କରୋନାରେ ଆଖି ବୁଜିଲେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ

ମୁମ୍ବାଇ: କରୋନାରେ ପ୍ରାଣ ହରାଇଲେ ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । କୋଭିଡ୍ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗୁରୁବାର ବିଳମ୍ବିତ ରାତିରେ ସେ କରୋନା ଯୁଦ୍ଧରେ ହାରିଯାଇଛନ୍ତି।

ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ପୁରା ନାଁ ଶ୍ରବଣ ରାଥୋଡ୍ । ୯୦ ଦଶକରେ ବଲିଉଡ଼ର ଚର୍ଚ୍ଚିତ ସଙ୍ଗୀତ ନିର୍ଦେଶକ ଯୋଡି ଥିଲେ ନଦୀମ-ଶ୍ରବଣ। ଉଭୟେ ଦର୍ଶକଙ୍କୁ ଅନେକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି।

୯୦ ଦଶକରେ ନଦୀମ-ଶ୍ରବଣ ଯୋଡ଼ିଙ୍କ ମଧୁର ଗୀତ ସମସ୍ତଙ୍କ କଣ୍ଠରୁ ଗୁଣୁଗୁଣୁ ହୋଇ ଝରୁଥିଲା। ଶ୍ରବଣ ରାଠୋଡ଼ ଏବଂ ନଦୀମ ସୈଫୀ ଯୋଡ଼ି ଏହି ସମୟରେ ଅନେକ ବଡ ବଡ ଫିଲ୍ମକୁ ସୁପର ହିଟ୍‌ ଗୀତ ଦେଇଥିଲେ। ଆଶିକୀ, ସାଜନ, ରାଜା ହିନ୍ଦୁସ୍ଥାନୀ, ପରଦେଶ ପରି ବହୁ ସୁପର ହିଟ୍‌ ଫିଲ୍ମର ମ୍ୟୁଜିକ ଦେଇଥିଲେ ଏହି ଯୋଡ଼ି।

ହଠାତ୍‌ ଏହି ଲୋକପ୍ରିୟ ସଙ୍ଗୀତକାରଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି ବଲିଉଡ। ନିର୍ଦ୍ଦେଶକ ଅନିଲ ଶର୍ମା ପ୍ରଥମେ ଟ୍ୱିଟ କରି ଏହି ସୂଚନା ଦେଇଥିଲେ। ସେହିପରି ନିଜ ସହଯୋଗୀ ଶ୍ରବଣଙ୍କୁ ହରାଇ ନଦୀମ ସୈଫୀ ମଧ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି।

ଶ୍ରବଣଙ୍କ ବିୟୋଗରେ ବଲିଉଡର ଅନେକ କଳାକାର ସୋସିଆଲ ମିଡିଆରେ ଶୋକବାର୍ତ୍ତା ପଠାଇଛନ୍ତି। ବଲିଉଡ କଳାକାର ଅକ୍ଷୟ କୁମାର ଶୋକବାର୍ତ୍ତାରେ କହିଛନ୍ତି- ‘ଏହା ଏକ ଅତ୍ୟନ୍ତ ଦଃଖଦାୟକ ଖବର। ନଦୀମ-ଶ୍ରବଣ ଯୋଡି ୯୦ ଏବଂ ତା ପରବର୍ତ୍ତୀ ସମୟର ଅନେକ ଫିଲ୍ମରେ ଯାଦୁ ସୃଷ୍ଟି କରିଥିଲେ। ତାଙ୍କ ପରିବାର ପ୍ରତି ଗଭୀର ସମବେଦନା। ”

You might also like