ପୋଲିସ ଯୋଦ୍ଧାଙ୍କ ପାଇଁ ଖିଲାଡି ଦେଲେ ପୁଣି ୨କୋଟି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ଦିନକୁ ଦିନ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀକୁ ନେଇ ସମଗ୍ର ବିଶ୍ୱ ଚିନ୍ତା ପ୍ରକଟ କରୁଛି। ପ୍ରତ୍ୟେକଦିନ ନୂଆ କରୋନା ରୋଗୀ ଚିହ୍ନଟ ହେଉଥିବାର ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ସେଲିବ୍ରେଟିମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କ୍ରମାଗତ ଭାବରେ ଆଗେଇ ଆସୁଛନ୍ତି। ପୁଣିଥରେ ବଲିଉଡର ଖିଲାଡ଼ୀ ଅକ୍ଷୟ କୁମାର ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ପୂର୍ବରୁ କୋଭିଡ଼-୧୯ ସହିତ ଲଢ଼େଇ ପାଇଁ ପିଏମ୍‌ କେୟାର ଫଣ୍ଡକୁ ୨୫ କୋଟି ଦାନ କରିବା ପରେ ପୁଣିଥରେ ମୁମ୍ୱାଇ ପୋଲିସଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।

ଖବର ଅନୁଯାୟୀ,  ମହାମାରୀ  କରୋନା ଭାଇରସ୍ ସହ ଲଢ଼ିବା ପାଇଁ ଅଭିନେତା ଅକ୍ଷୟ କୁମାର ମୁମ୍ବାଇ ପୋଲିସକୁ ୨ କୋଟି ଟଙ୍କା ଦାନ କରିଛନ୍ତି। ଏନେଇ ମୁମ୍ବାଇ ପୋଲିସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ମୁମ୍ବାଇ ପୋଲିସ କମିଶନର ପରମ ବୀର ସିଂ ଟ୍ୱିଟ୍ କରି ଅକ୍ଷୟ କୁମାରଙ୍କୁ ତାଙ୍କ ଅବଦାନ ପାଇଁ ଧନ୍ୟବାଦ ଜଣାଇ ସେ ନିଜ ଟ୍ୱିଟରରେ କହିଛନ୍ତି ଯେ ମୁମ୍ବାଇ ପୋଲିସ ଫାଉଣ୍ଡେସନରେ ଦୁଇ କୋଟି ଟଙ୍କା ସହାୟତା କରିଥିବାରୁ ମୁମ୍ବାଇ ପୋଲିସ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଅର୍ପଣ କରିଛି। ସହରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ମହିଳା ଏବଂ ପୁରୁଷ ପୋଲିସ୍ ଜୀବନରେ ଆପଣଙ୍କ ସହଯୋଗ ଅତ୍ୟନ୍ତ ସହାୟକ ହେବ ବୋଲି କହିଛନ୍ତି।

ପରମ ବିର୍ ସିଂଙ୍କ ଟ୍ୱିଟକୁ ରିଟ୍ୱଟି କରି  ଅକ୍ଷୟ କୁମାର କହିଛନ୍ତି, ମୁଁ ମୁମ୍ବାଇ ପୋଲିସର ହେଡ଼ କନଷ୍ଟେବଳ ଚନ୍ଦ୍ରକାନ୍ତ ପେଣ୍ଡୁରକର ଏବଂ ସନ୍ଦୀପ ସୁର୍ଭଙ୍କୁ ସଲାମ୍‌ କରୁଛି, କାରଣ ସେ ଦୁହେଁ କରୋନା ସହିତ ଯୁଦ୍ଧ କରିବା ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ମୁଁ ମୋର କାମ କରିସାରିଛି, ମୁଁ ଆଶା କରୁଛି ତୁମେ ମଧ୍ୟ କରିବ। ଆମେ ଭୁଲିଯିବା ଉଚିତ ନୁହେଁ ଯେ ସେମାନଙ୍କ ଯୋଗୁ ଆମେ ନିରାପଦ ଏବଂ ଜୀବିତ। ” ଲୋକମାନେ ଅକ୍ଷୟ କୁମାରଙ୍କ ଏହି ପଦକ୍ଷେପ ଏବଂ ତାଙ୍କର ଉଦାରତାକୁ ପ୍ରଶଂସା କରୁଛନ୍ତି ଏବଂ ଏହା ଉପରେ ସେମାନଙ୍କର ମତାମତ ମଧ୍ୟ ଦେଉଛନ୍ତି।

 

You might also like