ଆଶ୍ଚର୍ଯ୍ୟ ! ଦୀପିକାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ସବୁ ପୋଷ୍ଟ ଡିଲିଟ୍
ମୁମ୍ବାଇ: କ’ଣ ପୁରୁଣା ସ୍ମୃତିକୁ ଭୁଲିବାକୁ ଚାହୁଁଛନ୍ତି ବଲିଉଡ୍ ମସ୍ତାନୀ ଦୀପିକା ପାଦୁକୋନ୍ ? ନା ସବୁଦିନ ପାଇଁ ଏହି ସ୍ମୃତିକୁ ନିଜ ଜୀବନରୁ ଦୂରେଇ ରଖିବାକୁ ଚାହୁଁଛନ୍ତି ? ନା ଘଟଣା ଆଉ କିଛି ? ଆପଣମାନେ ଭାବୁଥିବେ ନୂଆବର୍ଷର ଆରମ୍ଭ ଦିନରେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ। ପ୍ରକୃତରେ ଘଟଣା ହେଉଛି ଦୀପିକାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଫେସ୍ବୁକ୍, ଟ୍ୱିଟର ଓ ଇନ୍ଷ୍ଟାଗ୍ରାମରୁ ସବୁ ପୋଷ୍ଟ୍ ଡିଲିଟ୍ ହୋଇଯାଇଥିବା ଦେଖିବାକୁ ମିଳିଛି।
ଏଠାରେ ପ୍ରଶ୍ନ ଉଠୁଛି ଏହିସବୁ ପୋଷ୍ଟ୍କୁ ଦୀପିକା ନିଜେ ଡିଲିଟ୍ କରିଛନ୍ତି ନା ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି। ଯାହାକି ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ। ସୋସିଆଲ୍ ମିଡିଆରେ ଦୀପିକାଙ୍କ ପ୍ୟାନ୍ସ ଫଲୋଅର୍ସଙ୍କ ସଂଖ୍ୟା ଅଧିକ। ଦୀପିକାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ସବୁ ପୋଷ୍ଟ ଡିଲିଟ୍ ହୋଇଯିବା କଥା ଜଣାପଡ଼ିବା ପରେ ଦୀପିକାଙ୍କ ପ୍ୟାନ୍ସଙ୍କୁ ଏକ ପ୍ରକାର ଝଟ୍କା ଳାଗିଥିବା କୁହାଯାଉଛି।
ଦୀପିକା ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି। ପ୍ରୋଜେକ୍ଟ ସହ ଜଡ଼ିତ ସୂଚନା ସମ୍ପର୍କରେ ଦୀପିକା ସୋସିଆଲ୍ ମିଡିଆରେ ଅପଡେଟ୍ କରିଥାନ୍ତି। ଏହାସହ ସେ ନିଜର ଫଟୋ ମଧ୍ୟ ଶେଆର କରିଥାନ୍ତି। ତେବେ ନୂଆବର୍ଷରେ ହଠାତ୍ ଦୀପିକାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ସବୁ ପୋଷ୍ଟ ଏଭଳି ଭାବରେ ଗାଏବ ହୋଇଯିବା ଘଟଣାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ଦୀପିକାଙ୍କ ଇନ୍ଷ୍ଟାଗ୍ରାମ କିମ୍ବା ଟ୍ୱିଟର ଆକାଉଣ୍ଟରେ ଗୋଟିଏ ବି ପୋଷ୍ଟ ଦେଖିବାକୁ ମିଳୁନାହିଁ। ଏଠାରେ ପ୍ରଶ୍ନ ଉଠୁଛି, ଯଦି ଟେକ୍ନିକାଲ୍ ତ୍ରୁଟି ଯୋଗୁ ଏଭଳି ଅସୁବିଧା ସୃଷ୍ଟି ହୋଇଥିବ, ତା’ହେଲେ ସବୁ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ଏକାସାଙ୍ଗେ କିଭଳି ଭାବରେ ସବୁ ପୋଷ୍ଟ ଡିଲିଟ୍ ହୋଇଗଲା ? ଏଭଳି ଭାବରେ ଅଚାନକ୍ ସବୁ ପୋଷ୍ଟ ଗାଏବ ହେବା ପଛର କାରଣ କ’ଣ ? ପବ୍ଲିସିଟି ଷ୍ଟଣ୍ଟ ? ନା ଆଉ କିଛି ? ତେବେ ଘଟଣା ଯାହା ହେଉନା କାହିଁକି ଏହାର ଉତ୍ତର କେବଳ ଦୀପିକା ହିଁ କହିପାରିବେ। ଅନ୍ୟପକ୍ଷେ, ଏହି ଘଟଣାକୁ ନେଇ ଦୀପିକାଙ୍କ ସ୍ୱାମୀ ରଣବୀର ସିଂ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲି ନାହାନ୍ତି।
ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ଦୁଇ ଦିନ ପୂର୍ବରୁ ଦୀପିକା ଓ ରଣବୀର ସିଂଙ୍କୁ ଜୟପୁର ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ, ଉଭୟ ନୂଆବର୍ଷ ପାଳନ ପାଇଁ ରାଜସ୍ଥାନ ଯାଇଛନ୍ତି। ୨୦୨୦ରେ ଦୀପିକାଙ୍କ ଜୀବନରେ ଅନେକ ଅଶାନ୍ତ ଝଡ଼ ଆସିଥିଲା। ଡ୍ରଗ୍ସ ମାମଲାରେ ନାଁ ଆସିବା ପରେ ଦୀପିକାଙ୍କୁ ଏନ୍ସିବିର ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ସୂଚନାଥାଉ କି, ବଲିଉଡ୍ ଡ୍ରଗ୍ସ ଲିଙ୍କକୁ ନେଇ ଏନ୍ସିବିର ଖୋଳତାଡ଼ ବେଳେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ନାଁ ସାମ୍ନାକୁ ଆସିଥିଲା। ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାର ତଦନ୍ତ ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଫୋନ ଯାଞ୍ଚ ବେଳେ ଡ୍ରଗ୍ସ ଚାଟ୍କୁ ନେଇ ବଲିଉଡ୍ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। କରିସ୍ମାଙ୍କ ସହ ହିଁ ଦୀପିକାଙ୍କ ଡ୍ରଗ୍ସ ଲିଙ୍କ୍ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଦୀପିକା, କରିସ୍ମାଙ୍କ ସହ ମାଲ୍ ହେ କ୍ୟା ଭଳି ଚାଟ୍ କରିଥିଲେ। ଏହି ଚାଟ୍ ସାମ୍ନାକୁ ଆସିବା ପରେ ସେହି ସମୟରେ ଚର୍ଚ୍ଚା ଜୋର ଧରିଥିଲା।