ସଲମାନ୍ ଖାନଙ୍କ ଭଉଣୀଙ୍କର କରାଗଲା କରୋନା ଟେଷ୍ଟ

ମଣ୍ଡି (ହିମାଚଳ ପ୍ରଦେଶ): କରୋନାକୁ ନେଇ ଚିନ୍ତିତ ବଲିଉଡର ଷ୍ଟାର୍ ଅଭିନେତା ସଲମାନ୍ ଖାନ୍। କାରଣ ତାଙ୍କ ଭଉଣୀ ଅର୍ପିତା ଓ ଭିଣୋଇ ଆୟୂଷ ଶର୍ମା ଏବଂ ଦୁଇ ପିଲାଙ୍କ ସମେତ ସେମାନଙ୍କ ପରିବାରର ୧୦ଜଣ ସଦସ୍ୟଙ୍କର କରୋନା ଟେଷ୍ଟ କରାଯାଇଛି। ତେବେ ସଲମାନଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର ହେଉଛି, ସମସ୍ତଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ କରୋନା ଟେଷ୍ଟ ପାଇଁ ସମସ୍ତଙ୍କର ସାମ୍ପଲ ନେଇଥିଲା। ସଲମାନଙ୍କ ଭଉଣୀ ଅର୍ପିତା ବର୍ତ୍ତମାନ ହିମାଚଳ ପ୍ରଦେଶର ମଣ୍ଡିରେ ନିଜ ପତି ଆୟୂଷଙ୍କ ଘରେ ରହୁଛନ୍ତି।

ଅର୍ପିତା ଓ ଆୟୂଷ ନିଜର ଦୁଇ ପିଲାଙ୍କ ସହ ଜୁନ୍ ୧୫ ତାରିଖରେ ମୁମ୍ବାଇରୁ ହେଲିକପ୍ଟର ଯୋଗେ ମଣ୍ଡି ପହଞ୍ଚିଥିଲେ। ସାଙ୍ଗରେ ଛୋଟ ପିଲା ଥିବାରୁ ସେମାନଙ୍କୁ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ପଡ଼ିଥିଲା। ଆୟୂଷଙ୍କ ପରିବାର ସମେତ ପିତା ଏବଂ ବିଧାୟକ ଅନୀଲ ଶର୍ମାଙ୍କ ନୂଆ ଘରେ କ୍ୱାରେଣ୍ଟିନରେ ଅଛନ୍ତି। ତେବେ ମଣ୍ଡି ଯିବା ନେଇ ଆୟୂଷଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ୍ କରାଯାଉଛି। ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠୁଛି ଯେ, ରେଡ୍ ଜୋନ୍ (ମୁମ୍ବାଇ)ରୁ ଆସିବା ସତ୍ତ୍ୱେ ତାଙ୍କ ପରିବାରଙ୍କୁ କାହିଁକି ହୋମ କ୍ୱାରେଣ୍ଟିନରେ ରଖାଗଲା।

ସୂଚନାଯୋଗ୍ୟ, ମଣ୍ଡିରେ ମୋଟ ୨୪ କରୋନା ଭାଇରସ୍ ମାମଲା ଅଛି। ଏଥିରୁ ୨୧ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ଆଉ ଜଣେ ସକ୍ରିୟ ଅଛନ୍ତି।

You might also like