ରେଡି ଫିଲ୍ମରେ ସଲ୍ମାନଙ୍କ କୋ-ଷ୍ଟାର୍ ମୋହିତ ବାଘେଲଙ୍କ ପରଲୋକ
ମୁମ୍ବାଇ: ୨୦୨୦ ବଲିଉଡ୍ ପାଇଁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲ୍ବିଦା କହି ଚାଲିଯାଉଛନ୍ତି ଅନେକ ଅନେକ ବଡ଼ ବଡ଼ କଳାକାର। ପ୍ରଥମେ ଇର୍ଫାନ, ପରେ ଋଶି କାପୁର ଦେହାନ୍ତ ସିନେ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ଏବେ ଏବେ ସଚିନ କୁମାର ଓ ସାଇ ଗୁଣ୍ଡେରାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଦୁଃଖ ସାଗରରେ ବୁଡ଼ାଇ ଦେଇଥିଲା।
ଆଉ ଏବେ ପୁଣି ଜଣେ ଉଦିଅମାନ ବଲିଉଡ୍ ଷ୍ଟାର୍ଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଅବାକ୍ କରିଦେଇଛି। ସେ ହେଉଛନ୍ତି ସଲ୍ମାନ ଖାନ୍ଙ୍କ ରେଡୀ ଫିଲ୍ମ କୋ-ଷ୍ଟାର ମୋହିତ ବାଘେଲ। ଶନିବାର ସକାଳେ ଉତ୍ତର ପ୍ରଦେଶ ମଥୁରା ସ୍ଥିତି ତାଙ୍କ ବାସ ଭବନରେ ମାତ୍ର ୨୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଏହି ସୂଚନା ଦେଇଛନ୍ତି ଲେଖକ ଓ ନିର୍ଦ୍ଦେଶକ ରାଜ ସାଣ୍ଡିଲ୍ୟ।
ରାଜ ପିଟିଆକୁ ଦେଇଥିବା ସୂଚନାରେ ସେ କହିଛନ୍ତି, ମୋହିତ୍ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଦୀର୍ଘ ୬ ମାସ ହେଲା ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ମୁଁ ତାଙ୍କ ସହିତ ଗତ ମେ ୧୫ ତାରିଖରେ କଥା ହୋଇଥିଲି। ସେତେବେଳେ ସେ ଠିକ୍ ଥିଲେ। ଓ ଧୀରେ ଧୀରେ ସୁସ୍ଥ ହେଉଥିଲେ। କିନ୍ତୁ ହଠାତ୍ ମୋର ଜଣେ ବନ୍ଧୁଙ୍କ ଠାରୁ ମୋହିତଙ୍କ ଦେହାନ୍ତର ଖବର ପାଇଥିଲି। ମୋହିତ ତାଙ୍କ ବାପାମା ଓ ବଡ଼ ଭାଇଙ୍କ ସହିତ ମଥୁରାରେ ରହୁଥିଲେ।
ରେଡୀରେ ଅମର ଚୌଧୁରୀ ନାମରେ ତାଙ୍କର ଚରିତ୍ର ଖୁବ୍ ଲୋକପ୍ରିୟ ଓ ମଜାଦାର ହୋଇପାରିଥିଲା। ଏହି ଫିଲ୍ମରେ ସେ ସଲ୍ମାନ ଖାନ୍ଙ୍କ ସହିତ ସ୍କ୍ରିନ୍ ଶେୟାର କରିଥିଲେ। ରାଜ୍ ମଧ୍ୟ ଜଣେ ଲେଖକ ହିସାବରେ ମୋହିତଙ୍କ ସହିତ କମେଡି ସର୍କସ୍ ଓ ଜବରୀଆ ଜୋଡିରେ କାମ କରିସାରିଛନ୍ତି। ଏଥିସହିତ ଦୁଇଟି ଫିଲ୍ମ ମିଲନ୍ ଟକିସ୍ ଓ ବଣ୍ଟି ଆର୍ ବବ୍ଲୀ-2ରେ ମୋହିତଙ୍କ ସହିତ କାମ କରିଛନ୍ତି ରାଜ।
ଏହିସବୁ ଫିଲ୍ମ, କମେଡି ଶୋ’ ଓ ଧାରାବାହିକକୁ ଛାଡ଼ିଦେଲେ ମୋହିତ ଏକିସ୍ ତୋପୋଁ କି ସଲାମ ଏବଂ ଗଲି ଗଲି ଚୋର୍ ହୈ ଫିଲ୍ମରେ ଅଭିୟନ କରିଛନ୍ତି।