କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ମୁମ୍ବାଇ: କିଛି ଦିନର ବ୍ୟବଧାନ ପରେ ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାକୁ ନେଇ ପୁଣିଥରେ ଆକ୍ସନ ମୁଡ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି)। ଗତ ମାସରେ ଏନ୍‌ସିବି ଅଭିନେତ୍ରୀ ଦୀପିକା ପାଦୁକୋନ ଓ ତାଙ୍କର ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସମେତ ଆଉ କିଛି ସେଲିବ୍ରିଟିଙ୍କୁ ଜେରା କରିଥିଲେ।

ତେବେ ପୁଣିଥରେ କରିସ୍ମାଙ୍କୁ ହାଜର ପାଇଁ ଏନ୍‌ସିବି ସମନ‌ ଜାରି କରିଛି। ହେଲେ ଏହି ସମନ ଜାରି ପରେ ତାଙ୍କର କୌଣସି ପତ୍ତା ମିଳୁନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତାଙ୍କୁ ଖୋଜିବାକୁ ଏନ୍‌ସିବି ବିଭିନ୍ନ ସ୍ଥାନରେ ଯାଞ୍ଚ କରିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଳିପାରିନାହିଁ।

ସୂଚନା ଅନୁସାରେ, ବଲିଉଡ୍‌ ଡ୍ରଗ୍ସ ଲିଙ୍କକୁ ନେଇ ଏନ୍‌ସିବିର ଖୋଳତାଡ଼ ବେଳେ କରିସ୍ମାଙ୍କ ନାଁ ସାମ୍ନାକୁ ଆସିଥିଲା। ଦୀପିକା ଓ ତାଙ୍କ ମ୍ୟାନେଜର କରିସ୍ମାଙ୍କ ବ୍ୟତୀତ ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଓ ଆଉ କିଛି ସେଲିବ୍ରିଟିଙ୍କୁ ଗତ ମାସରେ ଏନ୍‌ସିବି ଜେରା କରିଥିଲା। ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାର ତଦନ୍ତ ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଫୋନ ଯାଞ୍ଚ ବେଳେ ଡ୍ରଗ୍ସ ଚାଟ୍‌କୁ ନେଇ ବଲିଉଡ୍‌ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା।  କରିସ୍ମାଙ୍କ ସହ ହିଁ ଦୀପିକାଙ୍କ ଡ୍ରଗ୍ସ ଲିଙ୍କ୍ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଦୀପିକା, କରିସ୍ମାଙ୍କ ସହ ମାଲ୍ ହେ କ୍ୟା ଭଳି ଚାଟ୍ କରିଥିଲେ। ଏହି ଚାଟ୍‌ ସାମ୍ନାକୁ ଆସିବା ପରେ ସେହି ସମୟରେ ଚର୍ଚ୍ଚା ଜୋର ଧରିଥିଲା।

You might also like