ବଲିଉଡ ନିର୍ଦ୍ଦେଶକଙ୍କ ଝିଅ କରୋନା ଆକ୍ରାନ୍ତ

ମୁମ୍ୱାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କ ଝିଅ ଶଜା ମୋରାନି କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଟେଷ୍ଟ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଛି।  ରିପୋର୍ଟ ଦେଖିବା ପରେ ପୂରା ପରିବାର  ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଶାହାରୁଖ ଖାନ୍‌ଙ୍କ ସହ ଘନିଷ୍ଠ ଥିବା କରିମ ମୋରାନି ଏ ନେଇ ଚିନ୍ତାରେ ଥିବା ଜଣାପଡିଛି।

କରିମ ତାଙ୍କ ପୁରା ପରିବାର ସହିତ ମୁମ୍ବାଇର ଜୁହୁ ଅଞ୍ଚଳରେ ରୁହନ୍ତି। ସେଠାରେ ବଲିଉଡର ଅନେକ କଳାକାରମାନେ ମଧ୍ୟ ରୁହନ୍ତି। ଜୁହୁ ଅଞ୍ଚଳରେ ଏହା ପ୍ରଥମ କରୋନା ପଜିଟିଭ କେସ୍‌ ବୋଲି ଜଣାପଡିଛି। ଫଳରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ରବିବାର ସନ୍ଧ୍ୟାରେ ଟେଷ୍ଟ ରିପୋର୍ଟ ଦେଖିବା ପରେ ଶଜାଙ୍କ  କରୋନାରେ ପଜିଟିଭ ଥିବା ଜଣାପଡିଥିଲା।  ତାଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶଜା ତାଙ୍କ ବାପାମା’ ଓ ଭଉଣୀ ଜୋୟା ମୋରାନିଙ୍କ ସହ ରୁହନ୍ତି। ଜୋୟା ଜଣେ ବଲିଉଡ ଅଭିନେତ୍ରୀ।

ଶଜା ମୋରାନିଙ୍କ ପରିବାର ରହୁଥିବା ବିଲ୍ଡିଂର ନାମ ଶଗୁନ୍‌। ପରେ ଏହି ବିଲ୍ଡିଂକୁ ଲକ୍‌ଡାଉନ୍‌ କରାଯାଇଛି। ଶଜାଙ୍କ ପରିବାରରେ ରହୁଥିବା ୯ଜଣ ସଦସ୍ୟଙ୍କର କରୋନା ପରୀକ୍ଷା କରାଯିବ।

ଚେନ୍ନାଇ ଏକ୍ସପ୍ରେସ ଚଳଚ୍ଚିତ୍ରର ନିର୍ମାତା କରିମ ମୋରାନି ହେଉଛନ୍ତି ଶାହରୁଖ ଖାନ୍‌ଙ୍କ ଘନିଷ୍ଠ ବନ୍ଧୁ। ବଲିଉଡର ପ୍ରତ୍ୟେକ ପ୍ରମୁଖ ପାର୍ଟିର ଆୟୋଜନ କରିବାର ଶ୍ରେୟ ମଧ୍ୟ ମୋରାନି ପରିବାରକୁ ଯାଇଥାଏ।  ଏହି ସମୟରେ ଶଜା ମୋରାନୀଙ୍କ କରୋନା ପଜିଟିଭ୍ ଆସିବା ଅତ୍ୟନ୍ତ ଚିନ୍ତାଜନକ କାରଣ ଜୁହୁରେ ଅମିତାଭ ବଚ୍ଚନ, ହ୍ରିତିକ ରୋଶନଙ୍କ ପରି ବଡ଼ ତାରକା ମଧ୍ୟ ଅଛନ୍ତି।

ପୂର୍ବରୁ ବଲିଉଡର ସିଙ୍ଗର କନିକା କପୁର ମଧ୍ୟ କରୋନା ପଜିଟିଭ୍ ଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ କନିକା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। କନିକାଙ୍କ କ୍ରମାଗତ ଦ୍ୱିତୀୟ ରିପୋର୍ଟ କରୋନାରେ ନେଗେଟିଭ୍‌ ହୋଇଛି। ଏହା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

You might also like