ଭିଡିଓ କରି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, କହିଲେ- ଏଇଟା ମୋର ଶେଷ ଭିଡିଓ
ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା ଘଟଣା ପରେ ବଲିଉଡ୍ ଇଣ୍ଡଷ୍ଟ୍ରି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ କ’ଣ। ଏସବୁ ଭିତରେ ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯାହାକୁ ନେଇ ଅଭିନେତ୍ରୀଙ୍କ ଫ୍ୟାନ୍ସମାନଙ୍କୁ ଏକ ପ୍ରକାର ଝଟ୍କା ଲାଗିଛି।
ତାମିଲ୍ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ ଠିକ୍ ସମୟରେ ତାଙ୍କୁ ବଞ୍ଚାଇ ଦିଆଯାଇଥିଲା। ବର୍ତ୍ତମାନ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି। କୁହାଯାଉଛି ଯେ, ସେ ମାନସିକ ଚାପରେ ଅଛନ୍ତି।
ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ବିଜୟଲକ୍ଷ୍ମୀ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଶେଆର୍ କରିଥିଲେ। ନିକଟରେ ସେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେଆର କରିଥିଲେ। ଏଥିରେ ସେ ଅଭିନେତାରୁ ରାଜନେତା ହୋଇଥିବା ସୀମାନ୍ ଓ ତାଙ୍କ ପାର୍ଟି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେମାନେ ତାଙ୍କୁ ନିର୍ଯାତନା ଦେଉଥିବା ବିଜୟଲକ୍ଷ୍ମୀ ଅଭିଯୋଗ ଆଣିଥିଲେ।
ବିଜୟଲକ୍ଷ୍ମୀ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ୍ କରି କହିଥିଲେ, ‘ଏଇଟା ମୋର ଶେଷ ଭିଡିଓ। ଗତ ୪ ମାସ ହେବ ସୀମାନ୍ ଓ ତାଙ୍କ ପାର୍ଟିର ଲୋକମାନଙ୍କ ପାଇଁ ମୁଁ ବହୁତ୍ ମାନସିକଚାପରେ ରହୁଛି। ମୁଁ ବହୁତ ଚେଷ୍ଟା କଲି ମୋ ପରିବାର ଲୋକଙ୍କ ପାଇଁ ବଞ୍ଚିବା ପାଇଁ, ହେଲେ ହୋଇପାରିଲା ନାହିଁ। ମୋତେ ହରି ନାଦର(ଜଣେ ରାଜନୈତିକ ଦଳର ନେତା) ମିଡିଆ ସାମ୍ନାରେ ବହୁତ ଅପମାନିତ କରିଛନ୍ତି। ମୁଁ ବ୍ଲଡ୍ ପ୍ରେସର୍ ମେଡିସିନ୍ ଖାଇ ଦେଇଛି। କିଛି ସମୟ ପରେ ମୋ ବ୍ଲଡ୍ ପ୍ରେସର୍ ପୂରା କମ୍ ହୋଇଯିବ ଓ ଏହାପରେ ମୋର ମୃତ୍ୟୁ ହୋଇଯିବ।
ଏହି ଭିଡିଓରେ ସେ ଆହୁରି ମଧ୍ୟ କହିଥିଲେ, ତାଙ୍କ ମୃତ୍ୟୁ ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି ହେବା ଉଚିତ୍। ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଅପିଲ୍ ମଧ୍ୟ କରିଥିଲେ, ସୀମାନ୍ ଓ ହରି ନାଦରଙ୍କ ଭଳି ଲୋକ ଯେପରି ରକ୍ଷା ନ ପାଆନ୍ତି। ମାନସିକ ଶୋଷଣ ପାଇଁ ସେମାନଙ୍କ ବିରୋଧରେ କଠାରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।