାୟୀ, “ଦିଲୀପ ସାହାବଙ୍କୁ ନିୟମିତ ଯାଞ୍ଚ ପାଇଁ ଖାରସ୍ଥିତ ଅଣ-କୋଭିଡ ପିଡି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଡକ୍ଟର ନିତିନ ଗୋଖଲେଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କର୍ମୀଙ୍କ ଏକ ଟିମ୍ ତାଙ୍କ ଯତ୍ନ ନେଉଛନ୍ତି। ଦୟାକରି ଦିଲୀପ ସାହାବଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ଦୟାକରି ନିଜେ ସୁରକ୍ଷିତ ରୁହନ୍ତୁ।” ଏହାପୂର୍ବରୁ ମେ ମାସରେ ଅଭିନେତାଙ୍କୁ ନିୟମିତ ଯାଞ୍ଚ ପାଇଁ ଉକ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସମସ୍ତ ପରୀକ୍ଷା ପରେ ଶୀଘ୍ର ଡିସଚାର୍ଜ କରାଯାଇଥିଲା। ଏଭଳି ଜଣେ ମହାନ ଓ ବରିଷ୍ଠ କଳାକାରଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ତାଙ୍କ ପ୍ରସଂଶକମାନେ ଚିନ୍ତାରେ ଅଛନ୍ତି।

ସୂଚନା ଥାଉକି, ମାର୍ଚ୍ଚ ୨୦୨୦ ଠାରୁ ତାଙ୍କ ପତ୍ନୀ ସାଇରା ବାନୁଙ୍କ ସହ ଦିଲୀପ କୁମାର କ୍ୱାରାଣ୍ଟିନରେ ଅଛନ୍ତି। କରୋନା କାରଣରୁ ସେ କାହାକୁ ଭେଟୁ ନାହାଁନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଆଯାଉଛି। କରୋନା କାରଣରୁ ୨୦୨୦ରେ ଦିଲୀପ କୁମାର ତାଙ୍କର ଦୁଇ ଭାଇଙ୍କୁ ହରାଇଛନ୍ତି।

ପ୍ରକାଶ ଥାଉ ଯେ ଦିଲୀପ କୁମାର ୧୯୪୪ ମସିହାରେ ଫିଲ୍ମ ‘ଜ୍ୱାର୍ ଭଟା’ରୁ ସିନେ କ୍ୟାରିଆର୍ ଆରମ୍ଭ କରିଥିଲେ। ପାଞ୍ଚ ଦଶନ୍ଧି ଧରି ଚାଲିଥିବା ତାଙ୍କ କ୍ୟାରିଅରରେ ସେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ ଶାସନ କରିଥିଲେ। ତାଙ୍କର ବ୍ଲକବଷ୍ଟର ହିଟ୍ ସିନେମା ମଧ୍ୟରେ ରହିଛି କୋହିନୋର, ମୁଗଲ-ଏ-ଆଜମ, ଦେବଦାସ, ନୟା ଦୌର, ରାମ ଅର ଶ୍ୟାମ । ସେ ଶେଷ ଥର ପାଇଁ ୧୯୯୮ରେ ‘କିଲା’ରେ ଦେଖାଦେଇଥିଲେ।

You might also like