ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍ଙ୍କ ପାଖକୁ ପାକିସ୍ତାନରୁ ଇମେଲ୍
ମୁମ୍ବାଇ: ପୃଥିବୀରେ ଅନେକ ଲୋକ ଅଛନ୍ତି, ଯାହାଙ୍କ ନାମ ସମାନ ହୋଇଥାଏ। ହେଲେ ବହୁତ କମ୍ କ୍ଷେତ୍ରରେ ଦେଖାଯାଏ ସମାନ ନାମଧାରୀ ଉଭୟ ପବ୍ଲିକ୍ ଫିଗର ହୋଇଥିବେ। ସମସ୍ତେ ଜାଣନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ୍ ଖାନ୍ ବର୍ତ୍ତମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି। ସେହିପରି ବଲିଉଡ୍ରେ ଜଣେ ଜଣାଶୁଣା ଅଭିନେତା ଅଛନ୍ତି, ଯାହଙ୍କ ନାମ ମଧ୍ୟ ଇମ୍ରାନ୍ ଖାନ୍। ଯାହାକି ଉଭୟ ସମାନ ନାମଧାରୀ ଚର୍ଚ୍ଚିତ ଚେହେରା।
ଏହି ଦୁଇ ସମାନ ନାମଧାରୀଙ୍କୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ପାଖକୁ ଯିବାକୁ ଥିବା ମେଲ୍ ଆସିଛି ବଲିଉଡ୍ ଅଭିନେତା ତଥା I Hate Luv Storys ଫେମ୍ ଇମ୍ରାନ୍ ଖାନ୍ଙ୍କ ପାଖକୁ । ପାକିସ୍ତାନରୁ ଏହି ମେଲ୍ ଆସିଛି। ଏଥିର ଲେଖାଯାଇଛି ’ପ୍ରିୟ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସାହେବ୍, ସଫଳ ନେତା ସବୁବେଳେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଥାନ୍ତି। ସେ ପ୍ରକୃତ ବନ୍ଧୁ ଓ ସମର୍ଥକଙ୍କୁ ଚିହ୍ନି ପାରିଥାନ୍ତି। ଏହାସହ ବିଶ୍ୱାସୀ ଲୋକଙ୍କୁ ଚୟନ କରିଥାନ୍ତି। ଏବେ ଏହି ସରକାର ୧୦ ବର୍ଷ ଶାସନ କରିବ। ସେଥିପାଇଁ ପ୍ରଥମ ଦିନରୁ ମୁଁ ଆପଣଙ୍କ ଟିମ୍ରେ ସାମିଲ୍ ହେବାକୁ ଚାହୁଁଛି।’ ଏହାପରେ ଏହି ମେଲ୍ଟିକୁ ଅଭିନେତା ଇମ୍ରାନ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି।
ଲୋକମାନେ ଏହି ପୋଷ୍ଟଟିକୁ ଦେଖିବାପରେ ଚକିତ ହୋଇଛନ୍ତି। ଇମ୍ରାନ ଏହି ପୋଷ୍ଟ କରିବାପରେ ଇନ୍ଷ୍ଟାଗ୍ରାମ ୟୁଜରମାନେ ଏହାର ମଜା ଉଠାଇଛନ୍ତି।