ଫିନାଇଲ୍‌ ପିଇ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ମୁମ୍ବାଇ: ପୂର୍ବତନ କନ୍ନଡ ବିଗ୍‌ବସ୍‌ ପ୍ରତିଯୋଗୀ ତଥା ଅଭିନେତ୍ରୀ ଚୈତ୍ରା କଟ୍ଟୁର ଗୁରୁବାର ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଗୁରୁବାର ଦିନ ଫିନାଇଲ୍‌ ପିଇ ଚୈତ୍ରା ନିଜ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

କିଛିଦିନ ତଳେ ବିଜ୍‌ନେସ୍‌ ମ୍ୟାନ୍‌ ନାଗାର୍ଜୁନ‌ଙ୍କୁ ଚୈତ୍ରା ବିବାହ କରିଥିଲେ ବୋଲି ପୋଲିସ୍‌ କହିଛି। ହେଲେ ଏହି ବିବାହ ସଙ୍ଗେସଙ୍ଗେ ଭାଙ୍ଗି ଯାଇଥିଲା। କାରଣ ନାଗାର୍ଜୁନଙ୍କ ପରିବାର ଲୋକ ଏହି ବିବାହକୁ ସ୍ୱୀକୃତି ଦେଇନଥିଲେ। ନାଗାର୍ଜୁନ ମଧ୍ୟ କହିଥିଲେ, ଏହି ବିବାହ ପାଇଁ ତାଙ୍କର କୌଣସି ଇଚ୍ଛା ନଥିଲା। କିଛି ଗ୍ରୁପ୍‌ ତାଙ୍କୁ ଏହି ବିବାହ କରିବା ପାଇଁ ବାଧ୍ୟ କରାଇଥିଲେ ବୋଲି ନାଗାର୍ଜୁନ‌ ଅଭିଯୋଗ କରିଛନ୍ତି।

ମାର୍ଚ୍ଚ ୨୮ରେ ପରିବାର ଲୋକଙ୍କ ଉପସ୍ଥିତିରେ ଏକ ମନ୍ଦିରରେ ଚୈତ୍ରା, ନାଗାର୍ଜୁନଙ୍କୁ ବିବାହ କରିଥିଲେ। ବିବାହ ସମୟର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। କିଛିବର୍ଷ ହେବ ଅଭିନେତ୍ରୀ ଚୈତ୍ରା, ନାଗାର୍ଜୁନଙ୍କ ସହ ରିଲେସନଶିପ୍‌ରେ ଥିଲେ ବୋଲି ପୋଲିସ୍‌ କହିଛି।

ବିବାହକୁ ନେଇ ନାଗାର୍ଜୁନଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ ଯେ, ଧମକ ଦେଇ ଚୈତ୍ରା ବଳପୂର୍ବକ ଭାବେ ନାଗାର୍ଜୁନଙ୍କୁ ବିବାହ କରିଥିଲେ। 

ସୂଚନା ଅନୁସାରେ, ବିବାହ ପରେ ଯେତେବେଳେ ଚୈତ୍ରା ନାଗାର୍ଜୁନଙ୍କ ପୈତୃକ ଘରକୁ ଯାଇଥିଲେ ସେଠାରେ ତାଙ୍କୁ ଘର ଭିତରକୁ ପ୍ରବେଶ ମିଳିନଥିଲା ବୋଲି ଅଭିଯୋଗ ହୋଇଛି। ପରେ ନାଗାର୍ଜୁନଙ୍କ ପରିବାର ଲୋକ ଏହି ବିବାହକୁ ସ୍ୱୀକୃତି ଦେଇନଥିଲେ। 

ଅଭିନେତ୍ରୀ ଚୈତ୍ରା ଅଭିଯୋଗ ଆଣି କହିଛନ୍ତି, ‘ତାଙ୍କ (ନାଗାର୍ଜୁନଙ୍କ) ପରିବାର ଲୋକ ମୋତେ ଦୁର୍ବ୍ୟବହାର କରିଥିଲେ। ଯଦି ମୁଁ ନାଗାର୍ଜୁନଙ୍କ ଜୀବନରୁ ଚାଲି ନଯାଏ, ତା’ହେଲେ ମୋତେ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। 

ଶେଷରେ କଥା ଯାଇ ଥାନାରେ ପହଞ୍ଚିଥିଲା। କୋଲାର୍‌ ପୋଲିସ୍‌ ଉଭୟ ପରିବାର ସଦସ୍ୟଙ୍କୁ ଡାକି ସେମାନଙ୍କର ବୟାନ ରେକର୍ଡ କରିଥିଲା। 

ଚୈତ୍ରା ବିଗ୍‌ ବସ୍‌ କନ୍ନଡ ସିଜନ୍‌ ୭ର ପ୍ରତିଯୋଗୀ ଥିଲେ। ଏହି ଶୋ’କୁ ଆସିବା ପପୂର୍ବରୁ ସେ ଟିଭି ସିରିଅଲ୍‌ ପାଇଁ ସ୍କ୍ରିପ୍ଟ ଲେଖୁଥିଲେ। ସେ ଫିଲ୍ମ ‘Soojidaara’ ସର୍ପୋଟିଙ୍ଗ୍‌ ରୋଲ୍‌ରେ ଅଭିନୟ କରିଥିଲେ।

 

ପଢନ୍ତୁ : ନିଆରା ଶ୍ରଦ୍ଧାଞ୍ଜଳି : ଇରଫାନଙ୍କୁ ସମ୍ମାନ

You might also like