ଲଦାଖରେ ଅମିରଙ୍କ ‘ଲାଲ ସିଂ ଚଡ୍ଡା’ର ସୁଟିଂ

ମୁମ୍ବାଇ: କରୋନା ଭାଇରସ୍ ର ଏହି ଦ୍ୱିତୀୟ ଲହର ସବୁ କ୍ଷେତ୍ରରେ ପ୍ରଭାବ ପକେଇଥିବା ବେଳେ ଚଳଚ୍ଚିତ୍ର ଦୁନିଆ ମଧ୍ୟ ଏଥିରୁ ମୁକୁଳିନି। ଚଳଚ୍ଚିତ୍ର ସୁଟିଂ ଉପରେ ମଧ୍ୟ ଏହା ବହୁତ ପ୍ରଭାବ ପକାଇଛି। କେତେବେଳେ ରାଜ୍ୟଗୁଡ଼ିକରେ ତାଲାବନ୍ଦ କାରଣ ଯୋଗୁଁ ହେଉ ବା କେଳେବେଳେ କଳାକାରମାନଙ୍କ କ୍ଷେତ୍ରରେ କରୋନା ଭାଇରସ୍ ସଂକ୍ରମଣ କାରଣରୁ ଚଳଚ୍ଚିତ୍ର ଏବଂ ସିରିଏଲ୍ ସୁଟିଂ ବନ୍ଦ କରିବାକୁ ପଡୁଛି। ଏଭଳି ପରିସ୍ଥିତିରେ ଆମୀର ଖାନ ନିଷ୍ପତ୍ତି ନେଇଛନ୍ତି ଯେ ସେ ବର୍ତ୍ତମାନ ତାଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ଲଦାଖରେ ସୁଟିଂ କରିବେ। ଅମୀର ଏଠାରେ ତାଙ୍କ ଫିଲ୍ମର ଆକ୍ସନ୍ ସିନକୁ ସୁଟିଂ କରିବା ନେଇ ଚିନ୍ତା କରିଛନ୍ତି। ଅମୀର ଖାନଙ୍କ କାର୍ଗିଲର କିଛି ସ୍ଥାନର ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଏକ ଖବର ଅନୁଯାୟୀ ଅମିରଙ୍କ ଏହି ସିନେମା ପ୍ରାୟ ୪୫ ଦିନର ସୁଟିଂ କାର୍ଯ୍ୟସୂଚୀ ହୋଇଥିବା ବେଳେ ଲଦାଖ ଓ କାର୍ଗିଲ ଅଞ୍ଚଳରେ ଅନେକ ଆକ୍ସନ୍ ସିନ୍ ସୁଟିଂ କରାଯିବ। ଅମିରଙ୍କ ଏହି ଚଳଚ୍ଚିତ୍ରରେ ଦକ୍ଷିଣ ସୁପରଷ୍ଟାର ବିଜୟ ସେଥୁପତି ନଜରକୁ ଆସିବାକୁ ଥିଲେ କିନ୍ତୁ ବର୍ତ୍ତମାନ ଏହି ସ୍ଥାନରେ ନାଗା ଚୈତନ୍ୟଙ୍କୁ ଦେଖିବାକୁ ମିଳିବ। ସେ ଲଦାଖର ଫିଲ୍ମ ୟୁନିଟରେ ମଧ୍ୟ ଯୋଗଦେବେ।

ଚଳଚ୍ଚିତ୍ର ‘ଲାଲ ସିଂ ଚଡ୍ଡା’ ୧୯୯୪ରେ ଆସିଥିବା ଆମେରିକୀୟ ଚଳଚ୍ଚିତ୍ର ‘ଫରେଷ୍ଟ ଗୁମ୍ପ’ର ରିମେକ୍ ଅଟେ। ଏହି ଚଳଚ୍ଚିତ୍ରଟି ଅପରେସନ୍ ବ୍ଲୁ ଷ୍ଟାର ଏବଂ ବାବ୍ରି ମସଜିଦ ଭାଙ୍ଗିବା ଉପରେ ମଧ୍ୟ ଆଧାରିତ ହେବ। ଫିଲ୍ମରେ ଶିଖ ଭୂମିକାରେ ଆମୀର ଖାନ ନଜର ଆସିବେ ଏବଂ କରୀନା କପୁର ତାଙ୍କର ବିପରୀତ ମୁଖ୍ୟ ମହିଳା ଅଭିନେତ୍ରୀ ଭାବେ ଦେଖାଦେବେ। ଏହି ଚଳଚ୍ଚିତ୍ରଟିକୁ ଅତୁଲ କୁଲକର୍ଣ୍ଣି ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅଦ୍ଵୈତ ଚନ୍ଦନ। ଏହି ଚଳଚ୍ଚିତ୍ରର ନିର୍ମାତା ନିଜେ ଅମିର ଖାନ ଥିବା ବେଳେ ତାଙ୍କ ସହିତ କିରଣ ରାଓ ଓ ରାଧିକା ଚୌଧୁରୀ ମଧ୍ୟ ଅଛନ୍ତି।

ନିକଟରେ ଅମିର ଖାନ ସୋସିଆଲ ମିଡିଆରୁ ବିରତି ନେଇଥିବାର ଖବର ଦେଇଥିଲେ। ସେ କରୋନା ପଜିଟିଭ୍ ମଧ୍ୟ ହୋ‍ଇଥିଲେ। ବର୍ତ୍ତମାନ ଲାଲ ସିଂ ଚଡ୍ଡାର ସୁଟିଂ ଖବର ଅନୁମାନ କରାଯାଇପାରେ ଯେ ଅମିର ସୁସ୍ଥ ହୋଇ ନିଜ ଫିଲ୍ମ ଶେଷ କରିବା ନେଇ ଅଣ୍ଟା ଭିଡିଛନ୍ତି। ଉଲ୍ଲେଖଥାଉ କି, ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ନିଜ କାର୍ଯ୍ୟରେ ସବୁକିଛି ଉପରେ ନିକ୍ଷୁଣ ଭାବରେ କାମ କରନ୍ତି। ତେବେ ଏଭଳି ପରିସ୍ଥିତିରେ ଲାଲ ସିଂ ଚଡ୍ଡା ଭଳି ମହତ୍ତ୍ୱକାଂକ୍ଷୀ ଚଳଚ୍ଚିତ୍ର ପାଇଁ  ଅମିରଙ୍କ ଏହି ପ୍ରସ୍ତୁତି ଆଶ୍ଚର୍ଯ୍ୟଜନକ ନୁହେଁ।

You might also like