କ’ଣ ହୋଇଛି ବିଗ୍ ବିଙ୍କର ? ଗୋଟିଏ ଲେଖାରେ ଫ୍ୟାନ୍ମାନେ ଚିନ୍ତିତ
ମୁମ୍ବାଇ: ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ଥାଆନ୍ତି। ସେ ବ୍ଲଗ୍ ମାଧ୍ୟମରେ ତାଙ୍କର ମନର ଭାବନାକୁ ଫ୍ୟାନ୍ସଙ୍କ ସହ ଶେଆର କରିଥାନ୍ତି। ବିଗ୍ ବି ଏବେ ଏକ ବ୍ଲଗ୍ରେ ଏମିତି କିଛି ଖୁଲାସା କରିଛନ୍ତି, ଯାହାକୁ ନେଇ ଫ୍ୟାନ୍ସ ଚିନ୍ତାରେ ପଡ଼ି ଯାଇଛନ୍ତି।
ବିଗ୍ ବି ତାଙ୍କର ଏହି ବ୍ଲଗ୍ରେ ମାତ୍ର ଗୋଟିଏ ଧାଡ଼ି ହିଁ ଲେଖିଛନ୍ତି। ସେ ଲେଖିଛନ୍ତି, ‘ମେଡିକାଲ୍ କଣ୍ଡିସନ୍..ସର୍ଜରୀ..ଆଉ କିଛି ଲେଖି ପାରିବି ନାହିଁ।’ ଫେବୃଆରୀ ୨୭ରେ ବିଗ୍ ବି ଲେଖିଥିବା ଏହି ଗୋଟିଏ ଧାଡ଼ି ହିଁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।
ଗତକାଲି ଅମିତାଭ ଏକ ଟ୍ୱିଟ୍ ମଧ୍ୟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘କିଛି ଆବଶ୍ୟକତା ଠାରୁ ଅଧିକ ବଢ଼ି ଯାଇଛି, ଯାହା କାଟିଲେ ହିଁ ଠିକ୍ ହେବ’।
T 3826 –
कुछ ज़रूरत से ज़्यादा बढ़ गया है ; कुछ काटने पर सुधरने वाला है ;
जीवन काल का कल है ये , कल ही पता चलेगा कैसे रहे वे
❤️🌹— Amitabh Bachchan (@SrBachchan) February 26, 2021
ପ୍ରକୃତରେ ଅମିତାଭ ବଚ୍ଚନଙ୍କର କ’ଣ ହୋଇଛି ? କେମିତି ଅଛି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ? ସେ କେଉଁ ସର୍ଜରୀ କରୁଛନ୍ତି ? ଏସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତାଙ୍କର ସର୍ଜରୀ ହୋଇ ସାରିଛି ନା ହେବ ? ତାହା ମଧ୍ୟ ଜଣାପଡ଼ି ନାହିଁ। ତାଙ୍କର କିଛି ସର୍ଜରୀ ହେବ ବୋଲି ଫ୍ୟାନ୍ମାନେ ଆଶଙ୍କା କରୁଛନ୍ତି। କିଛିଦିନ ହେବ ବିଗ୍ ବି ଅନେକ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲେ। କୌନ୍ ବନେଗା କରୋଡ଼ପତି ୧୨ ଅଫ୍ ଏୟାର୍ ହେବାପରେ ଅମିତାଭ ବଚ୍ଚନ ଫିଲ୍ମ ‘ବ୍ରହ୍ମାସ୍ତ୍ର୍ର’ ଓ ‘Chehre’ ସମେତ ଅନେକ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲେ। ଏସବୁ ଭିତରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏମିତି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।
ଗତବର୍ଷ ଅମିତାଭ ବଚ୍ଚନ, ତାଙ୍କ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ବଚ୍ଚନ ଓ ନାତୁଣୀ ଆରାଧ୍ୟା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କରୋନା ସଂକ୍ରମିତ ହେବାପରେ ସମସ୍ତେ ମୁମ୍ବାଇର ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିଲା। ଏହାପରେ ସୁସ୍ଥ ହୋଇ ସମସ୍ତେ ଘରକୁ ଫେରିଥିଲେ।