ପ୍ରଭାସଙ୍କ ସହ ରିଲେସନ୍ସିପ୍କୁ ନେଇ ମୁହଁ ଖୋଲିଲେ ଅନୁଷ୍କା
ମୁମ୍ବାଇ: ବଲିଉଡ଼ରେ ଯେମିତି ସୁପରଷ୍ଟାର ସଲମାନ୍ ଖାନ୍ଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା, ସେମିତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ବିବାହକୁ ନେଇ ମଧ୍ୟ ଗତ କିଛି ବର୍ଷ ହେବ ଚାଲିଛି ଚର୍ଚ୍ଚା। ପୂର୍ବରୁ ଅନେକ ଥର ପ୍ରଭାସ ଓ ବାହୁବଳୀ କୋ-ଷ୍ଟାର୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଆଫାୟର୍ସକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳିଥିଲା। ଏପରିକି ଉଭୟ ଡେଟିଂ କରୁଥିଲେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ଏସବୁ ଗୁଜବକୁ ନେଇ ମୁହଁ ଖୋଲିଛନ୍ତି ଅନୁଷ୍କା।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅନୁଷ୍କା କହିଛନ୍ତି, “ଆମ୍ଭମାନଙ୍କୁ ନେଇ ଏତେ ଗସିପ୍ ହେବା ପଛର କାରଣ ଆମେ ଦୁଇ ଜଣ ସିଙ୍ଗଲ୍ ଅଛୁ ଓ ସ୍କ୍ରିନ୍ରେ ମଧ୍ୟ ଆମ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି। ମୁଁ ପ୍ରଭାସଙ୍କୁ ୧୫ ବର୍ଷ ହେଲା ଜାଣିଛି ଏବଂ ସେ ହେଉଛନ୍ତି ମୋର ରାତି ୩ଟା ବେଳର ବନ୍ଧୁମାନଙ୍କ ମଧ୍ୟରୁ ଜଣେ। ଆମେ ଦୁଇଜଣ କେବେବି ଆମ୍ଭର ଇମୋସନ୍କୁ ଲୁଚାଇ ପାରୁନାହୁଁ।”
ବାହୁବଳୀ ଫିଲ୍ମ ରିଲିଜ ହେବା ପରଠାରୁ ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ଆଫେୟାର୍ସକୁ ନେଇ ଅନେକ ଚର୍ଚ୍ଚା ସାମ୍ନାକୁ ଆସିଥିଲା। ଏପରିକି ସେହି ସମୟରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ମଧ୍ୟ ହୋଇଥିଲା ଦୁହେଁ ବହୁତ ଜଲ୍ଦି ବିବାହ କରିବେ। ଯାହାକୁ ନେଇ ପ୍ରଭାସ ମୁହଁ ଖୋଲି କହିଥିଲେ- ଆମ ଦୁଇଜଣଙ୍କ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଏକ ଗୁଜବ। ଆମେ ଦୁଇଜଣ ପରସ୍ପର ବହୁତ ଭଲ ସାଙ୍ଗ। ଯେବେ ମୁଁ ରିଲେସନ୍ସିପ୍ରେ ରହିବି, ନିଶ୍ଚିତ ଜଣାଇବି।
ଅନୁଷ୍କାଙ୍କୁ ଶେଷ ଥର ପାଇଁ ୨୦୧୮ ମସିହାରେ ହରର୍ ଡ୍ରାମା ଭଗାମଥୀ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ଆଉ କୌଣସି ଫିଲ୍ମରେ ଅଭିନୟ କରିଥିବା ନେଇ ଦେଖିବାକୁ ମିଳିନଥିଲା। ହେମନ୍ତ ମଧୁକରଙ୍କ ଥ୍ରିଲର ଡ୍ରାମା ‘ନିସାବଧମ୍’ରେ ନଜର ଆସିବେ ଅନୁଷ୍କା।