କରୋନା ଲଢେଇ ପାଇଁ ପୁଣି ସହାୟତାର ହାତ ବଢାଇଲେ କିଙ୍ଗ ଖାନ୍

ମୁମ୍ୱାଇ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସବୁକିଛି ଠପ୍‌ ହୋଇଯାଇଛି। ଏହି ଅସୁବିଧା ସମୟରେ ବଲିଉଡର କିଙ୍ଗ୍‌ ଖାନ୍‌ ଶାହାରୁଖ ପୂର୍ବରୁ କରୋନାଭାଇରସ୍ ଲଢ଼େଇ ପାଇଁ ରିଲିଫ୍‌ ଫଣ୍ଡକୁ ଅର୍ଥରାଶି ଦାନ କରିବା ସହିତ ଅନେକ ସହାୟତା ଘୋଷଣା କରିଥିଲେ। ବର୍ତ୍ତମାନ ଶାହାରୁଖ କୋଭିଡ-୧୯ ସହିତ ଲଢ଼େଇକରୁଥିବା ମେଡିକାଲ କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ୨୫,୦୦୦ ପିପିଇ(PPE) କିଟ୍‌ ଦାନ କରିଛନ୍ତି। ଏନେଇ ମହାରାଷ୍ଟ୍ର ସ୍ୱାସ୍ଥମନ୍ତ୍ରୀ ରାଜେଶ ଟୋପେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଟ୍ୱିଟକରି ଶାହରୁଖ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “୨୫,୦୦୦ ପିପିଇ(PPE) କିଟ୍‌ ଦେଇଥିବାରୁ ଶାହାରୁଖ ଖାନଙ୍କୁ ବହୁତ ବହୁତ ଧନ୍ୟବାଦ। ଏହା କୋଭିଡ-୧୯ ବିରୁଦ୍ଧରେ ଆମର ଲଢ଼େଇ ପାଇଁ ସାହାଯ୍ୟ କରିବା ସହ ମେଡିକାଲ ଟିମ୍‌କୁ ସୁରକ୍ଷା ଯୋଗାଇବ । ଲୋକମାନେ ରାଜେଶ ଟୋପେଙ୍କ ଟ୍ୱିଟ୍‌ରେ ଅନେକ ମନ୍ତବ୍ୟ ଦେଉଛନ୍ତି ଏବଂ ସେମାନଙ୍କ ମତାମତ ମଧ୍ୟ ଦେଉଛନ୍ତି।

ଏହାପୂର୍ବରୁ ଶାହରୁଖ ଖାନ ତାଙ୍କ କମ୍ପାନୀ ଗ୍ରୁପ୍ ସହିତ ମିଶି ସାହାଯ୍ୟର ହାତ ବଢ଼ାଇଥିଲେ। ମୁମ୍ୱାଇରେ ୫୫୦୦ ପରିବାରକୁ ଖାଦ୍ୟ ଯୋଗାଇବା,୧୦,୦୦୦ ଲୋକଙ୍କ ପାଇଁ ୩ଲକ୍ଷଖାଦ୍ୟ କିଟ୍‌, ଦିଲ୍ଲୀରେ ୨୫୦୦ ଶ୍ରମିକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଇଛନ୍ତି। ଏହା ବ୍ୟତୀତ ଶାହାରୁଖ ଖାନ ତାଙ୍କର ୪ମହଲା ବିଶିଷ୍ଠ କାର୍ଯ୍ୟାଳୟକୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ର କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ।

You might also like