କୋଭିଡ୍‌-୧୯ ମୁକାବିଲା ପାଇଁ ବିଏମ୍‌ସିକୁ ନିଜ ହୋଟେଲ୍‌ ଦେଲେ ବଲିଉଡ୍‌ ଷ୍ଟାର୍

ମୁମ୍ବାଇ: କୋଭିଡ୍‌-୧୯ ସହିତ ମୁକାବିଲା କରିବା ପାଇଁ ପ୍ରାୟ ସମସ୍ତେ ସରକାରଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ବ୍ୟାବସାୟୀଙ୍କଠାରୁ ଆରମ୍ଭ କରି ନେତା, କ୍ରିକେଟର୍ ଓ ବଲିଉଡ୍‌ ସେଲିବ୍ରିଟି ନିଜ ନିଜର ସାଧ୍ୟମତେ ସହାୟତା କରୁଛନ୍ତି।

ଏବେ ପୁଣି ଜଣେ ବଲିଉଡ୍‌ ଅଭିନେତା ସଚିନ ଯୋଶୀ ନିଜର ବିଳାସମୟ ହୋଟେଲ୍‌କୁ କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ କରିବା ପାଇଁ ବିଏମ୍‌ସି(ବ୍ରିହାନ୍‌ମୁମ୍ବାଇ ମ୍ୟୁନିସପାଲିଟି କୋର୍ପୋରେସନ୍‌)କୁ ଦେଇଛନ୍ତି। ମୁମ୍ବାଇର ପାଓଇ ଅଞ୍ଚଳରେ ଥିବା ୩୬ ରୁମ୍‌ ବିଶିଷ୍ଟ ଏହି ହୋଟେଲ୍‌ର  ନାଁ ହେଉଛି ‘ବିଟଲ୍’।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ଭାରତରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଏତେ ମଜବୁତ ନୁହେଁ। ଏଠାରେ ପର୍ଯ୍ୟାପ୍ତ ଡାକ୍ତରଖାନା ଏବଂ ବେଡ୍ ନାହିଁ। ଆମ ହୋଟେଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର କରିବା ପାଇଁ ବିଏମ୍‌ସି ପ୍ରସ୍ତାବ ଦେଇଥିଲା। ସେମାନଙ୍କ ପ୍ରସ୍ତାବରେ ଆମେ ସଙ୍ଗେ ସଙ୍ଗେ ହଁ ଭରିଥିଲୁ।”

ସଚିନ ଆହୁରି କହିଛନ୍ତି ଯେ ବିଏମସି କ୍ରମାଗତ ଭାବରେ ହୋଟେଲ୍ ବିଲ୍ଡିଂ ଓ ରୁମଗୁଡ଼ିକୁ ସାନିଟାଇଜ୍ କରୁଛି। ଏହା ବ୍ୟତୀତ ହୋଟେଲର ସମସ୍ତ କର୍ମଚାରୀଙ୍କୁ ଆବଶ୍ୟକ ସାମଗ୍ରୀ ମଧ୍ୟ ଦିଆଯାଇଛି।

କରୋନା ମୁକାବିଲା ପାଇଁ ଭାରତରେ ବର୍ତ୍ତମାନ ଲକ୍‌ଡାଉନ୍ ଥିବା ବେଳେ ଯାତ୍ରୀବାହୀ ବିମାନ ଚଳାଚଳ ବି ବନ୍ଦ ରହିଛି। ସେଥିପାଇଁ ଦୁବାଇରେ ଫସି ରହିଛନ୍ତି ସଚିନ। ତେବେ ଦେଶ ବାହାରେ ଥିଲେ ବି ମଧ୍ୟ ବିପଦ ସମୟରେ ଦେଶବାସୀଙ୍କ ସେବା କରିବାକୁ ଭୁଲି ନହାଁନ୍ତି ସେ ।

ପ୍ରକାଶ ଥାଉକି, ନିକଟରେ ଅଭିନେତା ଶାହରୁଖ ଖାନ୍ ଓ ତାଙ୍କ ପତ୍ନୀ ଗୌରୀ ଖାନ୍ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)କୁ ସେମାନଙ୍କ କାର୍ଯ୍ୟାଳୟ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ, ଯାହା ଦ୍ୱାରା ଏହାକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ବ୍ୟବହାର କରାଯାଇପାରିବ।

You might also like