• translate
Odishatv Bureau

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବେ କରୋନା ଆକ୍ରାନ୍ତ। ଏହି ଖବର ସେ ତାଙ୍କ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଜଣେଇଛନ୍ତି। ଏନେଇ ତାଙ୍କ ମା ଅଭିନେତ୍ରୀ ସୋନି ରଜଦାନ୍ ତାଙ୍କୁ ବାରମ୍ବାର ଫୋନ କରି ହଇରାଣ କରିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି। ଏହି ଅଭିନେତ୍ରୀ ଯେତେବେଳେ ମୁମ୍ବାଇରେ ସଞ୍ଜୟ ଲୀଲା ବଂଶାଲିଙ୍କ “ଗଙ୍ଗୁବାଇ କାଠିଆୱାଡି” ସୁଟିଂରେ ବ୍ୟସ୍ତ ଥିଲେ ସେତେବେଳେ ଇନଷ୍ଟାଗ୍ରାମରେ ସେ ତାଙ୍କ ସ୍ୱାସ୍ଥ୍ୟ ଖବର ଜଣେଇଥିଲେ। ସେ ଯେତେବେଳେ ଜାଣିଲେ, ତାଙ୍କୁ କୋଭିଡ୍-୧୯ ପଜିଟିଭ୍ ବୋଲି ସେ ତତକ୍ଷଣାତ୍ ନିଜକୁ ସଙ୍ଗରୋଧ କରିବା ସହିତ ହୋମ୍ କ୍ୱାରାନଣ୍ଟାଇନରେ ଥିବା କହିଥିଲେ। ସେ ତାଙ୍କ ଡାକ୍ତରଙ୍କ ପରାମର୍ଶ କ୍ରମେ ସବୁ ପ୍ରକାର ନିୟମ ମାନୁଥିବା କହିଛନ୍ତି।

alia bhatt

ଆଲିଆଙ୍କ ମା ସୋନି ରଜଦାନ୍ ମଧ୍ୟ ତାଙ୍କ ଝିଅ ସ୍ୱ-ସଂଘରୋଧ ଥିବା କହିବା ସହ ସେ ନିଜେ ତାର ଠିକ ଯତ୍ନ ନେଉଥିବା କଥା କହିଛନ୍ତି। ସେ ତାଙ୍କ ସହିତ ସବୁବେଳେ ଜଡିତ ରହୁଥିବା ବେଳେ ତାଙ୍କ ସହ ଅଧିକ ଫୋନ୍ ବାର୍ତ୍ତାଳାପ ନ କରୁଥିବା କହିଛନ୍ତି। ସେ ତାଙ୍କୁ ବାରମ୍ବାର କଲ୍ କରିକି ହଇରାଣ କରିବାକୁ ଚାହାନ୍ତି ନାହିଁ, ତେଣୁ ମଝିରେ ମଝିରେ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଥିବା ଏକ ସକ୍ଷାତକାରରେ କହିଛନ୍ତି। ସେ କେବଳ ଯାହା ତାଙ୍କୁ ମେସେଜ୍ ମାଧ୍ୟମରେ ସଚେତନ କରୁଛନ୍ତି। କଣ ଖାଇବେ, କଣ ନ ଖାଇବେ, ଠିକ୍ ସମୟରେ ଖାଇବା, ପାଣି ପିଇବା ଆଦି ଉପଦେଶ କେବଳ ମେସେଜ୍ ମାଧ୍ୟମରେ ଦେଉଥିବା ସୋନି କହିଛନ୍ତି। ମାଙ୍କ କଥା ମାନି ଆଲିଆ ତାଙ୍କ ଖାଦ୍ୟ ତାଲିକା ମଧ୍ୟ ପ୍ରସ୍ତୁତ କରିଛନ୍ତି।
ସୋନି ତାଙ୍କ ଝିଅର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନକୁ ନେଇ ଆହୁରି ମଧ୍ୟ କହିଛନ୍ତି ଯେ ଆଲିଆ ସୁଟିଂ ଆରମ୍ଭ କରିବାଠାରୁ ବାରମ୍ବାର କୋଭିଡ୍ ଟେଷ୍ଟ୍ କରୁଥିଲେ। ସେ କେବେହେଲେ ତା ସ୍ୱାସ୍ଥ୍ୟ ପ୍ରତି ଅବହେଳା କରେନି। ବାରମ୍ବାର ଟେଷ୍ଟ୍ କରୁଥିବାରୁ ଯେତେବେଳେ ସେ କରୋନାରେ ଆକ୍ରାନ୍ତ ହେଲା ସାଙ୍ଗେ ସାଙ୍ଗେ ଏହାକୁ ଜାଣିବାରେ ଅସୁବିଧା ରହିଲା ନାହିଁ।

ଆଲିଆଙ୍କ ପରି ତାଙ୍କ ମା ସୋନି ମଧ୍ୟ ସୁଟିଂ ପାଇଁ ବାହାରକୁ ଯାଉଛନ୍ତି। ସେ ଅକ୍ଟୋବରରୁ, ଯେଉଁ ସମୟରେ କରୋନାର ପ୍ରକୋପ ବୃଦ୍ଧି ପାଉଥିଲା ଆଉ ଜୀବନ ପ୍ରତି ବିପଦ ଥିଲା ସେ ସାହସ ବାନ୍ଧି ସୁଟିଂ ଆରମ୍ଭ କରିଥିବା କହିଛନ୍ତି। ତାଙ୍କର ଦୁଇ ଝିଅ ଆଲିଆ ଓ ସାହିନ୍ ତାଙ୍କୁ ଏ କ୍ଷେତ୍ରରେ ବହୁତ ସପୋର୍ଟିଭ୍ ବୋଲି କୁହନ୍ତି। ତାଙ୍କ ମାଙ୍କୁ ଯାହା ଭଲ ଲାଗୁଛି ସେ ତାହା କରନ୍ତୁ ବୋଲି ସେମାନେ ସୋନିଙ୍କୁ କହିବା ସହ ଯଥା ସମ୍ଭବ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବାକୁ କୁହନ୍ତି। ଏନେଇ ସୋନି ସବୁବେଳେ ସତର୍କ ଥିବା କହିବା ସହ ଆବଶ୍ୟକମୁତାବକ ପ୍ରତିଷେଧାତ୍ମକ ପଦକ୍ଷେପ ନେଉଥିବା କୁହନ୍ତି।

କରୋନାର ଦ୍ୱିତୀୟ ଲହର ମହାରାଷ୍ଟ୍ର ସମେତ ମୁମ୍ବାଇ ପାଇଁ ବିପଦ ହୋଇଛି। ଏହାକୁ ଆଖି ଆଗରେ ରଖି ସୋନି କହିଛନ୍ତି, ଏବେ ସମୟ ଆସିଛି ଆମକୁ ଅଧିକରୁ ଅଧିକ ସତର୍କ ହେବା ନେଇ। ବର୍ତ୍ତମାନ କରୋନା ଭାଇରସ୍ ସାଙ୍ଘାତିକ ଭାବେ ବ୍ୟାପି ଚାଲିଛି। ତେଣୁ ଆବଶ୍ୟକ ନ ଥିଲେ ବାହାରକୁ ନ ଯିବାକୁ ସେ ତାଙ୍କ ପ୍ରଶଂସକମାନଙ୍କୁ ଜଣେଇଛନ୍ତି।

Other Stories