ଖୋଲିଲା ନିଶୁଆ ପାନ ଦୋକାନୀଙ୍କ ରାଜ୍, ଦାମୀ ପାନ ଖୁଆଇ କରୁଥିଲେ ମତୁଆଲା
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ପରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍କୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB) ଛାନ୍ଭିନ୍ ଆରମ୍ଭ କରିଛି। ଡ୍ରଗ୍ସ ମାମଲାରେ ବଲିଉଡ୍ର ପ୍ରମୁଖ ଅଭିନେତା, ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ସେମାନେ ଜେରାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି। ଏବେ ଏହି ମାମଲାରେ ଏନ୍ସିବି ରାଡାରରେ ଜଣେ ନିଶୁଆ ପାନ ଦୋକାନୀ ଅଛନ୍ତି। ଯାହାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
ମୁମ୍ବାଇର କେମ୍ପସ୍ କର୍ଣ୍ଣରରେ ନିଶୁଆ ପାନ ବେପାରୀ ଭାବେ ପରିଚିତ ରାମଶଙ୍କର ତିୱାରୀଙ୍କ ପାନ ଦୋକାନ ରହିଛି। ତାଙ୍କ ଦୋକାନରୁ ପାନ ଖାଇବା ପାଇଁ ଦୋକାନ ସାମ୍ନାରେ VVIPଙ୍କ ଭିଡ଼ ଜମେ ବୋଲି ସୂଚନା ମିଳିଛି। ଶୁଣିବାକୁ ମିଳୁଛି ଯେ, କୁଆଡ଼େ ତାଙ୍କ ପାନ ଖାଇ ଲୋକମାନେ ମତୁଆଲା ହୋଇ ଯାଆନ୍ତି। ସେଥିପାଇଁ ତ ଦୋକାନ ସାମ୍ନାରେ ସବୁବେଳେ ଭିଡ଼ ଜମେ। ପାନର ଦାମ୍ ସେ ୫୦ଟଙ୍କାରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ରଖିଛନ୍ତି।
କେମିତି ସାମ୍ନାକୁ ଆସିଲା ରାମଶଙ୍କରଙ୍କ ନାଁ ?
ଡ୍ରଗ୍ସ ମାମଲାରେ ଦୁଇ ଦିନ ତଳେ ଏନ୍ସିବି ଅଭିନେତ୍ରୀ ଦୀୟା ମିର୍ଜାଙ୍କ ପୂର୍ବତନ ମ୍ୟାନେଜର ରାହିଲା ଫର୍ଣ୍ଣିଚରୱାଲା, ବ୍ରିଟିଶ ନାଗରିକ କରନ ସଜନାନୀ ଓ ଅନ୍ୟ ୨ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ନିକଟରୁ ପାଖାପାଖି ୨୦୦ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଏହାପରେ ଭରତ ତିୱାରୀଙ୍କ ନାଁ ସାମ୍ନାକୁ ଆସିଥିଲା। ତେଣୁ ହାଜର ପାଇଁ ଏନ୍ସିବି ତାଙ୍କୁ ସମନ କରିଥିଲା। ଆଜି ସେ ହାଜର ହେବେ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, କରନ ସଜନାନୀଙ୍କୁ ଏନ୍ସିବିର ଜେରା ବେଳେ ରାମଶଙ୍କରଙ୍କ ନାଁ ସାମ୍ନାକୁ ଆସିଥିଲା। କରନ ହିଁ ରାମଶଙ୍କରଙ୍କୁ ଡ୍ରଗ୍ସ ସପ୍ଲାୟ କରୁଥିଲେ ବୋଲି ଜଣାପଡ଼ିଛି। ଏହାପରେ ରାମଶଙ୍କରଙ୍କୁ ଏନ୍ସିବି ସମନ କରିଥିଲା।
ଅନ୍ୟପକ୍ଷରେ, ଡ୍ରଗ୍ସ ମାମଲାରେ ଏନ୍ସିବିର ସମନ ପରେ ଅଭିନେତା ଅର୍ଜୁନ ରାମପାଲ୍ଙ୍କ ଭଉଣୀ କୋମଲ ରାମପାଲ୍ ଆଜି ଏନ୍ସିବି ଅଫିସରେ ହାଜର ହୋଇଛନ୍ତି। ତାଙ୍କୁ ଜେରା ଚାଲିଥିବା ଜଣାପଡ଼ିଛି।
ଏଠାରେ ପ୍ରଶ୍ନ ଉଠୁଛି ରାମଶଙ୍କର କ’ଣ ପାନରେ କିଛି ନିଶାଦ୍ରବ୍ୟ ମିଶାଉଥିଲେ କି ? ଯାହାକୁ ଖାଇବା ପାଇଁ ଲୋକଙ୍କ ଭିଡ଼ ଜମୁଥିଲା। ନା ସେ ଡ୍ରଗ୍ସ ସପ୍ଲାୟ କରୁଥିଲେ ? ନା ଏହା ପଛରେ ରହିଛି ଆଉ କିଛି କାରଣ… ଜେରା ପରେ ଏସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି।
ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ପରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ଘଟଣା ସାମ୍ନାକୁ ଆସିଥିଲା। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ଭାଇ ଶୌଭିକ୍, ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର୍ ସାମୁଏଲ୍ ମିରାଣ୍ଡା, ପର୍ସନାଲ୍ ଷ୍ଟାଫ୍ ଦୀପେଶ ସାୱନ୍ତଙ୍କ ସମେତ ଅନେକଙ୍କୁ ଏନ୍ସିବି ଗିରଫ କରିଥିଲା। ୨୮ ଦିନ ଜେଲ୍ରେ ରହିବା ପରେ ଏହି ମାମଲାରେ ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ।
ଏନ୍ସିବି ଏହି ମାମଲାରେ ବଲିଉଡ୍ର ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚରା କରିଥିଲା।