କରୋନା ଆକ୍ରାନ୍ତଙ୍କ ସେବା କରିବାକୁ ନର୍ସ ହୋଇଥିବା ଅଭିନେତ୍ରୀଙ୍କୁ ପାରାଲିସିସି, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: କରୋନା କାଳରେ କରୋନା ଆକ୍ରାନ୍ତଙ୍କ ସେବା କରିବା ପାଇଁ ଆଗେଇ ଆସିଥିବା ଅଭିନେତ୍ରୀ ଶିଖା ମଲହୋତ୍ରାଙ୍କୁ ପାରାଲିସିସି ଆଟାକ୍‌ କରିଛି। ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ପ୍ୟାନ୍‌’ରେ ନଜର ଆସିଥିବା ଶିଖାଙ୍କୁ ମୁମ୍ବାଇର କୁପର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ଡାହାଣ ପାର୍ଶ୍ୱ କାମ କରୁନଥିବା ଶୁଣିବାକୁ ମିଳୁଛି।

ଶିଖାଙ୍କ ମ୍ୟାନେଜର ଅଶ୍ୱିନୀ ଶୁକ୍ଲା ଇନଷ୍ଟାଗ୍ରାମରେ ଶିଖାଙ୍କ ଏକ ଫଟୋ ଶେଆର କରି ଲେଖିଛନ୍ତି, ଶିଖା ମଲହୋତ୍ରା ଆଜି ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ଯୁଦ୍ଧରୁ ଜିତିବାର ମାସକ ପରେ  ଡିସେମ୍ବର ୧୦ ବିଳମ୍ବିତ ରାତିରେ ତାଙ୍କୁ ପାରାଲିସିସି ଆଟାକ୍ କରିଥିଲା ଓ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେ ଏବେ କଥା କହିବାରେ ମଧ୍ୟ ଅକ୍ଷମ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପାଇଁ ପ୍ରାର୍ଥନା କରନ୍ତୁ।

ସୂଚନା ଅନୁସାରେ, ଗୁରୁବାର ରାତିରେ ଘରେ ଥିବାବେଳେ ଶିଖା ପାରାଲିସିସରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ପ୍ରଥମେ ତାଙ୍କୁ କୋକିଲାବେନ୍‌ ଧିରୁଭାଇ ଅମ୍ବାନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସା ମହଙ୍ଗା ହେବା ଯୋଗୁ ତାଙ୍କୁ ପରେ ଭିଲେ ପାର୍ଲେର କୁପର ହସ୍ପିଟାଲରେ ଶିଫ୍ଟ କରାଯାଇଛି।

ସୂଚନାଯୋଗ୍ୟ,୨୦୧୯ରେ ସଞ୍ଜୟ ମିଶ୍ରାଙ୍କ ସହ ‘କାଞ୍ଚଲି’ ଫିଲ୍ମରେ ଅଭିନୟ କରିଛନ୍ତି ଶିଖା।  ଏହାବ୍ୟତୀତ ସେ ତାପସୀ ପନ୍ନୁଙ୍କ ସହ ‘ରନିଂ ସାଦି’ରେ ମଧ୍ୟ ଅଭିନୟ କରିଛନ୍ତି। ସେ ଜଣେ ଭଲ ଡ୍ୟାନ୍ସର ମଧ୍ୟ। କରୋନା କାଳରେ ନିଜ ଜୀବନକୁ ଖାତିର ନ କରି ଶିଖା କରୋନା ଆକ୍ରାନ୍ତଙ୍କ ସେବା କରିବା ପାଇଁ ଆଗେଇ ଆସିଥିଲେ। ସେ Brihanmumbai Municipal Corporation (BMC) ସହ ହାତ ମିଶାଇ କରୋନା ରୋଗୀଙ୍କ ସେବା କରିବାର ଦାୟିତ୍ୱ ବହନ କରିଥିଲେ।

ଶିଖା ନର୍ସ ହୋଇ କରୋନା ରୋଗୀଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ମୁମ୍ବାଇର ଯୋଗେଶ୍ୱରୀ ଇଷ୍ଟ ସ୍ଥିତ ‘ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଟ୍ରମା ହସ୍ପିଟାଲ୍’ରେ ନିୟୋଜିତ ହୋଇଥିଲେ। ତାଙ୍କୁ ଆଇସୋଲେସନ୍ ୱାର୍ଡର ଦାୟିତ୍ୱ ଦିଆଯାଇଥିଲା। ସେହି ସମୟରେ ସୋସିଆଲ୍‌ ମିଡିଆରେ ତାଙ୍କର କିଛି ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା।

ସୂଚନାଯୋଗ୍ୟ, ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସେ ନର୍ସିଂ ପାଠ ପଢ଼ିଥିଲେ।

You might also like