ଭୁବନେଶ୍ୱରରେ ସୁପର୍‌ ଥାର୍ଟି ପ୍ରତିଷ୍ଠାତା ଆନନ୍ଦ କୁମାର

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ସୁପର୍ ଥାର୍ଟି ପ୍ରୋଗ୍ରାମ୍‌ର ପ୍ରତିଷ୍ଠାତା ତଥା ଅନେକ ଯୁବକ ଯୁବତୀଙ୍କ ପ୍ରେରଣାର ଉତ୍ସ ଆନନ୍ଦ କୁମାର। ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ସୁପର୍ ଥାର୍ଟିର ପ୍ରମୋଶନ୍‌ ପାଇଁ ଆଜି ଭୁବନେଶ୍ୱର ସିନେମା ହଲ୍‌ କେଶରୀ ଟକିଜ୍‌କୁ ଆସିଥିଲେ ପାଟନାର ଏହି ଗଣିତଜ୍ଞ ତଥା ଚର୍ଚ୍ଚିତ ଶିକ୍ଷାବିତ୍ ଆନନ୍ଦ।

ତାଙ୍କୁ ପାଖରେ ପାଇଁ ସତେ ଯେମିତି ଫିଲ୍ମ ଦେଖିବାକୁ ଆସିଥିବା ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହର ଲହରି ଖେଳିଯାଇଥିଲା। କିଏ ସେଲ୍‌ଫି ନେଉଥିଲେ ତ କିଏ ପାଦ ଛୁଇଁ ଆଶୀର୍ବାଦ ନେଉଥିଲେ। ଯୁବପିଢ଼ିଙ୍କ ଏଭଳି ଉତ୍ସାହ ଦେଖି ଆନନ୍ଦ କୁମାର ବି ବେଶ୍ ଖୁସି ଥିଲେ।

ଦିନେ ଅର୍ଥାଭାବ ଯୋଗୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିଲେ ବିହାର ପାଟନାର ଆନନ୍ଦ କୁମାର। କିନ୍ତୁ ମରିନଥିଲା ଶିଖିବାର ଓ ଶିଖାଇବାର ଝୁଙ୍କ୍। ତେଣୁ ଗରିବ ମେଧାବୀଙ୍କୁ ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ଦେବା ପାଇଁ ସେ ଆରମ୍ଭ କରିଥିଲେ ଫ୍ରି କୋଚିଂ ସେଣ୍ଟର୍। ୨୦୦୮ରେ ସୁପର୍ ଥାର୍ଟି ପ୍ରୋଗ୍ରାମ୍‌ର ସମସ୍ତ ୩୦ ଜଣ ଛାତ୍ରଛାତ୍ରୀ ଆଇଆଇଟି-ଜେଇଇ କ୍ଲିୟର୍ କରିବା ପରେ ଏହା ଦେଶ ବିଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା।

ଆନନ୍ଦ କୁମାର ଏବେବି ଦେଶର କୋଣ ଅନୁକୋଣରୁ ପ୍ରତିବର୍ଷ ୩୦ ଜଣ ପିଲାଙ୍କୁ ବାଛି, ଘରେ ରଖି ପାଠ ପଢ଼ାଉଛନ୍ତି ଓ ସଫଳତାର ଶୀର୍ଷରେ ପହଞ୍ଚାଉଛନ୍ତି। ଯାହାଙ୍କ ତ୍ୟାଗ ଓ ସଂଘର୍ଷକୁ ଅତି ନିଖୁଣ ଭାବେ ପରଦାକୁ ଉତାରିଛନ୍ତି ହ୍ରିତିକ୍ ରୋଶନ୍।

ବିକାଶ ବହଲ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ହ୍ରିତିକ୍ ରୋଶନ୍‌ଙ୍କ ସହ ବୀରେନ୍ଦ୍ର ସାକ୍ସେନା, ପଙ୍କଜ ତ୍ରିପାଠୀ, ଆଦିତ୍ୟ ଶ୍ରୀବାସ୍ତବ, ମୃଣାଳ ଠାକୁର ପ୍ରମୁଖ ଅଭିନୟ କରିଛନ୍ତି। ଜୁଲାଇ ୧୨ରେ ରିଲିଜ୍ ହେବା ପରେ ଗତ ୧୨ ଦିନ ହେବ ବେଶ୍ ଭଲ ବ୍ୟବସାୟ କରୁଛି ଫିଲ୍ମ ସୁପର୍ ଥାର୍ଟି।

 

You might also like