ଜନ୍ମଦିନ ଅବସରରେ କେକ୍ କାଟିବାକୁ ପସନ୍ଦ କରନ୍ତିନି ଏହି ବଲିଉଡ କଳାକାର

ମୁମ୍ବାଇ: ଆଜି ବଲିଉଡ୍‌ର ଷ୍ଟାଇଲିସ୍ ହୀରୋ ଅଜୟ ଦେବଗନ୍‌ଙ୍କ ଜନ୍ମଦିନ । ୫୨ ବର୍ଷରେ ପଦାର୍ପଣ କରିଥିବା ଏହି ସୁପର୍‌ଷ୍ଟାର୍ ବଲିଉଡ୍‌କୁ ଦେଇଛନ୍ତି ଅନେକ ଲୋକପ୍ରିୟ ସିନେମା । ଅଜୟଙ୍କ ନାମ ଉଠିଲେ ଆଜି ବି ମନେପଡେ “ଫୁଲ୍ ଔର୍ କାଣ୍ଟେ”ର ସେହି ଦମ୍‌ଦାର୍‌ ସିନ୍ । ଦୁଇ ଚଳନ୍ତା ଗାଡିରେ ଅଜୟଙ୍କ ଗୋଡ ଫଡା ଦୃଶ୍ୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା । ତାଙ୍କୁ ଯେତେବେଳେ ୨୨ ବର୍ଷ ହୋଇଥିଲା ସେ ବଲିଉଡ୍‌ରେ ପ୍ରବେଶ କରିଥିଲେ । ଏହା ଭିତରେ ଚାଲିଗଲାଣି ୩୦ ବର୍ଷ । ସେ ବଲିଉଡ୍‌କୁ ଦେଇସାରିଲେଣି ଶହେରୁ ଅଧିକ ସିନେମା ।

ଅଜୟଙ୍କ ଜନ୍ମଦିନକୁ ନେଇ‍ ସେ କୁହନ୍ତି ଯେ,  ସେ ଜନ୍ମଦିନ ଅବସରରେ କେକ୍ କାଟିବାକୁ ପସନ୍ଦ କରନ୍ତି ନାହିଁ । ଅବଶ୍ୟ ତାଙ୍କ ଅଫିସ୍, ସୁଟିଂ ସେଟ୍ ଓ ଘରେ କେକ୍ କଟାଯାଏ। ତେବେ ପିଲାମାନଙ୍କୁ ବା ପୁତୁରାମାନଙ୍କୁ ସେ ଏହି କାମ କରିବାକୁ ସୁଯୋଗ ଦିଅନ୍ତି କହିଛନ୍ତି ।  ଯଦିଓ ଅଜୟଙ୍କ ପରିବାର ତାଙ୍କ ଜନ୍ମଦିନକୁ ପାଳନ କରୁଛନ୍ତି କିନ୍ତୁ ଏନେ‍ଇ ସେ ସେଭଳି ଉତ୍ସାହିତ ନ ଥିବା କହିଛନ୍ତି ।

ବର୍ତ୍ତମାନ ବି କୋଭିଡ୍-୧୯ ମହାମାରୀର ବିଭିନ୍ନ ନୀତିନିୟମ ଜାରି ଚାଲିଛି । ତଥାପି ତାଙ୍କ ମା ଓ ପତ୍ନୀ ଏହାକୁ ସ୍ୱତନ୍ତ୍ର କରିବା ନେଇ ନିଜ ସ୍ୱଜନମାନଙ୍କୁ ନିମନ୍ତ୍ରଣ କରିବେ ବୋଲି ଅଜୟ କହିଛନ୍ତି । ଏହି ଅବସରରେ ସେ ତାଙ୍କ ଫ୍ୟାନ୍‌ ଓ ଶୁଭକାଂକ୍ଷୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅଜୟଙ୍କ ଜନ୍ମଦିନ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଆସିଛି । ସିନେ ନିର୍ମାତା ଓମ୍ ରାୱତ୍ ଅଜୟଙ୍କ ସହ ତାଙ୍କର ସ୍ମୃତିକୁ ରୋମନ୍ଥନ କରିବାକୁ ଯା‍ଇ କହିଛନ୍ତି ଯେ ଅଜୟଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ “ତାହ୍ନାଜୀ : ଦ ଅନ୍‌ସଙ୍ଗ ୱାରିଅର୍” ସେଟ୍‌ରେ। ତାଙ୍କ ବ୍ୟକ୍ତିତ୍ୱ ଏତେ ଉତ୍ସାହିତ କରିଥିଲା ଯେ ତାଙ୍କୁ ବଡ ଭାଇ ଭଳି ମନେହୋ‍ଇଥିଲା ।

ଦୁନିଆଁ ତାଙ୍କୁ ଜଣେ ଅଭିନେତା, ସିନେ ନିର୍ମାତା ଭାବେ ଜାଣନ୍ତି ସତ କିନ୍ତୁ ସେ ଓମ୍‌ଙ୍କ ପାଇଁ ଅଧିକ କିଛି ବୋଲି କହନ୍ତି ଅଜୟ। ଅଜୟଙ୍କ ଜନ୍ମଦିନ ଉପଲକ୍ଷେ ସେ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହିତ ତାଙ୍କର ସବୁ ସ୍ୱପ୍ନ ପୂରାହେବା ନେ‍ଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

 

You might also like