ସୁଶାନ୍ତଙ୍କ ଫ୍ଲାଟ୍ରେ ଲୁଚି ରହିଛି କି ମୃତ୍ୟୁର ରହସ୍ୟ ? CBI ଖୋଜୁଛି ସୁରାକ୍
ମୁମ୍ବାଇ: ସିବିଆଇର ସ୍ପେଶାଲ୍ ଟିମ୍ ଗତକାଲି ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍କୁ ଯାଇ ସେଠାରେ ୬ ଘଣ୍ଟା ଧରି କ୍ରାଇମ୍ ସିନ୍କୁ ରିକ୍ରିଏଟ୍ କରିଥିଲା।
କିପରି ହୋଇଥିଲା ଏହି କ୍ରାଇମ ସିନ୍ ରିକ୍ରିଏଟ୍, ଆସନ୍ତୁ ଜାଣିବା…
- ସୁଶାନ୍ତଙ୍କ ଓଜନ ଓ ସମାନ ଉଚ୍ଚତା ଥିବା ଏକ କଣ୍ଢେଇକୁ ଡମି ଭାବେ ବ୍ୟବହାର କରାଯାଇଥିଲା।
- ଲକ୍ ଖୋଲିଥିବା ମେକାନିକ୍ ମହମ୍ମଦ୍ ରଫି ସେଖ୍ଙ୍କ ବୟାନ ମୁତାବକ, ଲକ୍କୁ ଖୋଲିବାକୁ ଚେଷ୍ଟା କରାଗଲା। ଏଥିପାଇଁ ୫ରୁ ୧୦ ମିନିଟ୍ ସମୟ ଲାଗିଥିଲା।
- ଏହି କ୍ରାଇମ୍ ସିନ୍ ରିକ୍ରିଏଟ୍ ସମୟରେ ସୁଶାନ୍ତଙ୍କ ସହ ଫ୍ଲାଟ୍ରେ ରହୁଥିବା ସିଦ୍ଧାର୍ଥ ପିଠାନୀ, ଦୀପେଶ ସାୱନ୍ତ ଓ ସୁଶାନ୍ତଙ୍କ ରୋଷେୟା ନିରଜ ମଧ୍ୟ ଉପସ୍ଥିତ ଥିଲେ। ସିଦ୍ଧାର୍ଥଙ୍କ ବୟାନ ଆଧାରରେ ସିବିଆଇ ଘଟଣାର ପୁନରାବୃତ୍ତି କରିଥିଲା।
- ମୁମ୍ବାଇ ପୋଲିସର ତଦନ୍ତ ଅନୁସାରେ ସୁଶାନ୍ତ ନିଜର ଏକ କୁର୍ତା ଜରିଆରେ ଝୁଲିଥିଲେ। ଠିକ୍ ସମାନ ଲମ୍ବା ଓ କପଡ଼ାର କୁର୍ତାକୁ ବେଡ୍ ରୁମ୍ରେ ଲାଗିଥିବା ଫ୍ୟାନ୍ ସହ ସଂଯୋଗ କରାଯାଇଥିଲା। ସୁଶାନ୍ତଙ୍କ ଉଚ୍ଚତା ୫ ଫୁଟ୍ ୧୦ ଇଞ୍ଚ ଥିବାବେଳେ ବେଡ୍ର ଉଚ୍ଚତା ଓ ଫ୍ୟାନ୍ର ଦୂରତାକୁ ଏହି ସମୟରେ ମପାଯାଇଥିଲା।
- ସୁଶାନ୍ତଙ୍କ ମୃତଦେହ ମିଳିବା ଦିନ କୁର୍ତାକୁ କେଉଁ ଭଳି ଭାବେ ବନ୍ଧା ଯାଇଥିଲା ତାକୁ ବି ଅନୁଧ୍ୟାନ କରାଯାଇଛି।
- ଏହାସହ ସୁଶାନ୍ତଙ୍କ ମୃତଦେହକୁ କିପରି ସିର୍ଦ୍ଧାଥ ପିଠାନୀ ଏକୁଟିଆ ବାହାର କଲେ ସେ ନେଇ ବି ଡମି କରାଯାଇଥିଲା।
- ସୁଶାନ୍ତଙ୍କ ଘରକୁ ପୂରାପୂରି ସର୍ଚ୍ଚ କରାଯାଇଥିବା ବେଳେ ଘରର ଛାତ ଓ ଏହାର ଆଖପାଖ ଅଞ୍ଚଳର ଭିଡିଓ ଶୁଟିଂ କରାଯାଇଥିଲା।
- ବିଲ୍ଠିଂର ୨ଜଣ ସିକ୍ୟୁରିଟି ଗାର୍ଡଙ୍କ ବୟାନ ରେକର୍ଡ କରାଯିବା ସହ ବିଲ୍ଠିଂ ଭିତରକୁ ପ୍ରବେଶ ଅନୁମତି ପାଇଁ ଥିବା ରେଜିଷ୍ଟର ଖାତାକୁ ମଧ୍ୟ ସିବିଆଇ ନେଇଥିବା ଜଣାପଡ଼ିଛି।
କୁହାଯାଉଛି, ଏହି କ୍ରାଇମ୍ ସିନ୍ ରିକ୍ରିଏଟ୍ ସମୟରେ ସିବିଆଇ ଟିମ୍ ସହ Forensic Science Laboratory ଟିମ୍ର ବରିଷ୍ଠ ଓ ଅଭିଜ୍ଞ ବିଶେଷଜ୍ଞ ଉପସ୍ଥିତ ଥିଲେ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏହି କ୍ରାଇମ୍ ସିନ୍ ରିକ୍ରିଏଟ୍ ବେଶ୍ ଗୁରୁତ୍ୱ ବହନ କରୁଛି।
ପଢ଼ନ୍ତୁ: ଜୁନ୍ ୧୩ ତାରିଖ ରାତିରେ କ’ଣ ଘଟିଥିଲା ସୁଶାନ୍ତଙ୍କ ଘରେ ? ପଡ଼ୋଶୀ ଦେଲେ ଆଶ୍ଚର୍ଯ୍ୟଜନକ ତଥ୍ୟ