ମୃତ୍ୟୁର ୯ ଦିନ ପୂର୍ବରୁ ରିୟାଙ୍କ ସହ ଫୋନ୍ରେ କଥା ହୋଇଥିଲେ ସୁଶାନ୍ତ, କଲ୍ ରେକର୍ଡସ୍ରୁ ହେଲା ଖୁଲାସା
ମୁମ୍ବାଇ: ମୃତ୍ୟୁର ୯ ଦିନ ପୂର୍ବରୁ ଶେଷଥର ପାଇଁ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଫୋନ୍ରେ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସହ କଥା ହୋଇଥିଲେ। ଅଳ୍ପ ସମୟ ପାଇଁ ସେ ରିୟାଙ୍କ ସହ କଥା ହୋଇଥିଲେ। କଲ୍ ଡିଟେଲ ରେକର୍ଡସ୍(CDR)ରୁ ଏହା ଜଣାପଡ଼ିଛି।
CDRରୁ ମିଳିଥିବା ତଥ୍ୟ ଅନୁସାରେ, ଜୁନ୍ ୫ରେ ସୁଶାନ୍ତ ଓ ରିୟା୨ ଥର ଫୋନ୍ରେ କଥା ହୋଇଥିଲେ। ଏହି ବାର୍ତ୍ତାଳାପ ୨ ମିନିଟ୍ରୁ ମଧ୍ୟ କମ୍ ଥିଲା। ଜୁନ୍ ୫ ସକାଳ ୮ଟା ୧୯ରେ ସୁଶାନ୍ତ ରିୟାଙ୍କୁ କଲ୍ କରିଥିଲେ ଓ ୧୧୪ ସେକେଣ୍ଡ୍ କଥା ହୋଇଥିଲେ। ଏହାପରେ ରିୟା ସୁଶାନ୍ତଙ୍କୁ ଜୁନ୍ ୬ ସକାଳ ୯ଟା ୫୯ରେ କଲ୍ କରି ୩ ସେକେଣ୍ଡ୍ରୁ କମ୍ ସମୟ ଯାଏ କଥା ହୋଇଥିଲେ।
ଜୁନ୍ ୧ରୁ-୪ଭିତରେ ସୁଶାନ୍ତ ରିୟାଙ୍କୁ ନା କୌଣସି ଫୋନ୍ କରିଥିଲେ କିମ୍ବା ରିୟା ସୁଶାନ୍ତଙ୍କୁ କୌଣସି କଲ୍ କରିଥିଲେ। ଏହାପୂର୍ବରୁ ମେ’ରେ ସୁଶାନ୍ତ ଓ ରିୟା ଫୋନ୍ରେ ୧୯ ଥର କଥା ହୋଇଥିଲେ। ମେ’୯ରେ ସବୁଠାରୁ ଅଧିକ ସମୟ ସାଢ଼େ ୫ ମିନିଟ୍ ଯାଏ ଉଭୟ ଫୋନ୍ରେ କଥା ହୋଇଥିଲେ। ସେହି ଦିନ ସନ୍ଧ୍ୟା ୬ଟା ୩ରେ ରିୟା, ସୁଶାନ୍ତଙ୍କୁ ଏହି କଲ୍ କରିଥିଲେ। ସେଇଦିନ ଅପରାହ୍ଣ ୪ଟା ୨୨ରେ ମଧ୍ୟ ରିୟା, ସୁଶାନ୍ତଙ୍କୁ କଲ୍ କରିଥିଲେ।
କଲ୍ ଡିଟେଲ ରେକର୍ଡସ୍ରୁ ଜଣାପଡ଼ିଛି, ଏପ୍ରିଲ୍ରେ ଉଭୟ ଫୋନ୍ରେ କଥା ହୋଇନଥିଲେ। ଏହା ପୂର୍ବରୁ ସୁଶାନ୍ତ ଓ ରିୟା ମାର୍ଚ୍ଚ ୨୩ ସକାଳ ୯ଟା ୫୫ରେ କଥା ହୋଇଥିଲେ। ସବୁଠାରୁ ବଡ଼ କଥା, ରିୟା ସୁଶାନ୍ତଙ୍କୁ ଯେତିକି କଲ୍ କରି ନାହାନ୍ତି ତା’ଠୁ ଅଧିକ କଲ୍ ତାଙ୍କ ସହଯୋଗୀମାନଙ୍କୁ କରିଥିବା କଲ୍ ଡିଟେଲ ରେକର୍ଡସ୍ରୁ ଜଣାପଡ଼ିଛି।
କଲ୍ ଡିଟେଲ ରେକର୍ଡସ୍ରୁ ଆହୁରି ମଧ୍ୟ ଜଣାପଡ଼ିଛି, ରିୟା ସୁଶାନ୍ତଙ୍କ ଏକ୍ସ-ମ୍ୟାନେଜର୍ ଶ୍ରୁତି ମୋଦିଙ୍କୁ ୫୬୯ଥର ଫୋନ୍ କରିଥିଲେ। ଆଉ ଶ୍ରୁତି ରିୟାଙ୍କୁ ୨୨୨ଥର କଲ୍ କରିଥିଲେ। ରିୟା, ଖାଲି ଶ୍ରୁତିଙ୍କ ସହ ସବୁବେଳେ ଯୋଗାଯୋଗରେ ନ ଥିଲେ ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର୍ ସାମୁଏଲ୍ ମିରାଣ୍ଡାଙ୍କ ସହ ମଧ୍ୟ ସେ ଯୋଗାଯୋଗରେ ଥିଲେ। ରିୟା ସାମୁଏଲ୍ଙ୍କୁ ୨୫୯ଥର କଲ୍ କରିଥିବାବେଳେ ୨୮ଥର ସାମୁଏଲ୍ ରିୟାଙ୍କୁ କଲ୍ କରିଥିଲେ।
୨୦୧୯ ଅଗଷ୍ଟ ୧୬ରୁ ୨୦୨୦ ଜୁଲାଇ ୧୪ ମଧ୍ୟରେ ରିୟା ଓ ସାମୁଏଲ୍ ମଧ୍ୟରେ ଏହି ଫୋନ୍ କଲ୍ ହୋଇଥିଲା। ଏପରିକି ରିୟା ବଲିଉଡ୍ ଡାଇରେକ୍ଟର ତଥା ପଡ୍ୟୁସର୍ ମହେଶ ଭଟ୍ଟଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲେ। ଚଳିତ ବର୍ଷ ଜାନୁଆରୀ୧୨ରୁ ଫେବୃଆରୀ ୩ ମଧ୍ୟରେ ରିୟା, ମହେଶ ଭଟ୍ଟଙ୍କୁ ୯ ଥର କଲ୍ କରିଥିବା ବେଳେ ମହେଶ ଭଟ୍ଟ ରିୟାଙ୍କୁ ୭ଥର କଲ୍ କରିଥିଲେ।
ଜୁନ୍ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍ରେ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା।
(IANS)